ବିଜୟୀ ପ୍ରାର୍ଥୀ ଓ ସମର୍ଥକ ସମିତି ସଭ୍ୟଙ୍କୁ ଅଟକ ରଖିଲେ ପରାଜିତ ପ୍ରାର୍ଥୀ
ସାମ୍ବାଦିକଙ୍କୁ ଧମକ ଦେଲେ, ମୋବାଇଲ୍ ଓ କ୍ୟାମେରା ଛଡ଼ାଇନେଲେ
ପ୍ରତିବାଦରେ ସାରୁଅଠାରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ରାସ୍ତାରୋକ
ବେଗୁନିଆ ବଜାରରେ ୧୪୪ ଧାରା, ଦେଢ଼ ପ୍ଲାଟୁନ୍ ଫୋର୍ସ ମୁତୟନ
ଖୋର୍ଦ୍ଧା/ବେଗୁନିଆ : ବିଜେଡିରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ଏପରି ହୋଇଛି ଯେ ନିଜ ଦଳର ପ୍ରାର୍ଥୀଙ୍କ ବିଜୟକୁ ମଧ୍ୟ ସହ୍ୟ କରିପାରୁନାହାନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ପଟେ ବିଜେଡିର ବିଧାୟକ ପ୍ରତିପକ୍ଷ ବିଜେପି ସମର୍ଥକଙ୍କୁ କାର ମଡ଼ାଇ ହତ୍ୟାଉଦ୍ୟମ କରିଥିବା ବେଳେ ବେଗୁନିଆରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ହୋଇଥିବା ବିଧାୟକଙ୍କ ସମର୍ଥକ ତୁମୁଳକାଣ୍ତ ଘଟାଇଛନ୍ତି। ବ୍ଲକ୍ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ଫଟୋ ଉଠାଉଥିବା ସାମ୍ବାଦିକଙ୍କୁ ଧମକ ଦେବା ସହ ସେମାନଙ୍କ ମୋବାଇଲ୍ ଓ କ୍ୟାମେରା ଆଦି ଛଡ଼ାଇ ନେଇ ଭାଙ୍ଗିଦେଇଛନ୍ତି।
/sambad/media/post_attachments/wp-content/uploads/2022/03/begunia1-300x160.jpg)
ବେଗୁନିଆ ବ୍ଲକ୍ରେ ସମସ୍ତ ୨୧ ବିଜୟୀ ସମିତି ସଭ୍ୟ ପ୍ରାର୍ଥୀ ବିଜେଡି ସମର୍ଥିତ ଥିଲେ। ଏହା ମଧ୍ୟରେ କେତେକ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ପ୍ରଦୀପ ସାହୁଙ୍କ ସମର୍ଥକ ଥିବା ବେଳେ ଅନ୍ୟମାନେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସମର୍ଥକ ଥିଲେ। ବେଗୁନିଆ ପଞ୍ଚାୟତର ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିଆରସିଂହ ଓ ସାରୁଅ ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମୀଧର ସୁବୁଦ୍ଧି ଉଭୟ ବିଜେଡି ସମର୍ଥନରେ ଜିତିଥିଲେ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଉଭୟ ନାମାଙ୍କନପତ୍ର ଦାଖଲ କରିଥିଲେ। ବ୍ଲକ୍ କାର୍ଯ୍ୟାଳୟ ଭିତରେ ଭୋଟଦାନ ଚାଲିଥିବା ବେଳେ ବାହାରେ ଉଭୟଙ୍କ ଶତାଧିକ ସମର୍ଥକମାନେ ଫଳାଫଳ ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ବାହାରେ ପ୍ରସାରିତ ହେଲା ଯେ ଲକ୍ଷ୍ମୀଧର ବିଜୟ ଲାଭ କରିଛନ୍ତି। ଏହା ଶୁଣିବା ପରେ ପ୍ରକାଶଙ୍କ ସମର୍ଥକମାନେ ଲକ୍ଷ୍ମୀଧରଙ୍କ ସମର୍ଥକଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ପ୍ରାୟ ୫୦/୬୦ଜଣ ପ୍ରକାଶଙ୍କ ସମର୍ଥକ ହାତରେ ଠେଙ୍ଗାବାଡ଼ି ଧରି ବ୍ଲକ୍ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଫାଟକ ନିକଟରେ ଥିବା ପୁଲିସ କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ କର୍ମଚାରୀଙ୍କୁ ଠେଲି ଦେଇ ବ୍ଲକ୍ କାର୍ଯ୍ୟାଳୟ ବାହାରେ ଓ ପରିସର ମଧ୍ୟରେ ଥିବା ଲକ୍ଷ୍ମୀଧରଙ୍କ ସମର୍ଥକ ସମିତି ସଭ୍ୟମାନେ ଆସିଥିବା ୩ଟି କାରକୁ ଭାଙ୍ଗି ଦେଇଥିଲେ। ଏହାପରେ କାର୍ଯ୍ୟାଳୟ ବାହାରେ କବାଟ ବନ୍ଦ କରିଦେବା ସହ ଭିତରେ ଥିବା ସମିତି ସଭ୍ୟଙ୍କୁ ବାହାରକୁ ଆସିଲେ ଆକ୍ରମଣ କରିବାକୁ ଚେତାବନୀ ଦେଇଥିଲେ। ଏଭଳି ପ୍ରାୟ ୨ ଗଣ୍ଟା କାଳ ବ୍ଲକ୍ ପରିସର ଓ ବାହାରେ ଆତଙ୍କ ସୃଷ୍ଟି କରିଥିଲେ। ଅପରପକ୍ଷରେ ପୁଲିସ ସଂଖ୍ୟା କମ୍ ଥିବାରୁ ପୁଲିସ ମଧ୍ୟ କୌଣସି ପ୍ରତିକାରମୂଳକ ପଦକ୍ଷେପ ନେଇପାରିନଥିଲା।
ଲକ୍ଷ୍ମୀଧରଙ୍କ ସମର୍ଥକମାନେ ଲକ୍ଷ୍ମୀଧର ଓ ଅନ୍ୟ ସମିତି ସଭ୍ୟଙ୍କୁ ସକୁଶଳେ ମୁକୁଳାଇବା ଦାବି କରି ସାରୁଅ ନିକଟରେ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ଟାୟାର ଜାଳି ଅବରୋଧ କରିବା ସହ ଧାରଣାରେ ବସିଥିଲେ। ଫଳାଫଳ ଘୋଷଣାରେ, ଲକ୍ଷ୍ମୀଧର ଗୋଟିଏ ଭୋଟରେ ବିଜୟୀ ହୋଇଥିଲେ। ଶେଷରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ବେଗୁନିଆ ତହସିଲଦାର, ଏସ୍ଡିପିଓ ସୁଶୀଲ ମିଶ୍ର ଓ ଅନ୍ୟ ପୁଲିସ କର୍ମଚାରୀ ବିଜୟୀ ଲକ୍ଷ୍ମୀଧର ଓ ବ୍ଲକ୍ କାର୍ଯ୍ୟାଳୟରେ ଅଟକ ଥିବା ଅନ୍ୟ ସମିତି ସଭ୍ୟଙ୍କୁ ସୁରକ୍ଷାବଳୟ ମଧ୍ୟରେ ଆଣି ସାରୁଅଠାରେ ଛାଡ଼ିଥିଲେ। ଏହାପରେ ସାରୁଅ ନିକଟରେ ରାସ୍ତା ଅବରୋଧ ହଟିଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ଏସ୍ଡିପିଓ ସୁଶୀଲ ମିଶ୍ର କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବେଗୁନିଆ ବଜାରରେ ୧୪୪ ଧାରା ଜାରି କରାଯାଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଢ଼ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣା ନେଇ ଏଯାଏଁ କୌଣସି ପକ୍ଷରୁ ମାମଲା ରୁଜୁ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/begunia-fff.jpg)