ପୂରା ଉପକୂଳକୁ ‘ୟାସ୍’ ଭୟ

୨୪ରେ ବାତ୍ୟା ରୂପ ନେବ ଲଘୁଚାପ, ୨୫ରୁ ଓଡ଼ିଶାରେ ପ୍ରଭାବ ପଡ଼ିବା ଆରମ୍ଭ ହେବ

ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ
୧୨ ଉପକୂଳ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୀଷଣ ବର୍ଷା ଓ ପବନ ସହିତ ଆସୁଛି। ପାଗ ଅତ୍ୟନ୍ତ ଅନୁକୂଳ ରହିଥିବା କାରଣରୁ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିବା ସମ୍ଭାବନାକୁ ଏଡ଼ାଇ ଦେଇହେବନାହିଁ। ପୂର୍ବରୁ ପାଣିପାଗ ବିଜ୍ଞାନୀମାନେ ଉତ୍ତର ଓଡ଼ିଶାକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ଗୁରୁବାର ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏଥିରୁ ଓହରିଯାଇଛି। ବରଂ ଗଜପତିଠାରୁ ପାରାଦୀପ ପର୍ଯ୍ୟନ୍ତ ସମୁଦାୟ ୧୨ ଜିଲ୍ଲାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିବା ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। କେବଳ ସେତିକି ନୁହେଁ, ଏହି ବାତ୍ୟା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଥିବାରୁ ବନ୍ୟା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ରାଜ୍ୟ ସରକାର ଉଭୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାରର ‘ସମ୍ବାଦ’କୁ କହିଛନ୍ତି ଯେ ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖ ବେଳକୁ ହେବାକୁ ଥିବା ଲଘୁଚାପ ୨୫ ତାରିଖ ନୁହେଁ, ବରଂ ୨୪ ତାରିଖରେ ବାତ୍ୟା (ୟାସ୍) ରୂପ ନେବ। ୨୬ ତାରିଖ ସକାଳେ ଏହା ଉତ୍ତର ବଙ୍ଗୋପସାଗରରେ ପହଞ୍ଚିସାରିଥିବ। ୨୫ ତାରିଖରୁ ରାଜ୍ୟରେ ଏହାର ପ୍ରଭାବ ପଡ଼ିବ। ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାର ଗମ୍ଭୀରତା ଦୃଷ୍ଟିରୁ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ଏଣୁ କୌଣସି ବି ପରିସ୍ଥିତିରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବା ଉଚିତ ନୁହେଁ।

ଅନ୍ୟପକ୍ଷରେ ଭାରତର ପାଣିପାଗ ବିଭାଗର ସାଇକ୍ଲୋନ୍ ଵାର୍ଣ୍ଣିଂ ସେଣ୍ଟର ଦାୟିତ୍ବରେ ଥିବା ପାଣିପାଗବିଜ୍ଞାନୀ ଆର୍‌ କେ ରାଜାମଣି ‘ସମ୍ବାଦ’କୁ କହିଛନ୍ତି ଯେ ଉତ୍ତର ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖ ବେଳକୁ ଅର୍ଥାତ୍ ମାତ୍ର ୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ। ଏହା ତୁରନ୍ତ ଦିଗ ପରିବର୍ତ୍ତନ କରି ଉତ୍ତରପଶ୍ଚିମ ଆଡ଼କୁ ଅର୍ଥାତ୍ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ। ୨୫ ତାରିଖ ସକାଳୁ ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେବ। ପାଗ ଅନୁକୂଳ ଥିବା କାରଣରୁ ବାତ୍ୟା ଘନୀଭୂତ ହୋଇ ପ୍ରଭାବୀ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ତେବେ ୨୧ ତାରିଖ ପରେ ବାତ୍ୟାର ତୀବ୍ରତା, କେଉଁଠି ସ୍ଥଳଭାଗକୁ ଛୁଇଁବ ଏବଂ କେତେ ବେଗରେ ପବନ ବହିବ ସେ ସଂପର୍କରେ ସଠିକ୍ ଭାବେ କୁହାଯିବ। ସେଯାଏ କୌଣସି ଗୁଜବରେ ବିଶ୍ବାସ ନକରିବା ଲାଗି ଶ୍ରୀ ରାଜାମଣି କହିଛନ୍ତି।

Hawaii News Online

ଅନ୍ୟପକ୍ଷରେ ପାଣିପାଗବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ସମ୍ଭାବନା ଅଧିକ ହୋଇଯାଇଛି ଯେ ୨୪ ତାରିଖରେ ବଙ୍ଗୋପସାଗରେ ବାତ୍ୟା (ୟାସ୍) ସୃଷ୍ଟି ହେବାକୁ ଯାଉଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ବାତ୍ୟାର ରୂପରେଖ ବିଷୟରେ ଅନିଶ୍ଚିତତା ରହିଥିଲେ ମଧ୍ୟ ତଥ୍ୟ କହୁଛି ଯେ ଉତ୍ତର ବଙ୍ଗୋପସାଗର ଜଳପତ୍ତନ ତାପମାତ୍ରା ୩୦ରୁ ୩୧ ଡିଗ୍ରି ସେଣ୍ଟିଗ୍ରେଡ୍ ଥିବାରୁ ଏହା ଖୁବ୍ ଶୀଘ୍ର ଘନୀଭୂତ ହେବ। ବାଲେଶ୍ବରଠାରୁ ଦୀଘା ମଧ୍ୟରେ ବାୟୁମଣ୍ଡଳର ପରିସ୍ଥିତି ସ୍ଥଳଭାଗ ଛୁଇଁବା ପାଇଁ ଅନୁକୂଳ ରହିଛି। ସମ୍ଭାବ୍ୟ ଗତିପଥର ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ବାତ୍ୟାର କେନ୍ଦ୍ରରେ ବାୟୁର ଚାପ ୯୮୦ ମିଲିବାର ପର୍ଯ୍ୟନ୍ତ ପହଞ୍ଚିପାରେ। ୨୬ ତାରିଖ ଉପରବେଳା ସ୍ଥଳଭାଗ ଛୁଇଁଲା ବେଳକୁ ତାହା ପ୍ରାୟ ସେତିକି ରହିବ ବା ସାମାନ୍ୟ କମିପାରେ।

ଡ. ପଶୁପାଳକ ଆହୁରି କହିଛନ୍ତି, ଉପର ବାୟୁମଣ୍ଡଳରେ ୨୦୦ ମିଲିବାର ବା ୮ କିଲୋମିଟର ପର୍ଯ୍ୟନ୍ତ ବାୟୁର ଦିଗରୁ ଜଣାପଡ଼ୁଛି ଯେ ଏହାର ଦିଗ ପରିବର୍ତ୍ତନର (ରିକର୍ଭିଂ) ସମ୍ଭାବନା ନାହିଁ। ଆଉ ମଧ୍ୟ ଜଣାପଡ଼ୁଛି ଯେ ବର୍ତ୍ତମାନଠାରୁ ସେ ପର୍ଯ୍ୟନ୍ତ ବଙ୍ଗୋପସାଗରୀୟ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ସକ୍ରିୟତା ବାତ୍ୟାକୁ ସହଯୋଗ କରିବ। ଏହି ତଥ୍ୟ ଆକଳନ ଓ ପୂର୍ବ ବାତ୍ୟାର ପ୍ରଭାବକୁ ବିଚାରକୁ ନେଲେ ବାତ୍ୟାର କେତୋଟି ଗୁରୁତ୍ବପୂର୍ଣ୍ଣ ଦିଗ ଆସୁଛି। ସାଧାରଣ ଜ୍ଞାନ କହୁଛି ଯେ ବାତ୍ୟାର ଦକ୍ଷିଣ ଭାଗ ଅଧିକ ଶକ୍ତିଶାଳୀ ହୋଇଥାଏ। ଏଣୁ ଓଡ଼ିଶା ନ ଛୁଇଁ ଯଦି ଦୀଘା ଆଖପାଖ ଅଞ୍ଚଳରେ ଛୁଇଁଲେ ମଧ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ଅଧିକ ରହିବ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଏବଂ ମୟୂରଭଂଜରେ ପବନର ପ୍ରଭାବ ଅଧିକ ରହିବ। ସକ୍ରିୟ ମୌସୁମୀ ଯୋଗୁଁ ରାଜ୍ୟରେ ପ୍ରଚୁର ବର୍ଷା ହେବ। ସେହିଭଳି ଜଗତ୍‌ସିଂହପୁୁର, ଖୋର୍ଧା, ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଓ ସ୍ଥାନେସ୍ଥାନେ ଅତି ପ୍ରବଳ ବର୍ଷା ୨୫ ଓ ୨୬ ତାରିଖରେ ହୋଇପାରେ। କେନ୍ଦୁଝର ଓ ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ସମ୍ବଲପୁରରୁ ସୁନ୍ଦରଗଡ ପର୍ଯ୍ୟନ୍ତ ମଧ୍ୟମରୁ ଭାରି ବର୍ଷାକୁ ଏଡ଼ାଇ ହେବ ନାହିଁ। କେବଳ ଦକ୍ଷିଣପଶ୍ଚିମ ଓଡ଼ିଶା ଛାଡ଼ିଦେଲେ ଅନ୍ୟାନ୍ୟ ଜିଲ୍ଲାରେ ବାତ୍ୟାର ପ୍ରଭାବ କିଛି ନା କିଛି ରହିପାରେ। ସାଧାରଣ ଜ୍ଞାନ ଆହୁରି କହୁଛି ଯେ ବାତ୍ୟା ଦିନ ଯଦି ପୂର୍ଣ୍ଣିମା ହୁଏ, ସମୁଦ୍ରର ଢେଉ ଅଧିକ ଉଠିଥାଏ। ଜଗତ୍‌ସିଂହପୁରଠାରୁ ବାଲେଶ୍ବର ପର୍ଯ୍ୟନ୍ତ ସମୁଦ୍ର ଅଗଭୀର। ଏଣୁ ତଳିଆ ଓ ଉପକୂଳ ଅଞ୍ଚଳରେ ଜଳନିଷ୍କାସନରେ ଅସୁବିଧା ଯୋଗୁଁ ବନ୍ୟା ସ୍ଥିତିକୁ ଏଡ଼ାଇ ଦେଇ ହେବନାହିଁ। ଅନ୍ୟାନ୍ୟ ସହିତ ଏହି ଅଞ୍ଚଳର କୃଷି, ପଶୁପାଳନ ଏବଂ ମତ୍ସ୍ୟଚାଷ ବିଶେଷ ଭାବେ ପ୍ରଭାବିତ ହୋଇପାରେ।

ସମ୍ବନ୍ଧିତ ଖବର