ଭିମ୍‌ସାରରେ ଏକ୍ସ-ରେ’ ପାଇଁ ଶିଶୁରୋଗୀ ହଟହଟା

ଷ୍ଟ୍ରେଚର୍‌ ମିଳିଲାନି, ୩ ଘଣ୍ଟା ତଳେ ପଡ଼ିରହିଲେ

ସମ୍ବଲପୁର: ବୁର୍ଲା ବଡ଼ଡାକ୍ତରଖାନାରେ ଏକ୍ସ-ରେ’ ପାଇଁ ରୋଗୀ ହଟହଟା। ଡାକ୍ତରଖାନାରେ ଦିନକୁ ୫ଶହରୁ ଅଧିକ ଲୋକଙ୍କ ଏକ୍ସ-ରେ’ ହେଉଥିବା ସମୟରେ ପରିଚାଳନାଗତ ତ୍ରୁଟି ଯୋଗୁ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମସ୍ୟା ପରେ ଶିଶୁ, ମହିଳା ଓ ଗୁରୁତର ରୋଗୀଙ୍କ ଏକ୍ସ-ରେ’କୁ ଅଗ୍ରାଧିକାର ଦିଆଯିବା ନେଇ ନିର୍ଦେଶ ଦିଆଯାଇଥିବା ଭିମ୍‌ସାର କର୍ତ୍ତୃପକ୍ଷ କହିଥିଲେ। ମାତ୍ର ମଙ୍ଗଳବାର ସକାଳେ ଡାକ୍ତରଖାନା ପରିସରରେ ପୁଣି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ୨୦୦ କିମି ଦୂର ନୂଆପଡ଼ାରୁ ଆସିଥିବା ଜଣେ ‌ଶିଶୁଙ୍କୁ କାଜୁଆଲଟିରୁ ଏକ୍ସ-ରେ’ ରୁମ୍‌ଯାଏ ନେବାକୁ ଷ୍ଟ୍ରେଚରଖଣ୍ଡିଏ ମିଳିପାରିନଥିଲା। ସେପଟେ, ତାଙ୍କ ବାପା ତାଙ୍କୁ କାନ୍ଧେଇ ଏକ୍ସ-ରେ’ ରୁମ୍‌ ଯାଏ ନେଇ ଯାଇଥିଲେ ବି ଗୋଡ଼ ଭାଙ୍ଗି ଯନ୍ତ୍ରଣାରେ ଛଟପଟ ହେଉଥିବା ଶିଶୁକୁ ଦୀର୍ଘ ଅଢ଼େଇ ଘଣ୍ଟା ଯାଏ ତଳେ ବସାଇ ଦିଆଯାଇଥିଲା। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିବାରେ, ଏସମ୍ପର୍କରେ ପଚରାଉଚରା କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର