ପାରାଦୀପଠାରୁ ୫୯୦ କିଲୋମିଟର ଦୂରରେ ରହିଛି ୟାସ୍, ସୋମବାରଠାରୁ ପବନର ବେଗ ବଢିବ

ଭୁବନେଶ୍ବର : ଗତକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଏକ ଅବପାତ ବା ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତାକାଲି ଏହା ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତ ବା ଡିପ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ଆଜି ଅପରାହ୍ଣ ସୁଦ୍ଧା ଏହା ପାରାଦୀପଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ୫୯୦ କିଲୋମିଟର, ବାଲେଶ୍ବରଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ୬୯୦ କିଲୋମିଟର ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତାକାଲି ସକାଳ ସୁଦ୍ଧା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ୨୬ ତାରିଖ ସଂଧ୍ୟାରେ ଓଡ଼ିଶାର ପାରାଦୀପ ଓ ପଶ୍ଚିମବଙ୍ଗର ସାଗରଦ୍ବୀପପୁଞ୍ଜ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ଅର୍ଥାତ ୨୪ ତାରିଖ ସଂଧ୍ୟାବେଳକୁ ପବନର ବେଗ ବଢିବାକୁ ଆରମ୍ଭ କରିବ ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ବୋହିବ । ୨୬ ତାରିଖ ଦିନ ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ ଓ ସ୍ଥଳବିଶେଷରେ ୧୮୫ କିଲୋମିଟରକୁ ପହଞ୍ଚିପାରେ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ଏହି ବାତ୍ୟା ପ୍ରଭାବରୁ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର