ବାଲେଶ୍ବର/ଭଦ୍ରକ: ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ବଡ଼ ବିପତ୍ତି ନେଇ ଆସୁଛି ବାତ୍ୟା ‘ୟାସ୍’। ଭାରତୀୟ ପାଣିପାଗ ସଂସ୍ଥା (ଆଇଏମ୍ଡି) ସୂଚନା ଅନୁସାରେ ଭଦ୍ରକରୁ ବାଲେଶ୍ବର ମଧ୍ୟରେ ଏହି ଭୟଙ୍କର ବାତ୍ୟା ସ୍ଥଳଭାଗ ଛୁଇଁବ। କେବଳ ଏହି ଦୁଇ ଜିଲ୍ଲାରେ ପାଖାପାଖି ୧୯୨ କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ରହିଛି। ଯାହାକି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଧାମରା, ବାସୁଦେବପୁର, ଆରଡି, ଚୂଡାମଣି, ବିଦେଇପୁର, ଇରମ୍ଠାରୁ ଆରମ୍ଭ କରି ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ବାହାନାଗା ବାଲିଆପାଳ, ଭୋଗରାଇ, ଉଦୟପୁର, ତାଳସାରୀ ଯାଏ ଲମ୍ବିଛି। ସେପଟେ ଧାମରା ଓ ଚାନ୍ଦବାଲି ମଧ୍ୟସ୍ଥଳରେ ‘ୟାସ୍’ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି। ବାତ୍ୟାର ତୀବ୍ରତା ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଘୋଷଣା କରାଯିବା ସହ ସର୍ବାଧିକ ବିପଦ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି।
ମଙ୍ଗଳବାର ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଓ ଏହାର ପାଖ ୮ଟି ପଞ୍ଚାୟତରେ ସମୁଦ୍ର ପାଣି ପଶିଥିବା ଖବର ମିଳିଛି। ଏହି ୮ଟି ପଞ୍ଚାୟତ ସମୁଦ୍ରଠାରୁ ମାତ୍ର ୩ କିମି ଦୂରରେ ରହିଥିବାରୁ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଆଜି ମଧ୍ୟାହ୍ନ ୩ଟା ସୁଦ୍ଧା ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା, ବାଲେଶ୍ବର ସଦର, ରେମୁଣା ଓ ବାହାନଗା ବ୍ଲକରୁ ୯୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର ଓ ତିହିଡ଼ି ବ୍ଲକରୁ ୭୦ ହଜାର ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ନିଜେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏସବୁ ତଦାରଖ କରିବା ସହ ଦୁଇ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ତଥା ବିପର୍ଯ୍ୟୟ ମୁକାବିଲା ପାଇଁ ଉଭୟ ଜିଲ୍ଲାରେ ନିୟୋଜିତ ବରିଷ୍ଠ ଆଇଏଏସ୍ ଅଫିସର ବୀର ବିକ୍ରମ ସିଂ ଯାଦବ, ବିଶାଳ ଦେବ, ଆଇଜି ଦୀପ୍ତେଶ ପଟ୍ଟନାୟକ ଓ ଅମିତେନ୍ଦ୍ର ସିହ୍ନାଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ସେପଟେ ପବନର ବେଗ କ୍ରମଶଃ ବଢ଼ୁଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳର ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଶ୍ରୀ ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଲେଶ୍ବରରେ ଡେରା ପକାଇ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି।
/sambad/media/post_attachments/wp-content/uploads/2021/05/32b42654-e7db-4b93-bf9b-89f87b3ab9f7-1024x546.jpg)
ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ସର୍ବାଧିକ ୧୮୫ କିମି ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ। ଏଥିରେ କଚାଘର, ଆଜବେଷ୍ଟସ୍ ଘର ସମେତ ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଧରାଶାୟୀ ହେବାର ଆଶଙ୍କା ରହିଥିବାରୁ ମୁକାବିଲା ପାଇଁ ଦୁଇ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡ଼ିଛନ୍ତି। ତେବେ ଏହି ବିପର୍ଯ୍ୟୟ ସମୟରେ କୋଭିଡ୍ କଟକଣା ଓ ବାତ୍ୟା ମୁକାବିଲା ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ବାଲେଶ୍ବର ଜିଲ୍ଲାରୁ ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଆଶ୍ରୟସ୍ଥଳକୁ ଅଣାଯାଉଥିବା ଲୋକମାନଙ୍କୁ ପ୍ରଥମେ ଥର୍ମାଲ ସ୍କ୍ରିନିଂ ପରେ ସାନିଟାଇଜ୍ କରାଯାଉଛି।
