ରାଉରକେଲା: ସ୍ମାର୍ଟ ସିଟିରେ ଡାଇରିଆ ସଂକ୍ରମଣ ବ୍ୟାପିବାର ଆଜି ନବମ ଦିନରେ ପହଞ୍ଚିଛି। ତେବେ ସଂକ୍ରମଣ କମିବାର ନାଁ ନେଉନି। ଏବେବି ପ୍ରତିଦିନ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌) ସମେତ ଅନ୍ୟ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଅପରପକ୍ଷରେ ପାଣି ପାଇଁ ଯେ ସଂକ୍ରମଣ ଅଣାୟତ୍ତ ହୋଇଛି, ତାହା ସ୍ପଷ୍ଟ ହେଲାଣି। ବାସ୍ତବରେ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଆବଶ୍ୟକ ଦୃଷ୍ଟି ଦେଇ ବ୍ୟାପକ ପ୍ରତିଷେଧାତ୍ମକ ପଦକ୍ଷେପ ନିଆନଯିବା ହିଁ; ଅନିୟନ୍ତ୍ରିତ ହେବାର ମୁଖ୍ୟ କାରଣ ପାଲଟିଛି। ବାସ୍ତବରେ ବାତ୍ୟା ଜନିତ ଅଦିନିଆ ବର୍ଷା ହେବା ପରଠାରୁ ବିଭିନ୍ନ ଅଞ୍ଚଳରେ ଗୋଳିଆ, ଅଳିଆଆବର୍ଜନା ତଥା ଦୁର୍ଗନ୍ଧଯୁକ୍ତ ପାଣି ଯୋଗାଣ ହୋଇଥିଲା।
Advertisment
ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାତ୍ୟା ଜନିତ ବର୍ଷା ହୋଇଥିଲା। ଏହି କ୍ରମରେ ସହରରେ ଲଗାତାର ତିନିଦିନ ବର୍ଷା ହୋଇଥିଲା। ଡିସେମ୍ବର ୬ ତାରିଖରେ ୨ ମିଲିମିଟର ବର୍ଷା ହୋଇଥିବାବେଳେ ୭ ତାରିଖରେ ୩.୨ ମିଲିମିଟର ବର୍ଷା ଓ ୮ ତାରିଖରେ ୨.୯ ମିଲିମିଟର ବର୍ଷା ହୋଇଥିଲା। ଲଗାଣ ତିନିଦିନ ବର୍ଷାପରେ, ଅର୍ଥାତ୍‌ ୯ ତାରିଖରେ ବିଭିନ୍ନ ଅଞ୍ଚଳରେ ପାଇପ୍‌ ଯୋଗ‌େ ଦୂଷିତ ପାଣି ଆସିଥିଲା। ଏମିତିକି ୱାଟ୍‌କୋ ପକ୍ଷରୁ ଯୋଗାଣ ହେଉଥିବା ପାଇପ୍‌ ପାଣି ବ୍ୟବହାରଯୋଗ୍ୟ ବି ନଥିଲା। ସମ୍ଭବତଃ ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟିବାରୁ ସେଥିରେ ଅଳିଆଆବର୍ଜନଯୁକ୍ତ ପାଣି ମିଶିବା, ତଥା ଡ୍ରେନ୍‌ ଉପରେ ଓ ଭିତରେ ଯାଇଥିବା ପାଣିରେ କର୍ଦ୍ଦମାଯୁକ୍ତ ପାଣି ମିଶିବା ଯୋଗୁଁ ପାଇପ୍‌ ଯୋଗେ ଦୂଷିତ ପାଣି ଯୋଗାଣ ହୋଇଥିଲା। ଜନସାଧାରଣ ଉକ୍ତ ପାନୀୟ ଜଳକୁ ପିଇବା ବଦଳରେ ଶୌଚ, ଗାଧେଇବାରେ ବ୍ୟବହାର କରିଥିଲେ। ବ୍ୟକ୍ତିଗତଭାବେ ପାଣି ବେପାରିଙ୍କଠାରୁ କିଣିଥିବା ପାଣି ତଥା ନଳକୂପ ପାଣିକୁ ପିଇ ଚଳୁଥିଲେ।
publive-image
ବିଶେଷକରି ଗୋପବନ୍ଧୁପାଲି, ଟିମ୍ବରକଲୋନି ଓ ଆଖପାଖ ବସ୍ତିର ଲୋକେ ପାଣି ବ୍ୟବସାୟୀଙ୍କଠାରୁ ମାସିକ ୩ ଶହ ଟଙ୍କା ଦେଇ କିଣୁଥିବା ପାଣିକୁ ବ୍ୟବହାର କରିଥିବା ସୂଚନା ଦେଇଛନ୍ତି। ତେବେ ଆର୍ଥିକ ଅନଟନରେ ଗତି କରୁଥିବା ଶତାଧିକ ପରିବାର କିନ୍ତୁ ଦୂଷିତ ପାଣିକୁ ଅନିଚ୍ଛାସତ୍ତ୍ବେ ବ୍ୟବହାର କରିଥିଲେ। ଉକ୍ତ ପାଣିକୁ ପିଇ ପରିବାର ସଦସ୍ୟଙ୍କ ପେଟ ବ୍ୟଥା ସହ ଝାଡ଼ାବାନ୍ତି ବି ହୋଇଥିଲା। ତେବେ ପାଣି ଯୋଗୁଁ ରୋଗାଗ୍ରସ୍ତ ହୋଇଥିବା ନେଇ ଜାଣି ବି ପାରିନଥିଲେ। କେବଳ ଏହି ଦୁଇ ବସ୍ତି ନୁହେଁ; ବରଂ ଛେଣ୍ଡ୍‌, ବାସନ୍ତୀକଲୋନି, କଳିଙ୍ଗବିହାର, ପାନପୋଷ, ଉଦିତନଗର, ରେଲୱେ କଲୋନି, ଇନ୍ଦିରାନଗର ବସ୍ତି, ବିବେକାନନ୍ଦ ବସ୍ତି, ବଙ୍ଗାଳିପଡ଼ା, ମହାବୀର ବସ୍ତି, ମଧୁସୂଦନପାଲି, ଆନନ୍ଦଧାମ ବସ୍ତି, ଅମରନାଥ ବସ୍ତି, ସୁନାର ବସ୍ତି, ମାଲଗୋଦାମ, ଓରାମପଡ଼ା, ବାଲୁଘାଟ ଆଦି ବିଭିନ୍ନ ଅଞ୍ଚଳରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ସହରର ୩୬ଟି ସ୍ଥାନରେ ପାଣି ପାଇପ୍‌ ଫାଟିଥିଲା। ଅବଶ୍ୟ, ଏହି ପାଇପ୍‌କୁ ଏବେ ମରାମତି କରାଯାଇଥିବାବେଳେ ଏଥର ବିଶୁଦ୍ଧ ପାଣି ଯୋଗାଣ ଆଶା ସଞ୍ଚାର ହୋଇଛି। ତେବେ ଏପର୍ଯ୍ୟନ୍ତ ଦୂଷିତ ପାଣିପାଇବାରୁ ବଞ୍ଚିତ ବସ୍ତିବାସୀଙ୍କ ମନରେ ସମ୍ଭାବ୍ୟ ଡାଇରିଆ ସଂକ୍ରମଣ ଆଶଙ୍କା ଦୂର ହୋଇନି।
ବସ୍ତିବାସୀଙ୍କ ମୁହଁରୁ...
‘ପୂର୍ବରୁ ବେଳେବେଳେ ଗୋଳିଆ ପାଣି ଆସୁଥିଲା; କିନ୍ତୁ ଗତ ଦୁଇ ସପ୍ତାହ ହେଲା ବର୍ଷା ପରଠାରୁ ପ୍ରତିଦିନ ଗୋଳିଆ ପାଣି ଆସୁଛି। ଏନେଇ କାହାକୁ ଅଭିଯୋଗ କରିବୁ, ଆମେ ଜାଣିପାରୁନୁ। ଏବେ ଡାଇରିଆ ବ୍ୟାପିବାପରେ ପରିବାରବର୍ଗ ଭୟଭିତ ହୋଇପଡ଼ିଛନ୍ତି। ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଦିଆଯାଉ।’
ନରୋତ୍ତମ ସାହୁ, ଟିମ୍ବର କଲୋନି
‘ଗୋଳିଆ, ଦୁର୍ଗନ୍ଧଯୁକ୍ତ ପାଣି ଯୋଗାଣ ଏବେ ନିତିଦିନିଆ ହେଲାଣି। ବିଶେଷକରି ବର୍ଷା ପରଠାରୁ ସ୍ଥିତି ବିଗିଡ଼ିଛି। ଏଡାକୁ ବ୍ୟବହାର କରି ଲୋକଙ୍କୁ ଝାଡ଼ାବାନ୍ତି ହେଉଛି। ଆମ ଘର ପାଖରେ ରହୁଥିବା ୨ଟି ପରିବାରର ୪ ଜଣ ସଂକ୍ରମିତ ହୋଇଛି। ସମସ୍ତେ ଏବେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସଂକ୍ରମଣ ଯୋଗୁଁ ପୁରା ପରିବାର ଦୁଶ୍ଚିନ୍ତା ଦିନ କାଟୁଛୁ।’
କୁନି ମଲ୍ଲିକ, ନେପାଳି ପଡ଼ା
‘ଆମ ଅଞ୍ଚଳରେ ପିଇବା ପାଣିର କୌଣସି ବିକଳ୍ପ ନାହିଁ। ଦିନକୁ ଥରୁଟିଏ ୧୦/୧୫ ମିନିଟ ପାଇଁ ଆସୁଥିବା ପାଇପ୍‌ ପାଣି ଉପରେ ନିର୍ଭରଶୀଳ। ତେବେ ଯେଉଁ ପାଇପ୍‌ ପାଣି ଆସୁଛି, ତାହା ବ୍ୟବହାର ଉପଯୋଗୀ ନୁହେଁ। ଏବେ ସହରସାରା ଡାଇରିଆ ଆତଙ୍କ ଖେଳାଇଛି। ଦୁର୍ଭାଗ୍ୟ, ଆଜି ପର୍ଯ୍ୟନ୍ତ ରାଉରକେଲା ମହାନଗର ନିଗମର ଜଣେ ବି ଅଧିକାରୀ, କର୍ମଚାରୀଙ୍କ ପାଦ ଆମ ବସ୍ତିରେ ପଡ଼ିନି।’
ସନ୍ଦୀପ ଶାହା, ଖଟାଲ ବସ୍ତି
‘ଯେଉଁମାନେ ବେସରକାରୀଭାବେ ବ୍ୟବସାୟୀଙ୍କଠାରୁ ପାଣି କିଣୁଛନ୍ତି; ସେମାନେ କିଛି ମାତ୍ରାରେ ଭଲ ପାଣି ପାଉଛନ୍ତି। ତେବେ ଯେଉଁମାନେ କେବଳ ପାଇପ୍‌ ପାଣି ଉପରେ ଭରସା କରିଛନ୍ତି, ସେମାନଙ୍କୁ ଦୁଃଖ ସରୁନି। ନିୟମିତଭାବେ ଦୂଷିତ ପାଣି ଯୋଗାଣ ହେଉଛି। ଏହି ସମସ୍ୟା ନେଇ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ ବି କରାଯାଇଥିଲା, କିନ୍ତୁ ଏଯାଏ କୌଣସି ସୁଫଳ ମିଳିଲାନି।
ସୁଦର୍ଶନ ସାହୁ, ଟିମ୍ବରକଲୋନି