ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ତଳଗୁମାଣ୍ଡି ପଞ୍ଚା‌ୟତ ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡ଼ିଙ୍ଗି (୪୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗାଁ ଠାରୁ ପ୍ରାୟ ୧ କି‌ଲୋମିଟର ଦୂର ଜଙ୍ଗଲରେ ଗୋଡ଼ହାତ ବନ୍ଧା ଅବସ୍ଥାରେ ଶବ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଲକ୍ଷ୍ମୀପୁର ଏସ୍‌ଡିପିଓ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ସହାୟତାରେ ଘଟଣାର ତନାଘନା କରୁଛନ୍ତି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, ତଳଗୁମାଣ୍ଡିରେ ରହୁଥିବା ପୂର୍ବତନ ସରପଞ୍ଚ ସିଙ୍ଗୁରୁ ପ୍ରତିଦିନ ଭଳି ଗତକାଲି ହଳ ଲଙ୍ଗଳ ଧରି ନିଜ ଜମିକୁ ଚାଷ କରିବାକୁ ଯାଇଥିଲେ। ଅପରାହ୍ନରେ ସିଙ୍ଗୁରୁଙ୍କ ଭାଉଜ ଖାଇବା ନେଇ ଜମି ନିକଟକୁ ଯାଇଥିଲେ। କିନ୍ତୁ ଏହି ସମୟରେ ଜମି ହୁଡ଼ାରେ ହଳ ଲଙ୍ଗଲ ରହିଥିବା ବେଳେ ସିଙ୍ଗୁରୁଙ୍କ ଦେଖା ମିଳି ନଥିଲା। ଏହା ଜାଣିବା ପରେ ପୁତୁରା ମୋହନ ତାଡ଼ିଙ୍ଗି ଓ ଗ୍ରାମବାସୀ ରାତି ତମାମ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ସିଙ୍ଗୁରୁଙ୍କୁ ପାଇ ନଥିଲେ। ଆଜି ଭୋରରେ ପୁଣି ଥରେ ଗ୍ରାମବାସୀ ଖୋଜ‌ାଖୋଜି କରିଥିବା ବେଳେ ଗାଁ ଠାରୁ ୧ କିଲୋମିଟର ଦୂର ଏଉମାଳି ଜଙ୍ଗଲର ଏକ ଗାତରେ ସିଙ୍ଗୁରୁଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ସିଙ୍ଗୁରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଶବ ଉପରେ ଶୁଖିଲା ପତ୍ର ପଡ଼ିଥିଲା।

Advertisment

ଏ ନେଇ ପରିବାର ଲୋକ ତୁରନ୍ତ ନାରାୟଣପାଟଣା ପୁଲିସକୁ ଖବର ଦେଇଥିଲେ। ଘଟଣାଟି ସମ୍ବେଦନଶୀଳ ହୋଇଥିବା ସହ ଏହି ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇଥିବାରୁ ଲକ୍ଷ୍ମୀପୁର ଏସ୍‌ଡିପିଓ ବିରଞ୍ଚି ନାରାୟଣ ଜଗତ, ଥାନା ଅଧିକାରୀ ସୁଷମା କହଁର, ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ପୁଲିସ ଶବ ଜବତ କରିବା ପରେ ନାରାୟଣପାଟଣାରେ ବ୍ୟବ‌ଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ସିଙ୍ଗୁରୁ ଅବିବାହିତ ଥିବା ବେଳେ ସେ ନିଜ ଭାଉଜଙ୍କ ଘରେ ରହୁଥିଲେ। ସେ ମେଳାପୀ, ଭଦ୍ର, ପରୋପକାରୀ ଯୁବକ ଭାବେ ଅଞ୍ଚଳରେ ପରିଚିତ ଥିଲେ। ଏ ନେଇ ନାରାୟଣପାଟଣା ଥାନା କେଶ୍‌ ନମ୍ବର-୩୦/୨୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ସିଙ୍ଗୁରୁ ତଳଗୁମାଣ୍ଡି ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟରତ ଥିଲେ।