ରଂ ନମ୍ବରରୁ ପ୍ରେମ : ଭିନ୍ନକ୍ଷମ ପ୍ରେମିକଙ୍କୁ କୋର୍ଟରେ ବିବାହ

ସମ୍ବଲପୁର : ଅନ୍ୟ କାହାକୁ ଫୋନ୍‌ ଲଗାଉ ଲଗାଉ ଏକ ରଂ ନମ୍ବର ଲାଗି ଯାଇଥିଲା। ଉକ୍ତ ଫୋନ୍‌ ନମ୍ବରଟି ଥିଲା ଜଣେ ଅପରିଚିତ ଯୁବତୀଙ୍କର। ନମ୍ବର ସିନା ଭୁଲ୍‌ ଥିଲା, କିନ୍ତୁ କଥା ହେଉ ହେଉ ମନ ମିଶି ଯାଇଥିଲା। ଘନିଷ୍ଠତା ବି ବଢ଼ିଥିଲା। ଆଉ ଏହା ପ୍ରେମ ସଂପର୍କର ରୂପ ନେଇଥିଲା। ମାନେଶ୍ୱର ବ୍ଲକ୍‌ କୁଦୋପାଲି ବାଦିପାଲି ଗାଁର ଭିନ୍ନକ୍ଷମ ଯୁବକ ପ୍ରଦୀପ ମିର୍ଦ୍ଧା(୨୮)ଙ୍କ ପାଇଁ ଉକ୍ତ ଫୋନ୍‌ କଲ୍‌ଟି ତାଙ୍କ ସୌଭାଗ୍ୟକୁ ଡାକି ଆଣିଥିଲା।

ପ୍ରଥମେ ଫୋନ୍‌ରେ କଥାବାର୍ତ୍ତା। ଆଉ ଧୀରେ ଧୀରେ ହୋଇଗଲା ପ୍ରେମ। ସେତେବେଳେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଅନସୂୟା କିଶାନ(୨୭) ଜାଣିନଥିଲେଯେ ତାଙ୍କ ପ୍ରେମିକ ଜଣେ ଭିନ୍ନକ୍ଷମ। ତେବେ ନିଜ ଜୀବନଠାରୁ ଅଧିକ ଭଲ ପାଇ ବସିଥିବା ପ୍ରଦୀପଙ୍କ ସଂପର୍କରେ ଜାଣିବା ପରେ ବି ସେ ସଂପର୍କ ତୁୁଟାଇନଥିଲେ। ପରିବାରିକ ପ୍ରତିବନ୍ଧକକୁ ଖାତିର ନ କରି ବର୍ଷେ ତଳେ କୋର୍ଟ ମ୍ୟାରେଜ କରିବା ପାଇଁ ଅନସୂୟା ଓ ପ୍ରଦୀପ ଆବେଦନ କରିଥିବା ବେଳେ ଆଜି ସେମାନଙ୍କ ସ୍ୱପ୍ନ ସାକାର ହୋଇଥିଲା। ସମ୍ବଲପୁର ଡିଏସ୍‌ଆର୍‌ ମନୋଜ ଦେବତାଙ୍କ କୋର୍ଟରେ ବିଧିବଦ୍ଧ ଭାବେ ସେମାନେ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସମ୍ବନ୍ଧିତ ଖବର