ରାଜ୍ୟସଭା ପାଇଁ ‘ଯାଦବ କାର୍ଡ’, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦାବି ଉଠିଲା

ଆଶୀର୍ବାଦଙ୍କ ନଁା ନନେଇ ଦାବି କ‌ଲେ

କଟକ: ରାଜ୍ୟସଭା ପାଇଁ ‘ଯାଦବ କାର୍ଡ’ ଖେଳିଛି ଆଶୀର୍ବାଦ ବେହେରାଙ୍କ ନେତୃତ୍ବାଧୀନ ଉତ୍କଳ ଯାଦବ ମହାସଭା। ଯଦିଓ ଆଶୀର୍ବାଦଙ୍କ ନଁା ନିଆଯାଇନାହିଁ, ଯାଦବ ସମ୍ପ୍ରଦାୟର ଜଣକୁ ରାଜ୍ୟସଭାକୁ ‌ପଠାଇବା ପାଇଁ ମହାସଭା ପକ୍ଷରୁ ଖୋଲାଖୋଲି ଦାବି କରାଯାଇଛି। ଆଜି ୪୨ ମୌଜାସ୍ଥିତ ଯଶୋଦା ଗାର୍ଡେନରେ ଅନୁଷ୍ଠିତ ଅଖିଳ ଭାରତ ଯାଦବ ମହାସଭାର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ତଥା ୯୮ ତମ ପ୍ରତିଷ୍ଠା ଦିବସରେ ଏହି ଦାବି ଉଠିଛି। ସଂଗଠନକୁ ମାଧ୍ୟମ କରି ଶାସକ ବିଜେଡି ଦଳ ଉପରେ ଚାପ ପକାଇବା ପାଇଁ ଏହା ଏକ ଉଦ୍ୟମ ବୋଲି କୁହାଯାଉଛି ।

ମହାସଭାର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ସାଂସଦ ପ୍ରଫେସର ଉଦୟ ପ୍ରତାପ ସିଂ କାର୍ଯ୍ୟକାରିଣୀ ବୈଠକରେ ସଭାପତିତ୍ବ କରିଥିଲେ। ମୁଖ୍ୟ ସଂରକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଭାସନ୍‌ ଭାଇ ଅହିର୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବୈଠକରେ ବିଭିନ୍ନ ରାଷ୍ଟ୍ରୀୟ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଭାରତୀୟ ସେନାରେ ଅହିର୍‌ ରେଜିମେଣ୍ଟ୍‌ ଗଢ଼ିବା, ହରିୟାନାର ରେୱାଡିଠାରେ ଚାଲିଥିବା ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଦାବି କରାଯାଇଥିବାବେଳେ ଜାତିଭିତ୍ତିକ ସଂରକ୍ଷଣ ଓ ଜନଗଣନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଛଳନା କରି ଏଡ଼ାଇ ଯାଉଥିବାରୁ ତାହାକୁ ନିନ୍ଦା କରାଯାଇଥିଲା। ଏଥିସହିତ ସମସ୍ତ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ପାଇଁ ଦାବି ହୋଇଥିଲା।

ତେବେ, କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଆଲୋଚନା ରାଜ୍ୟସଭା ସଦସ୍ୟ ପଦ ପ୍ରସଙ୍ଗ । ଏହି ସଭା‌ରେ ଖୋଲାଖୋଲି ଯାଦବ ସଂପ୍ରଦାୟରୁ ଜଣକୁ ରାଜ୍ୟସଭାକୁ ପଠାଇବାକୁ ଦାବି ‌ଉଠିଥିଲା। ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ଯଦିଓ କାହାକୁ ପଠାଯିବ ‌ସେ ନେଇ କାହାର ନାମ ନିଆଯାଇଥିଲା, ତେବେ ଯାଦବ ମହାସଭାରେ ଖୋଲାଖୋଲି ଏଭଳି ଦାବିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବତନ କ୍ରୀଡ଼ା ସଂଗଠକ ତଥା ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରାଙ୍କୁ ରାଜ୍ୟସଭା ପଠାଇବା ପାଇଁ ସଂଗଠନ ପକ୍ଷରୁ ଏହାକୁ ଏକ ଉଦ୍ୟମ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ସମଗ୍ର ଯାଦବ ସଂପ୍ରଦାୟ ନାମରେ ବୈଠକ କରି ଏଭଳି ରାଜନୈତିକ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଯାଦବମାନଙ୍କ ସମାନ୍ତରାଳ ସଂଗଠନ ‘ନିଖିଳ ଉତ୍କଳ ଯାଦବ ସମାଜ’ର ମହାସଚିବ ଗୌତମ ବେହେରା।

ସମ୍ବନ୍ଧିତ ଖବର