ମାଲକାନଗିରି: ଦୀପ ତଳ ଅନ୍ଧାର ଭଳି ମାଲାକନଗିରି ଜିଲ୍ଲା ସଦର ମହକୁମାକୁ ଲାଗି ରହିଥିବା ସତୀଗୁଡା ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଆଣ୍ଟୁଏ କାଦରେ ରାସ୍ତା କଦର୍ଯ୍ୟ ହୋଇପଡିଛି। ଫଳରେ ଏହି ରାସ୍ତା ଦେଇ ଯାନବାହାନ ଯିବା ଆସିବା କଷ୍ଟକର ହୋଇପଡିଛି। ଏପରିକି ଲୋକେ ଚାଲିକି ଯିବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି। ଲଗାଣ ବର୍ଷାରେ ଏଭଳି ଅବସ୍ଥା ହୋଇଥିବା କୁହାଯାଉଛି। ଏହି ରାସ୍ତା ବର୍ତ୍ତମାନ ନିର୍ମାଣଧୀନ ରହିଥିବା କୁହାଯାଇଛି। ଆଜି ଏହି ରାସ୍ତାରେ ଜଣେ ଗୁରୁତର ରୋଗୀକୁ ଗାଁରୁ ଆଣିବା ପାଇଁ ଯାଇଥିବା ବେଳେ ରାସ୍ତା ପାର ନକରିପାରି ବହୁ ଦୁରରେ ଅଟକି ରହିଥିଲା। ପରେ ପରିବାର ଲୋକେ ରୋଗୀକୁ ବୋହି ଆମ୍ବୁଲେନସ ପର୍ଯ୍ୟନ୍ତ ଆଣିଥିଲେ।ତେବେ ଏହି ସତୀଗୁଡା ଗ୍ରାମକୁ ଆଜି ବି ପକ୍କା ରାସ୍ତାଟିଏ ନାହିଁ।

Advertisment

ତେବେ ଦୁର୍ଗମ ଗାଁଗୁଡିକର ଅବସ୍ଥା କିପରି ଥିବା ସହଜରେ ଅନୁମେୟ। ତୁରନ୍ତ ରାସ୍ତା ମରାମତି କରାଯିବା ସହ ନୂତନ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୁରରେ ରହିଛି ସତୀଗୁଡା ଜଳଭଣ୍ଡାର। ଏଥିସହ ସତୀଗୁଡା ଇକୋ ପାର୍କ ରହିଛି। ପ୍ରତିଦିନ ଇକୋ ପାର୍କକୁ ଶତାଧିକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି। କିନ୍ତୁ ଏହି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିବା କୁହାଯାଇଛି। ସଂପୃକ୍ତ ବିଭାଗକୁ ବାରମ୍ବାର ରାସ୍ତା ମରାମତି ନେଇ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରାଯାଇଛି।