ବାଣ୍ଟିଲେ ପୋକରା ଚାଉଳ, ହିତାଧିକାରୀଙ୍କ ପ୍ରତିବାଦରୁ ଉତ୍ତେଜନା

ଚିଲିକା: ସରକାର ଅଭାବୀ ଜନସାଧାରଣଙ୍କ ନିମନ୍ତେ ଅନେକ ଜନ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି। ସେଥି ମଧ୍ୟ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ହେଉଛି ଅନ୍ୟତମ। ଏହି ଯୋଜନାର ହିତାଧିକାରୀ ଲୋକେ ଦୁଇ ଓଳି ଦୁଇ ମୁଠା ଖାଇଵାକୁ ପାଇ ପାରୁଛନ୍ତି । ସେଥିପାଇଁ ରାଜ୍ୟ ସରକାର କୋରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ମାଗଣାରେ ଚାଉଳ ଦେବାକୁ ଭୁଲୁନାହାନ୍ତି। ଚଳିତ ମାସରେ ରାଜ୍ୟ ସରକାର ଖାଉଟି କାର୍ଡଧାରୀ ମାନଙ୍କୁ ୪ ମାସର ଚାଉଳ ମାଗଣାରେ ଯୋଗାଇ ଦେଉଛନ୍ତି। ହେଲେ ମାଗଣା ଚାଉଳର ଫାଇଦା ଗରୀବ ଜନସାଧାରଣଙ୍କୁ ଠିକଣା ଭାବେ ପ୍ରଦାନ କରିବା ପରିବର୍ତ୍ତେ କେତେକ ଅଂଚଳରେ ଖାଦ୍ୟ ଯୋଗାଣରେ ସଂପୃକ୍ତ ରହୁଥିବା ବ୍ୟକ୍ତି ମାନେ ତାହାର ଫାଇଦା ଉଠାଇବାକୁ ଭୁଲୁନାହାନ୍ତି, ଯାହାକି ଦେଖୁବାକୁ ମିଳିଛି ଆଜି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ମାନସିଂପୁର ପଂଚାୟତର ଵରୁଣପଡା ଗ୍ରାମରେ।

ସୂଚନା ମୁତାବକ ଚିଲିକା ବ୍ଲକର ମାନସିଂହପୁର ପଞ୍ଚାୟତ ଅଧୀନ ବରୁଣପଡା ଗ୍ରାମରେ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ଚାଉଳ ବାଣ୍ଟିବା ପାଇଁ ପଂଚାୟତ ପକ୍ଷରୁ ପ୍ରଚାର କରାଯାଇଥିଲା। ବରୁଣପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଉଳ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହିତାଧିକାରୀ ଚାଉଳ ନେବାକୁ ଧାଡି ଲଗାଇଥିଲେ। ଯୋଗାଣ ସହାୟକ ବି ଚାଉଳ ବାଣ୍ଟି ଚାଲିଲେ ପୁରା ଦମରେ। ଯେହେତୁ ୪ ମାସର ମାଗଣା ଚାଉଳ ଦିଆଯାଉଥିଲା ତେଣୁ ଚାଉଳ ଅଖାରେ ପୋକରା ପୋକ ସାଲୁବାଲୁ ଚାଉଳ ଢାଳି ତା’ପରେ ଭଲ ଚାଉଳ ଢାଳି ବସ୍ତାକୁ ବାନ୍ଧି ଦେଉଥିଲେ।

ତେବେ ସେହି ଗ୍ରାମର ଜଣେ କାର୍ଡଧାରୀ ସେହି ଚାଉଳରେ ପୋକ ସାଲୁ ବାଲୁ ଥିବା ଦେଖିବାରୁ ଘଟଣାସ୍ଥଳରେ ଅଭିଯୋଗ କଲେ ଯୋଗାଣ ସହାୟକ ମଧ୍ୟ୍ୟ ତାଙ୍କ ସରକାରୀ ବାବୁ ଠାଣି ଦେଖାଇଲେ। ହୋ ହାଲା ସହ ପ୍ରବଳ ଯୁକ୍ତି ତର୍କ ହେବାରୁ ଯୋଗାଣ ସହାୟକ ପୁନର୍ବାର ସେହି ଚାଉଳକୁ ବଦାଳାଇଵାକୁ ବାଧ୍ୟ୍ୟ ହୋଇଥିଲେ। ପଚାରିବାରୁ ଯୋଗାଣ ସହାୟକ ସୁକାନ୍ତ ବେହେରା କହିଲେ ସବୁ ଠିକ୍ ଅଛି। ତେଣୁ ବ୍ଲକ ପ୍ରଶାସନ ସହ ଜିଲା ପ୍ରଶାସନ ଦ୍ରୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏବାବଦରେ କିଛି ହିତାଧିକାରୀଙ୍କ ସମେତ ଏହି ପ୍ରତିନିଧି ଚିଲିକା ବ୍ଲକର ବିଡ଼ିଓ ସୁଷମା ବାରିକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ରହି ଥିବା ପ୍ରକାଶ।

ସମ୍ବନ୍ଧିତ ଖବର