ପୂର୍ବ ବିଧାୟକ ସଂଜୀବ ପାଇଁ ଅଡୁଆ ବଢ଼ିଲା: ଜାମିନ ଆବେଦନ ଶୁଣାଣିର ଦିନକ ଆଗରୁ ଆସିଲା ପୁଣି ୨ ଅଭିଯୋଗ

ଦେବଗଡ଼: ରେଙ୍ଗାଳି ବିସ୍ଥାପତଙ୍କ ୨୭ ଲକ୍ଷ ୧ ହଜାର ୮୪୮ ଟଙ୍କା ହଡ଼ପ ଅଭିଯୋଗରେ ଗତ ୧୦ ତାରିଖ ଦିନ ଇଓଡବ୍ଲୁ ଦ୍ୱାରା ଦେବଗଡ଼ର ପୂର୍ବ ବିଧାୟକ ସଂଜୀବ ପ୍ରଧାନ ଗିରଫ ହୋଇଥିଲେ। ବୁଧବାର ତାଙ୍କ ଜାମିନ ଆବେଦନର ପରବର୍ତ୍ତା ଶୁଣାଣି ଥିବା ବେଳେ ମଙ୍ଗଳବାର ପୁଣି ଦୁଇଟି ଅର୍ଥ ହଡ଼ପ ଅଭିଯୋଗ ଆସିବା ପରେ ଶ୍ରୀ ପ୍ରଧାନଙ୍କ ପାଇଁ ଅଡୁଆ ବଢ଼ି ଯାଇଛି। ମଙ୍ଗଳବାର ତାଙ୍କ ନାଁରେ ୧୫ ଲକ୍ଷ ୭୫ ହଜାର ୬୮ ଟଙ୍କା ହଡ଼ପ କରିଥିବା ନେଇ ଦୁଇଟି ଅଭିଯୋଗ ଆସିଥିବା ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ବି. ଗଙ୍ଗାଧର ପ୍ରକାଶ କରିଛନ୍ତି। ଅଭିଯୋଗଗୁଡ଼ିକ ପାଇବା ପରେ ତାହା ଇଓଡବ୍ଲୁ ନିକଟକୁ ଜିଲ୍ଲା ପୁଲିସ୍‌ ପକ୍ଷରୁ ପଠାଇ ଦିଆଯାଇଥିବା ଏସ୍‌ପି କହିଛନ୍ତି।

ପୁଲିସ୍‌ର ସୂଚନାନୁସାରେ ପ୍ରଥମ ଅଭିଯୋଗରେ ବାରକୋଟ ବ୍ଲକ ଭାଟସିଂ ଗାଁର ସ୍ୱର୍ଗତ କୃତାର୍ଥ ନାୟକ ନାଁରେ ଏଲ୍‌ଏ କେସ୍‌ ନଂ. ୪୭/୨୦୦୩ ଅନୁସାରେ ୩୦.୩.୨୦୦୭ରେ ୨,୫୯,୪୫୨ ଟଙ୍କା ଏବଂ ଏଲ୍‌ଏ କେସ୍‌ ନଂ. ୯/୨୦୦୮ରେ ୩୦.୩.୨୦୦୯ରେ ୧,୩୮,୭୮୬ ଟଙ୍କା ରେଙ୍ଗାଲି ବିସ୍ଥାପିତ କ୍ଷତିପୂରଣ ଅର୍ଥ ମିଳିଥିଲା ଓ ଉକ୍ତ ଟଙ୍କାଗୁଡ଼ିକ ପ୍ରସନ୍ନ ନାୟକ ନାମକ ଜଣେ ବ୍ୟକ୍ତି ଉଠାଇଥିବା ସରକାରୀ ତଥ୍ୟରେ ରହିଛି। ତେବେ ସ୍ୱର୍ଗତ କୃତାର୍ଥଙ୍କ ପ୍ରସନ୍ନ ନାୟକ ନାଁରେ କେହି ପୁତ୍ର ନ ଥିବା ବେଳେ ପୂର୍ବ ବିଧାୟକ ସଂଜୀବ ପ୍ରଧାନ ଚଞ୍ଚକତା କରି ଉକ୍ତ ନାଁରେ କୃତାର୍ଥଙ୍କ ପୁଅ ଦର୍ଶାଇ ଟଙ୍କାତକ ଉଠାଇଛନ୍ତି ଓ ଓକିଲ ବିଜୟ ପ୍ରଧାନ ତାଙ୍କୁ ଚିହ୍ନଟ ମଧ୍ୟ କରିଛନ୍ତି। ଏହା ସହିତ ସମସ୍ତ ଦସ୍ତଖତକୁ ନୋଟାରି ପ୍ରଦୀପ ଧଳ ଆଟେଷ୍ଟେଡ୍‌ କରିଥିବା ସରକାରୀ ଦସ୍ତାବେଜ୍‌ରୁ ଜଣାପଡ଼ିଛି ବୋଲି ଏସ୍‌ପି କହିଛନ୍ତି।

ସେହିପରି ଦ୍ୱିତୀୟ ଅଭିଯୋଗ ଅନୁସାରେ ରିଆମାଳ ବ୍ଲକ୍‌ ତାରଙ୍ଗ ପଞ୍ଚାୟତର ସ୍ୱପ୍ନେଶ୍ୱର ସାହୁ ବାପାଙ୍କ ମୃତ୍ୟୁ ପରେ ସତ୍ତ୍ୱାଧିକାରୀ ଭାବେ ତାଙ୍କ ଅଂଶ ପାଇବା କଥା। ମାତ୍ର ପୂର୍ବ ବିଧାୟକ ଶ୍ରୀ ପ୍ରଧାନ ଏଠାରେ ବି ଚଞ୍ଚକତା କରି ସ୍ୱପ୍ନେଶ୍ୱରଙ୍କ ସାଙ୍ଗିଆକୁ ସାହୁରୁ ଗଡ଼ନାୟକକୁ ବଦଳାଇଦେବା ସହ ସତ୍ତ୍ୱାଧିକାର ଅଂଶ ଥିବା ୧୧ ଲକ୍ଷ ୭୬ ହଜାର ୮୩୦ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଗାଁରେ ସ୍ୱପ୍ନେଶ୍ୱର ଗଡ଼ନାୟକ ବୋଲି କେହି ବ୍ୟକ୍ତି ନଥିବା ବେଳେ ଶ୍ରୀ ପ୍ରଧାନ କିଭଳି ଟଙ୍କା ଉଠାଇ ନେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିକି ନୁହେଁ ଗତ ୧୯୮୯ରେ ସ୍ୱପ୍ନେଶ୍ୱରଙ୍କ ବଡ଼ ଭାଇ ଶରତ ସାହୁଙ୍କ ମୃତ୍ୟୁ ହୋଇଥିବା ତାଙ୍କ ନାଁରେ ବି ୨୦୦୮ରେ ୭ ଲକ୍ଷ ୬୯ ହଜାର ଟଙ୍କା ଇସ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ବି ଓକିଲ ବିଜୟ ପ୍ରଧାନ ତାଙ୍କୁ ଚିହ୍ନଟ କରିଥିବା ଓ ନୋଟାରି ପ୍ରଦୀପ ଧଳ ଦସ୍ତଖତ ଆଟେଷ୍ଟେଡ୍‌ କରିଥିବା ଦସ୍ତାବେଜ୍‌ରୁ ଜଣାପଡ଼ିଛି। ଉଭୟ ଘଟଣାରେ ଓକିଲ ବିଜୟ ପ୍ରଧାନ ଓ ନୋଟାରୀ ପ୍ରଦୀପ ଧଳଙ୍କ ସିଧାସଳଖ ସଂପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଦେବୀ ପ୍ରସାଦ ଦାଶ, ଡିଏସ୍‌ପି ଆନ୍ଥୋନୀ ତିର୍କୀ, ଡିଏସ୍‌ପି ଜୟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର