ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ଲେଖକ ଯଦୁନାଥ ଦାସମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ହୋଇ ସମ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ହସ୍ପିଟାଲ୍‌ରେ ତାଙ୍କ ପରଲୋକ ହେଲା ପରେ ମରଶରୀରକୁ ଆଇଆର୍‌ସି ଭିଲେଜସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ୧୯୨୯ ମସିହା ମାର୍ଚ୍ଚ ମାସରେ ବାଲେଶ୍ୱର ଜିଲ୍ଲାର ସୋରୋର ନଦୀଗାଁର କୁଡ଼େଇ ଗ୍ରାମରେ ସ୍ୱର୍ଗତ ଦାସମହାପାତ୍ର ଜନ୍ମଗ୍ରହଣ କରିଥିଲେ। ନିଜ ଗ୍ରାମରେ ସ୍କୁଲ୍‌ ଶିକ୍ଷା ଶେଷ କଲା ପରେ ରେଭେନ୍ସାରୁ ସ୍ନାତକ, କୋଲକାତା ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକୋତ୍ତର କରିଥିଲେ। ସ୍ୱର୍ଗତ ଦାସମହାପାତ୍ର ଜଣେ ଆଇନଜୀବୀ ଭାବେ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସର ବିଭିନ୍ନ ପଦପଦବିରେ ରହିଥିଲେ। ୧୯୭୧ ମସିହାରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବେ ସେ ସୋରୋ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ପରେ ୧୯୭୪ ଓ ୧୯୮୫ ମସିହାରେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିଲେ। ୧୯୭୨ରୁ ୧୯୭୪ ମସିହା ଯାଏ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଳରେ ସେ ଅର୍ଥ ଓ ସଂସ୍କୃତି ବିଭାଗର ଉପମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୭୪ରୁ ୭୬ ନନ୍ଦିନୀ ଦେବୀ ତାଙ୍କୁ କ୍ୟାବିନେଟ୍‌ ପାହ୍ୟାକୁ ଉନ୍ନୀତ କରି ପର୍ଯ୍ୟଟନ, ସଂସ୍କୃତି, ଶିକ୍ଷା ଓ ଯୁବବ୍ୟାପାର ବିଭାଗ ଦେଇଥିଲେ। ପୁଣି ୧୯୮୫ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ଶିକ୍ଷା, ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଜଣେ ଲେଖକ ଭାବେ ମଧ୍ୟ ସ୍ୱର୍ଗତ ଦାସମହାପାତ୍ରଙ୍କ ସ୍ୱତନ୍ତ୍ର ପରିଚୟ ରହିଛି। ‘ଗ୍ରାମ୍ୟ ନଦୀର ତୀରେ’, ବିଭୀଷିକା’, ‘ପରଶମଣି’, ‘ସୂର୍ଯ୍ୟମନ୍ଦିର’, ‘ସଂଗ୍ରାମ’, ‘ଭୁଲିହୁଏନା’ ଓ ‘ସେତୁବନ୍ଧ’ ପରି ଅନେକ ପୁସ୍ତକ ସେ ରଚନା କରିଛନ୍ତି। ସେ କେନ୍ଦ୍ର ସାହିତ୍ୟ ଏକାଡେମି ଓ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ତାଙ୍କର ପୁସ୍ତକ ‘ଭୁଲିହୁଏନା’କୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ଆସନ୍ତାକାଲି ତାଙ୍କ ଗାଁରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହେବ ବୋଲି ପୁଅ ଡାକ୍ତର ବିଶ୍ୱଜିତ ଦାସମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର