ଶିକ୍ଷାର ବିକାଶ ପାଇଁ ଆନ୍ତରିକତା ନାହିଁ! ଆଇଆଇଏମ୍‌ ନୋହିଲା, ଏକ୍ସଆଇଏମ୍‌ବି ପ୍ରତିଷ୍ଠା ଘୋଷଣାରେ ସୀମିତ

ଆଦିବାସୀ ବିଶ୍ବବିଦ୍ୟାଳୟ, ନୂଆ ବିଶ୍ବବିଦ୍ୟାଳୟ ଦାବି ଜୋର୍‌

ରାଉରକେଲା: ଇସ୍ପାତ ସହରରେ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତିଭୂମି ଉପଲବ୍ଧ, ତଥାପି ବହୁ ପ୍ରକଳ୍ପ ସହରକୁ ଆସିପାରୁନାହିଁ। ବିଶେଷକରି ଶିକ୍ଷାକ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବାର ଆବଶ୍ୟକତା ଥିବା ସତ୍ତ୍ବେ ଏ କ୍ଷେତ୍ରରେ କୌଣସି ଅଗ୍ରଗତି ଦେଖିବାକୁ ମିଳୁନି। ବିଗତ ଦିନରେ ଆଇଆଇଏମ୍‌ ସ୍ଥାପନ, ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଆଦି ଏକାଧିକ ନାଯ୍ୟ ଦାବି କାଟ୍‌ ଖାଇଛି। ଦାବି ହେଉଛି, ସପକ୍ଷରେ ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ ରାଜରାସ୍ତାକୁ ବି ଓହ୍ଲାଇଥିବା ନଜିର ରହିଛି; ତଥାପି ସୁଫଳ ମିଳୁନି। ଆଉ ଏହାର ମୁଖ୍ୟ କାରଣ ପାଲଟିଛି ସରକାରଙ୍କ ଅବହେଳା ଓ ସ୍ଥାନୀୟ ରାଜନେତାଙ୍କ ଆନ୍ତରିକତାର ଅଭାବ।
ଶିକ୍ଷାର ବିକାଶ କ୍ଷେତ୍ରରେ ରାଉରକେଲା ବେଶ୍‌ କିଛି ବର୍ଷ ଦେଖା ଅଣଦେଖାର ଶିକାର ହୋଇଚାଲିଛି।

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)କୁ ବାଦ୍‌ ଦେଲେ ଏଠାରେ ଆଉ ଲବ୍ଧ ପ୍ରତିଷ୍ଠିତ ସରକାରୀ ଶିକ୍ଷାନୁଷ୍ଠାନ ନାହିଁ। ଦିନ ଥିଲା, ଇସ୍ପାତ ସହର ରାଉରକେଲାକୁ ଶିକ୍ଷା ସହରଭାବେ ମଧ୍ୟ ବିବେଚନା କରାଯାଉଥିଲା। ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ରାଉରକେଲାକୁ ଆସୁଥିଲେ ଉଚ୍ଚଶିକ୍ଷା ପାଇଁ। ଏବେ କିନ୍ତୁ ସ୍ଥିତିରେ ବିରାଟ ନକାରାତ୍ମକ ପରିବର୍ତ୍ତନ ଆସିଛି। ରାଉରକେଲାର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଅନ୍ୟତ୍ର ଯାଉଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟାର ଅନ୍ୟତମ କାରଣ ହେଲା, ଏଠାରେ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନର ଅଭାବ। ରୋଉରକେଲା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ହେଉ ଅବା ସ୍ଥାନୀୟ ନେତୃବୃନ୍ଦଙ୍କ ଅପାରଗପଣିଆ, ପ୍ରସ୍ତାବିତ ଶିକ୍ଷାନୁଷ୍ଠାନ ହାତଛଡ଼ା ହେବାରେ ଲାଗିଛି। ୨୦୧୪ ମସିହାରେ ଆଇଆଇଏମ୍‌ ପ୍ରତିଷ୍ଠା ନେଇ ଦାବି ଜୋର୍‌ଦାର ହୋଇଥିଲା।

ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇ ଦାବି ଉପସ୍ଥାପନ କରିଥିଲେ। ‌ସେହିଭଳି ସମ୍ବଲପୁରରେ ମଧ୍ୟ ଦାବି ଜୋର୍‌ ଧରିଥିଲା। ରାଜନୈତିକ ଫାଇଦାକୁ ଦେଖି ତଥା ବିବାଦକୁ ନ ପଶିବାକୁ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ଉପରେ ସ୍ଥାନ ଚିହ୍ନଟ ଦାୟିତ୍ବ ଦେଇଥିଲେ। ପରେ, ରାଜ୍ୟ ସରକାର ସମ୍ବଲପୁରରେ ଆଇଆଇଏମ୍‌ ସ୍ଥାପନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ବିଜେଡି ସରକାର ପ୍ରତି ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଦୁର୍ଭାଗ୍ୟ ଏହା ଯେ, ସେତେବେଳେ ବିରୋଧୀ କଂଗ୍ରେସ ଓ ବିଜେପି କେବଳ ଉପରଠାଉରିଆ ପ୍ରତିବାଦରେ ସ୍ବରକୁ ସୀମିତ ରଖିଥିଲେ। ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ୨୦୧୫ ମସିହା ମାର୍ଚ୍ଚ ୪ ତାରିଖରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ଜାଭିୟର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌, ଭୁବନେଶ୍ବର(ଏମ୍‌ଆଇଏମ୍‌ବି) ଦ୍ବିତୀୟ ଶାଖା ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ଇତିମଧ୍ୟରେ ଘୋଷଣାକୁ ସାଢ଼େ ୬ ବର୍ଷ ବିତିଲାଣି, ଏହି ପ୍ରକଳ୍ପର ଆଉ ନାଁ ଗନ୍ଧ ବି ଶୁଣିବାକୁ ମିଳୁନି। ଏହି ଦୁଇ ଶିକ୍ଷାନୁଷ୍ଠାନ ହାତଛଡ଼ା ହେବାପରେ ଏବେ ସହରର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ବି.ଇଡି କଲେଜର ଭାଗ୍ୟ ଅନିଶ୍ଚିତତତା ଭିତରକୁ ଠେଲି ହୋଇଯାଇଛି।

୧୯୮୧ ମସିହାରୁ ଏହି ଅନୁଷ୍ଠାନ ଶିକ୍ଷକ ତିଆରି‌ କରିଆସୁଛି। କିନ୍ତୁ ଏଠାରେ ଶିକ୍ଷକ ଅଭାବ ଯୋଗୁଁ ନାମ ଲେଖା ବନ୍ଦ ହୋଇଯାଇଛି। ନ୍ୟାସନାଲ କାଉନସିଲ ଅଫ୍‌ ଟିଚର ଏଜୁକେଶନ୍‌(ଏନ୍‌ସିଟିଇ) ୨୦୧୩-୧୪ ମସିହାରୁ ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ତ୍ବେ ଆବଶ୍ୟକ ଅଧ୍ୟାପକ/ଅଧ୍ୟାପିକା ପଦବି ପୂରଣ କରାଗଲାନାହିଁ। ଫଳସ୍ବରୂପ ଗତବର୍ଷ ଭଳି ଏଥର ମଧ୍ୟ ଏଠାରେ ନାଁ ଲେଖା ପାଇଁ ଅନୁମତି ମିଳିପାରିନାହିଁ। ଉଲ୍ଲେଖନୀୟ ବିଷୟ, ସମାନ ଦୁଃସ୍ଥିତି ଦେଇ ଗତି କରୁଥିବା ରାଜ୍ୟର ଅନ୍ୟ ୮ଟି ବି.ଇଡି କଲେଜ ଓ ବେସରକାରୀ ଅନୁଷ୍ଠାନର ୧ ହଜାର ଛାତ୍ରଛାତ୍ରୀଙ୍କ ନାଁ ଲେଖା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏନ୍‌ସିଟିଇ ପକ୍ଷରୁ ସ୍ବତନ୍ତ୍ର ଅନୁମତି ଆଣିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହି ୮ଟି ଅନୁଷ୍ଠାନ ଭିତରେ ରାଉରକେଲା ସ୍ଥିତ ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟର ନାଁ ନାହିଁ। ଅନ୍ୟ ବି.ଇଡି ଶିକ୍ଷାନୁଷ୍ଠାନ ଭଳି ଏହି ଅନୁଷ୍ଠାନ ପାଇଁ ଅନ୍ୟୁନ ୫୦ ସିଟ୍‌ ନାମ ଲେଖା ପାଇଁ ଅନୁମତି ଆଣିଥିଲେ, ଅନ୍ତତଃ ଏଠାରେ ଶିକ୍ଷାଦାନ ସ୍ବାଭାବିକ୍‌ ହୋଇପାରିଥାନ୍ତା। ଏହି ପ୍ରସଙ୍ଗରେ ମଧ୍ୟ ବିଜେପି, କଂଗ୍ରେସ ଦଳର ରହସ୍ୟମୟ ନିରବତା ଅବଲମ୍ବନ କରିଚାଲିଛନ୍ତି।

ସେହିଭଳି ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଗତ ୨/୩ ବର୍ଷ ହେଲା ଦାବି ‌ହେଉଛି। ଏନେଇ ରାଜ୍ୟ ସରକାର, ତତ୍କାଳୀନ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ବିଗତଦିନରେ ଦାବିପତ୍ର ଓ ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀଙ୍କ ଶୈକ୍ଷିକ ବିକାଶରେ ଦ୍ବାହି ଦେଉଥିବା ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏ ଦାଗିରେ ସାମାନ୍ୟତମ ପଦକ୍ଷେପ ବି ନେଇନାହାନ୍ତି। ଏହାବାଦ୍‌, ଉଭୟ ରାଉରକେଲା ଓ ସୁନ୍ଦରଗଡ଼ରେ ଦୁଇ ଦୁଇଟି ପୁରାତନ ସରକାରୀ ମହାବିଦ୍ୟାଳୟ ଥିବାବେଳେ ଏହାକୁ ବିଶ୍ବିବିଦ୍ୟାଳୟ ମାନ୍ୟତା ପାଇଁ ମଧ୍ୟ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି। ଏହି ଦୁଇ ଶିକ୍ଷାନୁଷ୍ଠାନ ବିଶ୍ବବିଦ୍ୟାଳୟ ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ଶିକ୍ଷାବିତ୍‌ ଯୁକ୍ତି ବାଢ଼ିଛନ୍ତି। ତେବେ ଏଥିପ୍ରତି କ୍ରମାଗତଭାବେ ଜିଲ୍ଲାର ଦାବିକୁ ଅଣଦେଖା କରିବାରେ ସିଦ୍ଧହସ୍ତ କର୍ତୃପକ୍ଷଙ୍କ ଶୁଭଦୃଷ୍ଟି ପଡ଼ୁନି।

ସମ୍ବନ୍ଧିତ ଖବର