ସମସ୍ତଙ୍କୁ ଡବଲ ମାସ୍କ୍ ଦିଆଯିବା ସହ ସାମାଜିକ ଦୂରତା ନିୟମ ମାନି ଆଶ୍ରୟସ୍ଥଳୀରେ ରହିବାକୁ କୁହାଯାଉଛି। ବାଲେଶ୍ବର ଜିଲ୍ଲାରେ ୧୪୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ କୋଭିଡ୍ ପାଇଁ ୧୨ ଶହ ସ୍ବତନ୍ତ୍ର ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ସ୍କୁଲ ଘର ଏବଂ ଅନ୍ୟାନ୍ୟ ସରକାରୀ କୋଠାଘର ରହିଛି। ବାତ୍ୟା ପ୍ରଭାବରେ ୧୩ରୁ ୧୪ ଫୁଟ୍ ଉଚ୍ଚର ସମୁଦ୍ର ଢେଉ ମାଡ଼ି ଆସିବାର ଆଶଙ୍କା ରହିଥିବାରୁ ଚିଙ୍ଗୁଡ଼ିଘେରି ଶ୍ରମିକ ଓ ତଳିଆ ଅଞ୍ଚଳବାସୀଙ୍କୁ ତୁରନ୍ତ ସେ ସ୍ଥାନ ଛାଡ଼ିବାକୁ କୁହାଯାଇଛି। ଇତିମଧ୍ୟରେ ୬୦୦ ଆସନ୍ନପ୍ରସବା ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଆଣିବା ପ୍ରକ୍ରିୟା ଜାରି ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ଏନ୍ଡିଆର୍ଏଫ୍ର ୯ ଟିମ୍, ଓଡ୍ରାଫ୍ର ୧୯ ଟିମ୍, ଅଗ୍ନିଶମ ବିଭାଗର ୨୮ ଟିମ୍ ସହ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି।
ବାତ୍ୟା ‘ୟାସ୍’ ଧାମରା-ଚାନ୍ଦବାଲି ମଧ୍ୟରେ ଭୂପୃଷ୍ଠ ଛୁଇଁବ ବୋଲି ଆକଳନ କରାଯିବା ପରେ ଭଦ୍ରକ ଜିଲ୍ଲାର ୫୪ କିମି ଉପକୂଳ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଗତକାଲି ମଧ୍ୟାହ୍ନରୁ ଭଦ୍ରକ ଜିଲ୍ଲାରେ ବର୍ଷା ଲାଗି ରହିଥିବାବେଳେ ଆଜି ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଧାମରା, ଚାନ୍ଦବାଲି, ଆରଡି, ବାସୁଦେବପୁର, ଚୂଡାମଣି, ବିଦେଇପୁର, ଇରମ୍ ଆଦି ଅଞ୍ଚଳରେ ଏହାର ବେଗ ଜୋର୍ ଧରିଛି। ବାତ୍ୟା ଭୟଙ୍କର ରୂପ ନେଉଥିବା ସୂଚନା ମିଳିବା ପରେ ସକାଳୁ ବିଡିଓ, ତହସିଲଦାର, ସରପଞ୍ଚମାନଙ୍କ ତତ୍ତ୍ବାବଧାନରେ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲୁ ରହିଛି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଳିଆରପୁର, ଧାମରା ବନ୍ଦର ସଂଲଗ୍ନ ଚନ୍ଦନୀପାଳ ଅମରନଗର ଗାଁ, ବାସୁଦେବପୁର ବ୍ଲକ୍ର କିସମତ୍କୃଷ୍ଣପୁର ଓ ଏହାର ଆଖପାଖ ପଞ୍ଚାୟତରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୪ଟି ଏନ୍ଡିଆର୍ଏଫ୍ ଟିମ୍, ୮ଟି ଓଡ୍ରାଫ୍ ଟିମ୍, ୨୦ଟି ଅଗ୍ନିଶମ ଟିମ୍ ସହିତ ବନ ବିଭାଗ ଓ ପୁଲିସକୁ ସଜାଗ ରଖାଯାଇଛି। ସେହିପରି ମଧ୍ୟାହ୍ନ ସୁଦ୍ଧା ୨୦୦ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୪ ଶହ ଦିବ୍ୟାଙ୍ଗ ଓ ୫ ହଜାର ଶିଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କରୋନା ଆକ୍ରାନ୍ତଙ୍କୁ ନିକଟସ୍ଥ ଟିଏମ୍ସିକୁ ସ୍ଥାନାନ୍ତର କରାଯାଇଛି। ଏହାଛଡ଼ା ୧୦ ହଜାର ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ନିଆଯାଇଛି। ବାତ୍ୟା ଦୁର୍ଗତଙ୍କ ପାଇଁ ଜିଲ୍ଲାରେ ୧୦୪ ଆଶ୍ରୟସ୍ଥଳ, ୬୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ ସହ ୫୦୦ ସ୍କୁଲ ଘରକୁ ପ୍ରସ୍ତୁତ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/0864dd59-77c2-4a84-8b78-9ce455d9a586.jpg)