ବାସୁଦେବପୁର-ବାହାନଗା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ‘ୟାସ୍’

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ୟାସ୍ ଭଦ୍ରକ ଜିଲ୍ଲାର ବାସୁଦେବପୁର ଓ ବାଲେଶ୍ବରର ବାହାନଗା ମଧ୍ୟରେ ସ୍ଥଳଭାଗ ଛୁଇଁବା ଅନୁମାନ କରାଯ଼ାଉଛି । ଆସନ୍ତାକାଲି ଭୋରରୁ ସକାଳ ୯ଟା ମଧ୍ୟରେ ଲାଣ୍ଡଫଲ କରିବାର ସମ୍ଭାବନା ରହିଛି ।
ଏହି ବାତ୍ୟା ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଓଡ଼ିଶା ଆଗକୁ ଗତି କରୁଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନ ଆରମ୍ଭ ହୋଇଯ଼ାଇଛି । ଆସନ୍ତା କାଲି ବାତ୍ୟା ଲାଣ୍ଡଫଲ ବେଳେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ଘଣ୍ଟା ପ୍ରତି ୧୫୫ରୁ ୧୬୪ କିଲୋମିଟର ରହିବ ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଝଟକା ଦେବ ।
ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ ଏହି ବାତ୍ୟା ଏବେ ପାରାଦୀପଠାରୁ ୨୦୦ କିଲୋମିଟର ଦୂରରେ ରହିଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସ୍ଥାନାନ୍ତରଣ କାର୍ୟ଼୍ୟକୁ ତ୍ବରାନ୍ବିତ କରାଯ଼ାଇଛି । ଏପର୍ୟ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯ଼ାଇଛି । ଆଜି ରାତି ୯ଟା ସୁଦ୍ଧା ଏହି କାର୍ୟ୍ୟ ଶେଷ ହେବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ସମ୍ବନ୍ଧିତ ଖବର