ବରଗଡ଼ : ବରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରୁ ପିଲାଙ୍କୁ ବିଇଡି କରାଇବା ପାଇଁ ଏଜେଣ୍ଟ ସାଜିଥିବା ବୀରେନ୍ଦ୍ର ବାଗ ଯାଦବକୁ ବରଗଡ଼ ଟାଉନ୍ ପୁଲିସ୍ ଠକେଇ ଅଭିଯୋଗରେ ଗିରଫ କରିଛି। ବୀରେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ତାଲିକା ବହୁତ ଲମ୍ବା। ସଦ୍ୟ ଅଭିଯୋଗ ଅନୁସାରେ, ପ୍ରାୟ ୮ଜଣ ପିଲାଙ୍କ ଠାରୁ ସେ ବିଇଡି ପାଠ୍ୟକ୍ରମ ପାଇଁ ୪ଟି ସେମିଷ୍ଟର ବାବଦକୁ ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲେ। ଉକ୍ତ ପିଲାମାନେ ଆନ୍ଧ୍ରାସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନା ଶିକ୍ଷାନୁଷ୍ଠାନରେ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ବୀରେନ୍ଦ୍ର ଏହାର ଏଜେଣ୍ଟ ସାଜିଥିଲେ। କିନ୍ତୁ ସେ ଟଙ୍କାତକ ଉକ୍ତ ଅନୁଷ୍ଠାନରେ ଜମା କରିନଥିଲେ। ଫଳରେ ପିଲାମାନେ ପରୀକ୍ଷା ଦେବା ଏବଂ ସାର୍ଟିଫିକେଟ୍ ପାଇବାରେ ସମସ୍ୟା ହୋଇଥିଲା।
ବୀରେନ୍ଦ୍ରଙ୍କୁ ଟଙ୍କା ମାଗିଲେ ସେ ବିଭିନ୍ନ ଆଳ ଦେଖାଇ ବର୍ଷେରୁ ଅଧିକ ସମୟ ଧରି ସେ ପିଲାଙ୍କୁ ଭୁଆଁ ବୁଲାଇ ଚାଲିଥିଲେ। ଶେଷରେ ସେ ଦିଲ୍ଲୀ ପଳାଇଥିଲେ। ଏନେଇ ପିଲାମାନେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଦଶହରାରେ ଦିଲ୍ଲୀରୁ ଫେରିବା ପରେ ବୀରେନ୍ଦ୍ରଙ୍କୁ ଟାଉନ୍ ପୁଲିସ୍ ଗିରଫ କରିଥିଲା। ବୀରେନ୍ଦ୍ର ପୂର୍ବରୁ ଅଧ୍ୟାପନା କରୁଥିଲେ। ସେ ଯାଦବସେନାର ରାଜ୍ୟ ସଭାପତି ଥିବାବେଳେ ରାଷ୍ଟ୍ରୀୟ ଜନଶକ୍ତି ପାର୍ଟିର ସେ ରାଷ୍ଟ୍ରୀୟ ସଂପାଦକ ଥିବା ମଧ୍ୟ ଦାବି କରୁଛନ୍ତି। ଏହାବାଦ୍ ସେ ୪୦ରୁ ଅଧିକ ଅନୁଷ୍ଠାନର ବିଭିନ୍ନ ପଦପଦବିରେ ଥିବା ପୁଲିସ୍କୁ ଜେରା ବେଳେ କହିଛନ୍ତି। ନିଜର ପଦର ତାଉ ଦେଖାଇ ସେ ଗ୍ରାମାଞ୍ଚଳର ବିଭିନ୍ନ ପିଲାଙ୍କୁ ଏଭଳି ବିଇଡି କରାଇଦେବା ଆଳରେ ଶୋଷଣ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।
ପୂର୍ବରୁ ମଧ୍ୟ ବୀରେନ୍ଦ୍ର ଏଭଳି କାରନାମା କରିଛନ୍ତି। ପିଲାଙ୍କ ଠାରୁ ବିଇଡି ବାବଦକୁ ଟଙ୍କା ନେଇ ସଂପୃକ୍ତ ଶିକ୍ଷାନୁଷ୍ଠାନ ପାଖରେ ଜମା କରିନଥିଲେ। ପିଲାମାନେ ବାରମ୍ବାର ତାଙ୍କ ଘରକୁ ଦୌଡ଼ି ନୟାନ୍ତ ହୋଇଥିଲେ। ସ୍ଥିତି ଅସମ୍ଭାଳ ହେଉଥିବା ଦେଖି ସେ ପିଲାଙ୍କୁ ପୁଣି କିଛି ଟଙ୍କା ଦେବାକୁ କହିଥିଲେ। ବହୁ କଷ୍ଟରେ ଏବଂ ବିଳମ୍ବରେ ପୁରୁଣା ପିଲାମାନେ ସାର୍ଟିଫିକେଟ୍ ହାସଲ କରିଛନ୍ତି। ତେବେ, ବୀରେନ୍ଦ୍ରଙ୍କ ଜାଲରେ ଆଉ କେତେ ପିଲା ଛନ୍ଦି ହୋଇଛନ୍ତି, ତାହା ପୁଲିସ୍ ବିସ୍ତୃତ ଖୋଳାତାଡ଼ କରିବା ପରେ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି।
Follow Us