ଭୁଲ୍‌ ଇଞ୍ଜେକ୍ସନ: ଛାତ୍ରଙ୍କ ହାତ ଅଚଳ 

ଥାନାରେ ପରିବାର ଲୋକଙ୍କ ଅଭିଯୋଗ

କଟକ: ଜଣେ ଗରିବ ମେଧାବୀ ଛାତ୍ରଙ୍କ ପାଇଁ କାଳ ହୋଇଛି ଭୁଲ୍‌ ଇଞ୍ଜେକ୍ସନ। ସରକାରୀ ହସ୍‌ପିଟାଲ୍‌ରେ ଭୁଲ୍‌ ଇଞ୍ଜେକ୍ସନ ନେଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ଏହି ଛାତ୍ରଙ୍କର ଏବେ ହାତରୁ ମାଂସ କଟାଯାଇଛି। ହାତ ଏକ ପ୍ରକାର ଅଚଳ ସ୍ଥିତିରେ ଥିବାରୁ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଛାତ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ପରିବାର ଲୋକେ ଆଜି ମଙ୍ଗଳାବାଗ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିମୂଳିଆ ଥାନା କଳସପୁର ଅଞ୍ଚଳର ମଞ୍ଜୁଲତା ନାୟକଙ୍କ ୧୮ ବର୍ଷର ପୁଅ ତାପସ ନାୟକ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ନିଜ ମାମୁଁ ଘରେ ରହୁଥିଲେ। ସେ ଗର୍ସଙ୍ଗ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ ବାଣିଜ୍ୟରେ ପଢୁଥିଲେ। ଗଲା ରବିବାର ଦିନ ତାଙ୍କର ଡାଇରିଆ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କ ବାମ ହାତରେ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଇଞ୍ଜେକ୍ସନ ଦେବାରୁ ହାତରେ ଜଳା ପୋଡ଼ା ସହିତ ଫୁଲିଯାଇଥିଲା । ଡାକ୍ତରଙ୍କୁ ଜଣାଇବାରୁ ଡାକ୍ତର ବରଫ ଘସିବାକୁ କହିଥିଲେ । କିନ୍ତୁ ହାତରେ ଯନ୍ତ୍ରଣା ହୋଇ କଳା ପଡ଼ିଯାଇଥିଲା। ଭଦ୍ରକ ହସ୍‌ପିଟାଲ୍‌ର ଡାକ୍ତର ତାପସଙ୍କୁ କଟକ ବଡ଼ ମେଡିକାଲ୍‌ ନେବାକୁ କହିବାରୁ ପରିବାର ଲୋକେ ସେଦିନ ରାତିରେ ତାଙ୍କୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ମେଡିକାଲରେ ସୁବିଧା ନମିଳିବାରୁ ତାପସଙ୍କୁ ପରିବାର ଲୋକେ ମହାନଦୀ ରିଙ୍ଗ ରୋଡ୍‌ରେ ଥିବା ଏକ ଘରୋଇ ନିର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ତାଙ୍କ ବାମ ହାତର କହୁଣୀଠୁ ପାପୁଲି ପର୍ଯ୍ୟନ୍ତ ମାଂସ କଟାଯାଇଥିଲା । ଏବେ ତାଙ୍କ ପାପୁଲି ଏବଂ ଆଙ୍ଗୁଠି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯାଇଛି । ଭଦ୍ରକ ହସ୍‌ପିଟାଲ୍‌ରେ ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ଜଣେ ବାପା ଛେଉଣ୍ଡ ଗରିବ ପରିବାରର ମେଧାବୀ ଛାତ୍ର ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଯାଇଛି । ଏବେ ସେ ପୁଲିସ ବିଭାଗରେ ଚାକିରି କରିବାକୁ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ । କିନ୍ତୁ ଏ ସଂକ୍ରାନ୍ତରେ ପରିବାର ଲୋକେ ଆଜି ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଭଦ୍ରକ ଥାନାରେ ଅଭିଯୋଗ କରିବାକୁ ମଙ୍ଗଳାବାଗ ଥାନା ପୁଲିସ ତାଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର