ପୂର୍ବତନ ସାଂସଦ ମୋରିସଙ୍କ ପରଲୋକ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ପୂର୍ବତନ ସାଂସଦ ମୋରିସ କୁଜୁରଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ବରର ଏକ ବେସରକାରୀ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ଭୋର୍‌ ସମୟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଏକ ନିପଟ ମଫସଲ ଗାଁ କିଞ୍ଜିରକେଲା ନିକଟ ଭାଲୁମୁଣ୍ଡାର ଅନାମଧେୟ ଆଦିବାସୀ ପରିବାରରେ ୧୯୩୫ ନଭେମ୍ବର ୨ରେ ଜନ୍ମଗ୍ରହଣ କରିଥିଲେ ମୋରିସ। ଗାଁ ବିଦ୍ୟାଳୟରେ ଶିକ୍ଷକତା ଜୀବନରୁ ଆରମ୍ଭ ହୋଇଥିଲା ତାଙ୍କର କର୍ମନିଷ୍ଠ ଜୀବନ। ସେ କଂଗ୍ରେସ ଦଳରୁ ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନିଜ ବଡ଼ ପୁଅ ପ୍ରଭାତ କୁଜୁରଙ୍କ ପାଖରେ ସେ ଭୁବନେଶ୍ବରରେ ରହୁଥିଲେ। କିଛି ମାସ ତଳେ ପଡ଼ି ଯିବାରୁ ତାଙ୍କ ଅଣ୍ଟାରେ ଭୀଷଣ ଆଘାତ ଲାଗିଥିଲା। ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବର କିମ୍‌ସରେ ଚିକିତ୍ସିତ ହେଉଥିଲେ। ଆଜି ପ୍ରାତଃ ସାଢ଼େ ୩ଟ‌ାରେ ତାଙ୍କର ପରଲୋକ ହୋଇଯାଇଛି।

ମୋରିସ ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ସ୍ନାତକ ପଢ଼ିଥିଲେ। ପରେ କୋଲକାତାରେ ବିଏ ବିଟି ସାରି ସବଡେଗା ବ୍ଲକର ଗାଇବିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ତଳସରା ନିର୍ବାଚନ ବିଧାନସଭା ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ୧୯୮୪ରେ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଭାବେ ଠିଆ କରିଥିଲା କଂଗ୍ରେସ। ସେ ବିଜୟୀ ହୋଇଥିଲେ। ୧୯୯୬ରୁ ୨୦୦୨ ଯାଏ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୮ରେ ତାଙ୍କୁ କେନ୍ଦ୍ର ଅନୁସୂଚୀତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ସ୍ବର୍ଗତ କୁଜୁରଙ୍କ ପତ୍ନୀ ରଜନୀ କୁଜୁରଙ୍କ ୨ ବର୍ଷ ତଳେ ମୃତ୍ୟୁ ହୋଇଛି। ବଡ଼ ପୁଅ ପ୍ରଭାତ କୁଜୁର ଖୋର୍ଦ୍ଧା ଟ୍ରେଜେରି ଓ ସାନ ପୁଅ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ବଡ଼ ଝିଅ ନିର୍ମଳା ରାଜଗାଙ୍ଗପୁର ଓସିଏଲ୍‌ରେ ଓ ସାନ ଝିଅ ବିମଳା ଭୁବନେଶ୍ବର ଆର୍‌ଡି ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି।
ପିସିସି ସଭାପତିଙ୍କ ଶୋକ ମୋରିସ କୁଜୁରଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ତାଙ୍କର ଜନସେବା ଯୋଗୁଁ ସେ ଲୋକଙ୍କ ପାଖରେ ସବୁଦିନ ମନେ ରହିବେ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତ‌ାରେ କହିଛନ୍ତି।

ସମ୍ବନ୍ଧିତ ଖବର