ଭୁବନେଶ୍ବର: ପ୍ରଶ୍ନ ପଚାରିବାରୁ ରକ୍ତମୁଖା ହୋଇପଡ଼ିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍। ପୂରା ସରକାର ଓ ପ୍ରଶାସନିକ କଳକୁ ଉଠ୍ବସ୍ କରୁଥିବା ଏହି ତାମିଲ୍ ସଚିବ ଜଣକ ଏବେ ଓଡ଼ିଆ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ତାଙ୍କର ‘ଛାୟା ସରକାର’ ବ୍ୟବସ୍ଥାର ପର୍ଦ୍ଦାଫାସ କରିବା ପରେ ‘ସମ୍ବାଦ’ ପଛରେ ପୂରା ସରକାରୀ କଳକୁ ଲଗାଇ ଦେଇଛନ୍ତି। ଆକ୍ରୋଶମୂଳକ ଭାବେ ମିଛ ମାମଲା କରି ‘ସମ୍ବାଦ ଭବନ’ରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ର ଅଧିକାରୀଙ୍କୁ ପୂରାଇ ସ୍ବର ଦବାଇଦେବାକୁ ଜୋର୍ଦାର ଉଦ୍ୟମ ଆରମ୍ଭ ହୋଇଛି। ଏହାକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯିବା ସହ ୨୪ ବର୍ଷର ନବୀନ ପଟ୍ଟନାୟକ ସରକାରରେ ଆଜି କଳା ଇତିହାସ ଲେଖାଯାଇଛି ବୋଲି ମତପ୍ରକାଶ ପାଇଛି।
ଗତ କିଛି ମାସରେ ରାଜ୍ୟ ଶାସନ ବ୍ୟବସ୍ଥାରେ ବିରାଟ ବିଭ୍ରାଟ ଦେଖାଦେଇଛି। ‘ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ’ ବୋଲି ଏକ ଘୋଷା ଧାଡ଼ିକୁ ବ୍ୟବହାର କରି ୫-ଟି ସଚିବ ଭି କେ ପାଣ୍ଡିଆନ୍ ଅଭିଯୋଗ ଶୁଣାଣି ନାଁରେ ସାରା ରାଜ୍ୟ ବୁଲୁଛନ୍ତି। ସବୁଠି ମନ୍ତ୍ରୀ, ବିଧାୟକମାନେ ଆୟୋଜନ କରୁଛନ୍ତି ଓ ୫-ଟି ସଚିବ ମଞ୍ଚରେ ଏକା ଠିଆ ହୋଇ ଭାଷଣ ଦେଉଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ସରକାରୀ ଅଧିକାରୀଙ୍କ ପାଇଁ ଏମିତି ବ୍ୟୟବହୁଳ ଆୟୋଜନର ବିରଳ ଦୃଶ୍ୟ କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳୁଛି। ଏମିତି କାର୍ଯ୍ୟକ୍ରମ ଓ ଅଭିଯୋଗ ଶୁଣାଣିର ଯଥାର୍ଥତା ନେଇ ‘ସମ୍ପାଦକୀୟ’ ମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ସିଧାସଳଖ ପଚାରିଥିଲେ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ କାହିଁକି ନଷ୍ଟ କରାଯାଉଛି? ସଚିବ ବଡ଼ ନା ମନ୍ତ୍ରୀ/ବିଧାୟକ? ‘ସମ୍ବାଦ’ରେ ଏହା ବି ପଚରାଯାଇଥିଲା, ପାଣ୍ଡିଆନ୍ଙ୍କ ହେଲିକପ୍ଟର୍ ଖର୍ଚ୍ଚ କିଏ ଦେଉଛି?
ରକ୍ତମୁଖା ସଚିବଙ୍କ କଥାରେ ଉଠ୍ବସ୍ ନବୀନ ସରକାର
ପ୍ରଶ୍ନ ପଚାରିବାରୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ
ଗଣମାଧ୍ୟମର କଣ୍ଠରୋଧ ପାଇଁ ଲାଗିପଡ଼ିଛି ସରକାରୀ କଳ
ସୌମ୍ୟରଞ୍ଜନଙ୍କ ପ୍ରଶ୍ନର ଉତ୍ତର ଏ ଯାଏ ନା ୫-ଟି ସଚିବ ଦେଉଛନ୍ତି ନା ଶାସକ ଦଳ। କିନ୍ତୁ ‘ସମ୍ବାଦ’ର ସ୍ବର ଚାପିଦେବା ପାଇଁ ପୂରା ସରକାରୀ କଳକୁ ଲଗାଇ ଦିଆଯାଇଛି। ଗତ ତିନି ଦିନ ହେଲା ସରକାରୀ କଳ, ବଳ, କୌଶଳ ‘ସମ୍ବାଦ’ ପଛରେ ପଡ଼ିଯାଇଛି। ୫-ଟି ସଚିବଙ୍କ ପାଖ ଲୋକଙ୍କ ମାଲିକାନାରେ ଥିବା ଖବରକାଗଜ ‘ସକାଳ’ର ଜଣେ କର୍ମଚାରୀଙ୍କୁ ଲଗାଇ ଇଓଡବ୍ଲ୍ୟୁରେ ଏତଲା ଦିଆଗଲା। ୧୪ ବର୍ଷ ତଳେ ସଂପୃକ୍ତ କର୍ମଚାରୀ ବ୍ୟାଙ୍କରୁ
ଉଠାଇଥିବା ଏକ ଋଣକୁ(ଯାହା କି ସୁଝାସରିଛି) ନେଇ ଏହି ମାମଲା କରାଯାଇଛି। ଏହି ମାମଲାକୁ ଭିତ୍ତି କରି ଗତକାଲି ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ଇଓଡବ୍ଲ୍ୟୁକୁ ଡାକି ପଚରା ଉଚୁରା କରାଯାଇଥିଲା। ଆଜି ସିଧାସଳଖ ୧୧ ଜଣ ଇଓଡବ୍ଲ୍ୟୁ ଅଧିକାରୀ ‘ସମ୍ବାଦ ଭବନ’ରେ ପହଞ୍ଚିଥିଲେ। ‘ସମ୍ବାଦ’ର ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ପଚରାଉଚରା କରିଥିଲେ। ପାଖାପାଖି ୭ ଘଣ୍ଟା ଧରି ଏହି ଅଧିକାରୀମାନେ ‘ସମ୍ବାଦ ଭବନ’ରେ ରହିଥିଲେ। ଶ୍ରୀମତୀ କର ତଦନ୍ତରେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଇଓଡବ୍ଲ୍ୟୁ ଅଧିକାରୀମାନେ ଯାହା କାଗଜପତ୍ର ମାଗିଥିଲେ ତାହା ଯୋଗାଇ ଦିଆଯାଇଥିଲା। ଆଜି ‘ସମ୍ବାଦ’ର ସିଓଓଙ୍କୁ ମଧ୍ୟ ଇଓଡବ୍ଲ୍ୟୁ କାର୍ଯ୍ୟାଳୟକୁ ଡକାଯାଇ ପଚରାଉଚରା କରାଯାଇଥିଲା।
ଇଓଡ଼ବ୍ଲ୍ୟୁର କାର୍ଯ୍ୟାନୁଷ୍ଠାନ ଯେ ଆଦୌ ଏକ ସ୍ବାଭାବିକ ପ୍ରକ୍ରିୟା ନୁହେଁ, ତାହା ବୁଝିବାକୁ ବାକିନାହିଁ। ରାଜ୍ୟ ସରକାର ବିଶେଷ କରି ଛାୟା ସରକାର ଚଳାଉଥିବା ଜଣେ ସଚିବ ଓ ତାଙ୍କ କାର୍ପଟ୍ଦାରମାନଙ୍କ ଏହା ଯେ ଏକ ଆକ୍ରୋଶମୂଳକ ପଦକ୍ଷେପ, ତାହା ମଧ୍ୟ ରାଜ୍ୟବାସୀ ସ୍ପଷ୍ଟ ହୋଇସାରିଲେଣି। କାରଣ ‘ସମ୍ବାଦ’ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୁହଁ ବନ୍ଦ କରିବା ପାଇଁ ଗୋଟିଏ ପରେ ଗୋଟିଏ ଚାପ କୌଶଳ ଏହି ଗୋଷ୍ଠୀ ଆପଣାଉଛନ୍ତି। ପ୍ରଥମେ ‘ସମ୍ବାଦ’କୁ ସରକାରୀ ବିଜ୍ଞାପନ ବନ୍ଦ କରିଥିଲେ। ବିଭିନ୍ନ ଘରୋଇ ସଂସ୍ଥାକୁ ମଧ୍ୟ ପ୍ରଭାବିତ କରି ବିଜ୍ଞାପନ ନ ଦେବାକୁ କହିଥିଲେ। ଏହାପରେ ବିଜେଡିର ଉପସଭାପତି ପଦରୁ ସୌମ୍ୟରଞ୍ଜନଙ୍କୁ ବିଦା କରିଥିଲେ। ସେତିକିରେ ଶାନ୍ତ ନହୋଇ ତାଙ୍କ ସମ୍ପର୍କୀୟଙ୍କ ସଂସ୍ଥା ଜେଡ୍ ଇଷ୍ଟେଟ୍ ବିରୋଧରେ ଇଓଡ଼ବ୍ଲ୍ୟୁରେ ମାମଲା କରାଇଥିଲେ। ତାହା ପରେ ମାନସିକ ଓ ଆର୍ଥିକ ଚାପ ପକାଇବାକୁ ସିଧାସଳଖ ମିଛ ମାମଲାରେ ‘ସମ୍ବାଦ’ ଓ ସମ୍ପାଦକଙ୍କୁ ଫସାଇବାକୁ ଶେଷ ଉଦ୍ୟମ ଚାଲିଛି। ମିଛ ମାମଲା ସଂଖ୍ୟା ବଢ଼ାଇବାକୁ ସଂପୃକ୍ତ ସଚିବଙ୍କ ବଚସ୍କରମାନେ ଅଧିକ ଲୋକ ଯୋଗାଡ଼ କରୁଥିବା ସୂଚନା ମିଳିଛି।
ଏହି ଅଣଓଡ଼ିଆ ସଚିବଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇଥିଲେ ବି କେହି ମୁହଁ ଖୋଲୁନାହାନ୍ତି। ଓଡ଼ିଆମାନଙ୍କ ସ୍ବରକୁ ଚାପି ଦେବାକୁ ସବୁ ଆଡ଼ୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଏହି ସଚିବ ଓ ତାଙ୍କ ଚେଲାଚାମୁଣ୍ଡାମାନେ। ସୌମ୍ୟରଞ୍ଜନ ଓଡ଼ିଶା ଓ ଓଡ଼ିଆଙ୍କ ସ୍ବାଭିମାନର କଥା ଏବଂ ଗଣତନ୍ତ୍ରର ସୁରକ୍ଷା କଥା ଉଠାଇଲା ବେଳକୁ ଏହି ଗୋଷ୍ଠୀ ଚିହିଁକି ଉଠୁଛନ୍ତି। ନିଜକୁ ସର୍ବଶକ୍ତିମାନ ବୋଲି ପ୍ରମାଣିତ କରିବାକୁ କ୍ଷମତାର ଦୁରୁପଯୋଗ ପାଇଁ ସଚିବ ଜଣଙ୍କ କେତେ ନିମ୍ନ ସ୍ତରକୁ ଖସିପାରନ୍ତି, ଆଜିର କାର୍ଯ୍ୟାନୁଷ୍ଠାନ ତାହାର ପ୍ରମାଣ ବୋଲି ମତପ୍ରକାଶ ପାଇଛି।