ଭୂଗୋଳ ବହିରେ ଭୁଲ୍‌, ୯ମ ଶ୍ରେଣୀ ବହିର ୧୮ତମ ପୃଷ୍ଠାରେ ତ୍ରୁଟି

ଓଡ଼ିଶା ସମ୍ପର୍କରେ ଜାଣି ନାହାନ୍ତି ଲେଖକ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପିଛା ଛାଡ଼ୁନି ବିବାଦ। ଚଳିତ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯ମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ଭୂଗୋଳ ବହିରେ ଭୁଲ୍‌ ଥିବା ନଜରକୁ ଆସିଛି। ଏହି ବହିର ୧୮ନଂ ପୃଷ୍ଠାରେ ଓଡ଼ିଶାର ଅବସ୍ଥିତି ଓ କ୍ଷେତ୍ରଫଳ ସମ୍ପର୍କରେ ଏକ ଭୁଲ ତଥ୍ୟ ଦିଆଯାଇଛି।

ସେଥିରେ ଉଲ୍ଲେଖ ହୋଇଛି ଯେ ‘ଓଡ଼ିଶା ଭାରତର ପୂର୍ବ ଉପକୂଳସ୍ଥ ଏକ ରାଜ୍ୟ। ଏହି ରାଜ୍ୟ ୧୭ଂ୪୯’ ରୁ ୨୨ଂ୩୪’ ଉତ୍ତର ସମାକ୍ଷରେଖା ମଧ୍ୟରେ ଓ ୮୧ଂ୨୩’ ରୁ ୮୭ଂ୨୯’ ପୂର୍ବ ଦ୍ରାଘିମାରେଖା ମଧ୍ୟରେ ଅବସ୍ଥିତ। ପୂର୍ବରେ ବଙ୍ଗୋପସାଗର, ଉତ୍ତର ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମରେ ଛତିଶଗଡ଼ ଓ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଏହାର ସୀମା ନିର୍ଦ୍ଧାରଣ କରୁଛନ୍ତି। ଏହାର କ୍ଷେତ୍ରଫଳ ୧୫୫୭୦୭ ବର୍ଗ କିମି। ଏହା ତଳକୁ ଓଡ଼ିଶା ପ୍ରଶାସନିକ ବିଭାଗ ସମ୍ପର୍କିତ ଏକ ତଥ୍ୟ ଦିଆଯାଇଛି। ସେଥିରେ ଉଲ୍ଲେଖ ରହିଛି, ‘ଓଡ଼ିଶାକୁ ୩୦ଟି ଜିଲ୍ଲାରେ ବିଭକ୍ତ କରାଯାଇଛି। ଜିଲ୍ଲାଗୁଡ଼ିକୁ ୫୮ଟି ସବ୍‌ଡିଭିଜନ୍‌ରେ ଏବଂ ପ୍ରତ୍ୟେକ ସବଡିଭିଜନ୍‌କୁ ୧୭୧ଟି ତହସିଲ୍‌ ଏବଂ ଏହି ତହସିଲ୍‌ଗୁଡ଼ିକୁ ୩୧୪ଟି ବ୍ଲକ ଓ ପ୍ରତ୍ୟେକ ବ୍ଲକକୁ ୬୨୩୪ଟି ପଞ୍ଚାୟତରେ ବିଭକ୍ତ କରାଯାଇଛି।’ ଏହି ବାକ୍ୟ ଗଠନରେ ବ୍ୟାପକ ତ୍ରୁଟି ରହିଛି। ଏଥିସହ ତଥ୍ୟରେ ବି ତ୍ରୁଟି ପରିଲକ୍ଷିତ ହେଉଛି। ଏ ସମ୍ପର୍କ‌ରେ ଆଜି ଟ୍ବିଟ୍‌ ଯୋଗେ ଜଣେ ବ୍ୟକ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ବିଭିନ୍ନ ବ୍ୟକ୍ତିବି‌ଶେଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣା ପଦାକୁ ଆସିଛି।

ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୩୦ଟି ଜିଲ୍ଲାରେ ୫୮ଟି ସବ୍‌ଡିଭିଜନ୍‌ ରହିଛି। ୩୧୭ଟି ତହସିଲ୍‌, ୬୭୯୮ଟି ପଞ୍ଚାୟତ ଓ ୩୧୪ଟି ବ୍ଲକ ରହିଥିବା ଓଡ଼ିଶା ସରକାରଙ୍କ ନିଜସ୍ବ ୱେବସାଇଟ୍‌ରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର