ରାଜଧାନୀ ଜଳବାୟୁ ବିଗାଡ଼ୁଛି ଭୁଲ୍ ଟାଉନ୍ ପ୍ଲାନିଂ, ସାମୁଦ୍ରିକ ପବନର ବାଟ ଓଗାଳୁଛି ଅବ୍ୟବସ୍ଥିତ ଉଚ୍ଚ ଅଟ୍ଟାଳିକା
ଆଉ ଅପରାହ୍ନରେ ବହୁନି ସୁଲୁସୁଲିଆ ପବନ
ଆଗକୁ ଆହୁରି ବିଗିଡ଼ି ଯାଇପାରେ ରାଜଧାନୀର ସ୍ଥିତି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର, (ସସ୍ମିତା ସାହୁ) : ଭୁବନେଶ୍ବର ସହର ପାଇଁ ଟାଉନ୍ ପ୍ଲାନିଂ କରାଯାଉଛି। କିନ୍ତୁ ପ୍ଲାନିଂ ସମୟରେ ଜଳବାୟୁ ଦିଗଟିକୁ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ଯାହାର ପରିଣତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି ତ୍ରୁଟିଯୁକ୍ତ ଟାଉନ୍ ପ୍ଲାନିଂ ସାମୁଦ୍ରିକ ପବନକୁ ବି ଅଟକାଇ ଦେଉଛି। ଯେଉଁଥି ପାଇଁ କି ରାଜଧାନୀବାସୀ ଅପରାହ୍ନରେ ସୁଲୁସୁଲିଆ ପବନ ପାଇବାରୁ ବଞ୍ଚିତ ହେଉଛନ୍ତି। ଭୁବନେଶ୍ବରର କଳେବର ବଢ଼ୁଥିବାରୁ ଏବେ ଠାରୁ ଟାଉନ୍ ପ୍ଲାନିଂକୁ ବ୍ୟବସ୍ଥିତ ନ କଲେ ସବୁ ଋତୁରେ ଭୁବନେଶ୍ବରେର ଅସ୍ବାଭାବିକ ଜଳବାୟୁ ଅନୁଭୂତ ହେବାର ଆଶଙ୍କା ରହିଛି ବୋଲି ଏବେ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କଲେଣି।
ସେମାନଙ୍କ କହିବା ଅନୁସାରେ, ଦିନ ଥିଲା ଅପରାହ୍ନ ୩ଟା ହେଉ ହେଉ ସୁଲୁସୁଲିଆ ଶୀତଳ ପବନ ରାଜଧାନୀବାସୀଙ୍କୁ ଆମୋଦିତ କରୁଥିଲା। ମେ’ ମାସର ଖରା ଦିନ ହେଉ କି ଫେବ୍ରୁଆରିର ଶୀତ ଦିନ, ଅପରାହ୍ନ ହେଉ ହେଉ ଏହି ଶୀତଳ ପବନର ମଜା ନେବାକୁ ପାର୍କରୁ ଆରମ୍ଭ କରି ରାସ୍ତାକଡ଼ ଲୋକାରଣ୍ୟ ହୋଇପଡ଼େ। ଅପରାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପବନ ରାଜଧାନୀବାସୀଙ୍କୁ ବେଶ୍ ଆଶ୍ବସ୍ତ କରୁଥିଲା। ଏଥିପାଇଁ ବସବାସ ନିମନ୍ତେ ଶ୍ରେଷ୍ଠ ସହର ଭାବେ ରାଜଧାନୀ ତାଲିକାର ପ୍ରାରମ୍ଭରେ ରହୁଥିଲା। କିନ୍ତୁ ଗତ ୧୦ ବର୍ଷ ହେଲା ସେହି ପବନର ଅଭାବ ଅନୁଭୂତ ହେଉଛି। ପ୍ରତି ବର୍ଷ ଏହି ଅଭାବବୋଧ ବଢ଼ିବାରେ ଲାଗିଛି। ଗତ ଖରା ଦିନରେ ଅପରାହ୍ନ ଓ ସଂଧ୍ୟାରେ ଯେମିତି ଭାବେ ଅସହ୍ୟ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିଲା ତାହା ଗତ ୧୦ ବର୍ଷରେ ପ୍ରଥମ।
ରାଜଧାନୀର ଜଳବାୟୁରେ ଏପରି ଅସ୍ବାଭାବିକତା ବର୍ଷେ ଦୁଇ ବର୍ଷ ଭିତରେ ହୋଇ ନାହିଁ। ଭୁବନେଶ୍ବର ସହରକୁ ବ୍ୟବସ୍ଥିତ ଭାବେ ଗଢ଼ିବା ପାଇଁ ଦାୟିତ୍ବ ନେଇଥିବା ସରକାରୀ ସଂସ୍ଥାଗୁଡ଼ିକର ଦୂରଦୃଷ୍ଟିର ଅଭାବ, ଦାୟିତ୍ବହୀନତା, ପରିବେଶ ପ୍ରତି ଅଣଦେଖାର ପରିଣାମ ସ୍ବରୂପ ସହରବାସୀ ସ୍ବଚ୍ଛ ଜଳବାୟୁରୁ ବଞ୍ଚିତ ହେଉଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ସହର ବଢ଼ୁଥିଲା େବଳେ ଟାଉନ୍ ପ୍ଲାନିଂ ଠିକ୍ ଭାବେ ହେଉ ନାହିଁ।
ପ୍ଲାନିଂ ହେଲା ବେଳେ ଜଳବାୟୁ ଦିଗ ପ୍ରତି ଆଖି ବୁଜି ଦିଆଯାଇଛି। ମନଇଚ୍ଛା ଉଚ୍ଚ ଅଟ୍ଟାଳିକାକୁ ଅନୁମତି ଦିଆଯାଇଛି। କେଉଁ ଅଞ୍ଚଳ ପାଇଁ କେତେ ଉଚ୍ଚର ଅଟ୍ଟାଳିକା ଅନୁମତି ଦିଆଯାଇପାରିବ, ତାହାକୁ ସେତେଟା ଗୁରୁତ୍ବ ଦିଆଯାଉ ନାହିଁ। ସେହି ଅବ୍ୟବସ୍ଥିତ ଅଟ୍ଟାଳିକା ହିଁ ସହରକୁ ଥଣ୍ଡା ପବନ ପ୍ରବେଶରେ ବାଟ ଓଗାଳୁଛି। ଏହା ବାଦ୍ ଗାଡ଼ିମୋଟର ଓ ଟିଭି, ଫ୍ରିଜ୍, ଏସି ଭଳି ବୈଦ୍ୟୁତିକ ସରଞ୍ଜାମର ଅତ୍ୟଧିକ ବ୍ୟବହାର ସହରକୁ ଆଧୁନିକତା ଆଡ଼କୁ ନେଉଥିଲେ ବି ଜଳବାୟୁକୁ ବିଗାଡ଼ିବାରେ ଅନ୍ୟତମ କାରଣ ସାଜିଛି।
ଭୁବନେଶ୍ବରର ଅବସ୍ଥିତି ଉପକୂଳରେ ହୋଇଥିବାରୁ ତଥା ବଙ୍ଗୋପସାଗରଠାରୁ ୫୦ କିମି ଦୂରରେ ଥିବାରୁ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ଅପରାହ୍ନରେ ଆସେ। ଦିନ ବେଳେ ଯେତେବେଳେ ସୂର୍ଯ୍ୟକିରଣ ପଡ଼େ ସ୍ଥଳ ଭାଗର ତାପମାତ୍ରା ଶୀଘ୍ର ବୃଦ୍ଧିପାଏ। ଏହା ଦ୍ବାରା ସ୍ଥଳ ଭାଗ ଉପରିସ୍ଥ ବାୟୁମଣ୍ଡଳ ହାଲ୍କା ହେବା ସହ ଏହାର ଚାପ କମେ ଓ ପ୍ରସାରିତ ହେବାକୁ ଲାଗେ। କିନ୍ତୁ ସମୁଦ୍ର ଜଳର ତାପ ଶୋଷଣ କ୍ଷମତା ଅଧିକ ଥିବାରୁ ଏହା ଶୀଘ୍ର ଗରମ ହୁଏ ନାହିଁ, ଯେଉଁଥି ପାଇଁ କି ସମୁଦ୍ର ଉପରିସ୍ଥ ବାୟୁମଣ୍ଡଳର ଚାପ ଅଧିକ ରୁହେ। ଫଳରେ କମ୍ ଚାପ ଥିବା ବାୟୁମଣ୍ଡଳ ଆଡ଼କୁ ସାମୁଦ୍ରିକ ପବନ ପ୍ରବାହିତ ହୁଏ। ଦିନ ବଢ଼ିବା ସହ ତାପମାତ୍ରା ବଢ଼େ ଓ ସ୍ଥଳ ଭାଗର ବାୟୁମଣ୍ଡଳୀୟ ଚାପ କମେ ଓ ପବନର ବେଗ ବଢ଼େ। ପୁରୀରେ ସକାଳ ୯ଟାରୁ ପବନ ବହିବାକୁ ଆରମ୍ଭ କରେ ଓ ପୁରୀଠାରୁ ୫୦ କିମି ଦୂରରେ ଥିବାରୁ ଭୁବନେଶ୍ବରକୁ ଏହି ସାମୁଦ୍ରିକ ପବନ ଆସିବା ବେଳକୁ ଅପରାହ୍ନ ୩ଟା ହୋଇଯାଏ। ସାମୁଦ୍ରିକ ପବନରେ ଜଳୀୟକଣା ଥିବା ହେତୁ ଓ ଏହାର ଗତି କ୍ଷୀପ୍ର ହୋଇଥିବାରୁ ଏହା ଆମକୁ ଥଣ୍ଡାର ଅନୁଭୂତି ଦିଏ। ଏହି ସାମୁଦ୍ରିକ ପବନର ପ୍ରଭାବ ୬୦ କିମି ପର୍ଯ୍ୟନ୍ତ ରୁହେ। ଏଣୁ ଭୁବନେଶ୍ବରର ପଶ୍ଚିମକୁ ଏହାର ପ୍ରଭାବ ଅନୁଭୂତ ହୁଏ ନାହିଁ। ଏହି ପବନ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହିଥାଏ। ପରେ ରାତି ବେଳକୁ ସମୁଦ୍ର ଜଳ ଗରମ ହୋଇଯିବା ଫଳରେ ସ୍ଥଳ ଭାଗର ପବନ ସମୁଦ୍ର ଆଡ଼କୁ ବହେ ଓ ଆମକୁ ଗରମ ଅନୁଭୂତ ହୁଏ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହି ବଙ୍ଗୋପସାଗରୀୟ ପବନ ଆଗ ଭଳି ଏବେ ବି ବହୁଛି। ଏପରିକି ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପବନର ବେଗ ବଢ଼ିଛି। କିନ୍ତୁ ଏହାର ଲାଭ ଭୁବନେଶ୍ବର ଉଠାଇପାରୁନାହିଁ। ସେ ଯୁକ୍ତି ଦର୍ଶାଇଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଲକ୍ଷଣ ହେଉଛି ସାମୁଦ୍ରିକ ପବନର ବେଗ ବଢ଼ିବା। ଗତ କିଛି ବର୍ଷ ହେଲା ଏହି ସାମୁଦ୍ରିକ ପବନର ବେଗ ଘଣ୍ଟାପ୍ରତି ୭.୨ କିମି ପର୍ଯ୍ୟନ୍ତ ବଢ଼ିଛି। କିନ୍ତୁ ଭୁବନେଶ୍ବରର ବଡ଼ ବଡ଼ ଅଟ୍ଟାଳିକା ଓ କଳକାରଖାନା ଯୋଗୁଁ ଏହି ପବନ ବହିବାରେ ବାଧକ ସାଜୁଛି। ସାଧାରଣ ଭାବେ ଶୀତ ଦିନେ ବଙ୍ଗୋପସାଗରୀୟ ପବନ ରାଜଧାନୀରେ ୭/୮ କିମି ବେଗରେ ବହିଥାଏ। ଖରା ଦିନେ ଝାଞ୍ଜି ପବନ ଯୋଗୁଁ ଏହାର ବେଗ ଆହୁରି ୭ କିମି ବଢ଼ିଯାଏ ଓ ୧୫ରୁ ୨୦ କିମି ବେଗରେ ବହୁଥାଏ। ଫଳରେ ଆମକୁ ଶୀତ ହେଉ ବା ଖରା ହେଉ ଅପରାହ୍ନ ଓ ସନ୍ଧ୍ୟା ସମୟରେ ଥଣ୍ଡା ଲାଗେ। କିନ୍ତୁ ଗତ କିଛି ବର୍ଷ ହେଲା ଏଥିରୁ ଆମେ ବଞ୍ଚିତ ରହୁଛେ। ଏହାର ମୁଖ୍ୟ କାରଣ ହେଉଛି ଭୁଲ ଟାଉନ୍ ପ୍ଲାନିଂ। ସାମୁଦ୍ରିକ ପବନ ଛଡ଼ା ରାଜ୍ୟକୁ ବର୍ଷ ସାରା ଉତ୍ତର-ପଶ୍ଚିମ ରାଜସ୍ଥାନରୁ ପଶ୍ଚିମା ପବନ ପ୍ରବାହିତ ହୋଇଥାଏ। ପଶ୍ଚିମା ପବନ ଯୋଗୁଁ ରାଜ୍ୟରେ ଗରମ ବଢ଼ିଲେ ବି ବଙ୍ଗୋପସାଗରୀୟ ପବନ ଏହାକୁ ଅଟକାଇ ଥାଏ। କିନ୍ତୁ ଉପକୂଳରେ ବରାଟ ବଡ଼ ବଡ଼ ଅଟାଳିକା ବିନା ଯୋଜନାରେ ହେବା ଫଳରେ ବଙ୍ଗୋପସାଗରୀୟ ପବନ ଆସିବାରେ ବାଧା ସୃଷ୍ଟି ହେଉଛି। ଭୁବନେଶ୍ବରର ଚତୁର୍ଦିଗରେ ଅଟ୍ଟାଳିକା ହେବା ଫଳରେ ଏବେ ଏହା ଏକ ଗୁମ୍ଫା ଭଳି ହୋଇଯାଇଛି। ବାହାରର ପବନ ଭିତରକୁ ଅଧିକ ଅସିପାରୁନାହିଁ କି ଭିତରର ପବନ ବାହାରକୁ ପ୍ରବାହିତ ହୋଇପାରୁନାହିଁ। ଫଳରେ ସହରର ଗରମ ପବନ ଉର୍ଧ୍ବଗାମୀ ହୋଇ ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିବା ସହ ଆମେ ଅଣନିଶ୍ବାସୀ ହୋଇପଡ଼ୁଛୁ।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ସମୁଦ୍ରର ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ସମୁଦ୍ର ଆଉ ଗୁରୁଚାପ ଅବସ୍ଥାରେ ରହୁନାହିଁ। ଆଗରୁ ଖରା ଦିନେ ସମୁଦ୍ରରେ ଗୁରୁଚାପ ଓ ଶୀତ ଦିନେ ଲଘୁଚାପରେ ରହୁଥିଲା। ଖରା ଦିନେ ଗୁରୁଚାପ ରହିଲେ ସମୁଦ୍ରର ପବନ ସ୍ଥଳ ଭାଗକୁ ଆସୁଥିଲା ଓ ଭୁବନେଶ୍ବର ତଥା ସଂଲଗ୍ନ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେଉଥିଲା। କିନ୍ତୁ ଏବେ ସମୁଦ୍ରର ତାପମାତ୍ରା ବଢ଼ିବା ଫଳରେ ଏହା ଲଘୁଚାପରେ ରହୁଛି ଓ ସ୍ଥଳ ଭାଗର ପବନ ସମୁଦ୍ର ଆଡ଼କୁ ଚାଲିଯାଉଛି। ଫଳରେ ଆମେ ଗରମରେ ଅଣନିଶ୍ବାସୀ ହୋଇପଡ଼ୁଛି। ଅନ୍ୟପଟେ ଉତ୍ତର ପଶ୍ଚିମରୁ ଗରମ ପବନ ପ୍ରବାହିତ ହୋଇ ତାହା ସମୁଦ୍ର ଆଡ଼କୁ ଯାଉଛି। ସମୁଦ୍ର ବି ତାହାକୁ ଗ୍ରହଣ କରି ଗଚ୍ଛିତ କରି ରଖୁଛି। ଫଳରେ ଖରା ଦିନେ ମେ’ ମାସରେ ବି ବଡ଼ ବଡ଼ ବାତ୍ୟା ସୃଷ୍ଟି ହେଉଛି।
ବ୍ୟାପକ ବୃକ୍ଷରୋପଣ ସହରର ଜଳବାୟୁକୁ ଠିକ୍ ରଖିବାରେ କିଛି ମାତ୍ରାରେ ସହାୟ ହୋଇପାରନ୍ତା। ସହରରେ ଯେ ସବୁଜିମା ନାହିଁ ତାହା ନୁହେଁ। କିନ୍ତୁ ଯେତିକି ଆବଶ୍ୟକ ତାହାର ଅଭାବ ରହିଛି। ଯେତିକି ଅଛି ତାହାକୁ ଭଲ ଭାବେ ରକ୍ଷଣାବେକ୍ଷଣ କରିବା ସହ ଅଧିକରୁ ଅଧିକ ସବୁଜିମା ସୃଷ୍ଟି କରିବାର ଆବଶ୍ୟକତା ରହିଛି। କିନ୍ତୁ ସରକାରୀ ବାବୁମାନେ ଏକାମ୍ର କାନନ ଫାର୍ମ ପରି ଜଙ୍ଗଲ ଉଦ୍ଦେଶ୍ୟରେ ଥିବା ଜମିକୁ କଂକ୍ରିଟ୍ ଜଙ୍ଗଲରେ ପରିଣତ କରିବାର ଆସ୍ପର୍ଦ୍ଧା କରି ସହରକୁ ଆହୁରି ବିପଦ ମୁହଁକୁ ଠେଲି ଦେଉଛନ୍ତି।