ସମ୍ବଲପୁର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜନତା ପରିବାରର ପୁରୁଖା ସଦସ୍ୟ ସନାତନ ବିଶି (୭୯)ଙ୍କର ମଙ୍ଗଳବାର ସକାଳ ୬ଟାରେ ତାଙ୍କ ସମ୍ବଲପୁର ସହର ହୀରାକୁଦ କଲୋନିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଶେଷ ଶଯ୍ୟା ନିକଟରେ ପତ୍ନୀ ଯାଜ୍ଞସେନୀ, ପୁଅ ଆଶିଷ, ଝିଅ ନିବେଦିତା ଓ ପରିବାରବର୍ଗ ଉପସ୍ଥିତ ଥିଲେ। ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ, ବରିଷ୍ଠ ବିଜେଡି ନେତା ପ୍ରମୋଦ ରଥ, ଗୋକୁଳ ମେହେର, ଏମ୍ଡି ସନାଉଲ୍ଲା, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ଶିବୁ ଅଗ୍ରୱାଲ, ବରିଷ୍ଠ ସିପିଆଇ ନେତା ଅଶୋକ ବିଶି, ବରିଷ୍ଠ କଂଗ୍ରେସ ନେତା ସୁରେଶ୍ବର ମିଶ୍ର, ଜିଲ୍ଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ, ସଂପାଦକ ପ୍ରବୀଣ ସିଂହଦେଓ, ଜିଲ୍ଲା କ୍ରୀଡ଼ା ସଂଘ ସାଧାରଣ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ, ପୂର୍ବତନ ସଂପାଦକ ସାବିର ହୁସେନ୍, ଶତ୍ରୁଘନ୍ ଲାଲ ସାହା, ଅଶୋକ ବେରିହା, ସୁରେନ୍ଦ୍ର ନାୟକ, ସୁନ୍ଦରମଣି ବାରିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଲକ୍ଡାଉନ୍ କଟକଣା େଯାଗୁଁ ଅଧିକ ଲୋକ ଏକତ୍ର ହେବା ଉପରେ ପ୍ରତିବନ୍ଧକ ଥିବାରୁ ଅପେକ୍ଷାକୃତ କମ୍ ଲୋକ ତାଙ୍କ ଶବାଧାରରେ ସାମିଲ ହୋଇଥିଲେ। ଦିନ ୧୦ଟା ବେଳେ ସ୍ଥାନୀୟ ରାଜଘାଟଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ଆଶିଷ ମୁଖାଗ୍ନି ଦେଇଥିଲେ।
ପ୍ରଶାସନ ବା ପୁଲିସର କେହି ଆସିଲେ ନାହିଁ
ଜଣେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦଙ୍କର ଜିଲ୍ଲା ସଦର ମହକୁମାରେ ପରଲୋକ ହେବା ସତ୍ତ୍ବେ ତାଙ୍କୁ ଶେଷ ସମ୍ମାନ ଦେବା ପାଇଁ ଜିଲ୍ଲା ପ୍ରଶାସନର କେହି ନ ଆସିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଟେଲିଫୋନ୍ ଯୋଗେ ଖବର ଦିଆଯିବା ସତ୍ତ୍ବେ ଜିଲ୍ଲାପାଳ ଏବଂ ଏସ୍ପି ସମ୍ବଲପୁରରେ ଉପସ୍ଥିତ ଥାଇ ବି ଶେଷ ଦର୍ଶନ ପାଇଁ ଆସି ନଥିଲେ କିମ୍ବା କୌଣସି ଅଧିକାରୀଙ୍କୁ ପଠାଇ ନଥିଲେ। ତେଣୁ କରୋନା ପାଇଁ ବ୍ୟସ୍ତ ସରକାରୀ ଅଧିକାରୀ ମାନେ ଜଣେ ଜନନେତାଙ୍କୁ ସମ୍ମାନ ଦେବାର ସାମାନ୍ୟ ଔପଚାରିକତା ବି ଭୁଲିଗଲେ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ କହୁଥିବା ଶୁଣିବାକୁ ମିଳିଥିଲା।