ସବୁଠି ଟପିଗଲା ଯାଜ୍ଞସେନୀଙ୍କ ଯନ୍ତ୍ରଣା: ତିରୁପତିରେ ସ୍ୱାମୀଙ୍କୁ ମାରିଦେଲେ, ପର କରିଦେଲା ଶାଶୂଘର

ଡାକ୍ତରଖାନାରେ ଭର୍ତ୍ତି କରି କାମ ସାରିଦେଲା ପ୍ରଶାସନ

ବଲାଙ୍ଗୀର: ହସଖୁସିର ସଂସାର ଥିଲା। ହେଲେ ଗରିବୀ ଦାଦନ ସଜାଇଦେଲା। କୋଭିଡ ସମୟରେ ଦାଦନ ଗଲେ ସ୍ୱାମୀ-ସ୍ତ୍ରୀ। କିନ୍ତୁ ସେଠି ଇଟାଭାଟି ମାଲିକର ନିର୍ଯାତନା ସୀମା ଟପିଗଲା। କାମ ନଥିବାରୁ ଟଙ୍କା ଫେରାଅ କହି ସ୍ୱାମୀ-ସ୍ତ୍ରୀଙ୍କୁ ମାଡ଼ ମାରିଥିଲା। ଶେଷରେ ଇଟାଭାଟି ମାଲିକ ଓ ସେଠିକାର ସର୍ଦ୍ଦାର ମିଶି ସ୍ୱାମୀଙ୍କୁ ତଣ୍ଟିଚିପି ମାରିଦେଲେ। ଆଉ ସ୍ତ୍ରୀକୁ ଟ୍ରେନରେ ବସାଇ ଗାଁକୁ ପଠାଇଦେଲେ। ଏବେ ବିଧବା ସ୍ତ୍ରୀ ଦଶମାସର ଗର୍ଭବତୀ। ପ୍ରଶାସନରୁ ନେଇ ସାମାଜିକ କର୍ମୀ ସମସ୍ତଙ୍କୁ ସହାୟତା କରିବା ଓ ନ୍ୟାୟ ଦେବାକୁ ଗୁହାରି କରୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଖୁଣ୍ଟସମଲେଇ ଗାଁରେ।

ଅଭିଯୋଗରୁ ଜଣାଯାଏ ଯେ, ଖୁଣ୍ଟସମେଲେଇ ଗାଁର ରାଜୁ ଜଗତ ଓ ଯାଜ୍ଞସେନୀ ବଢ଼ିଆ ୨୦୨୧ ମସିହାରେ ତିରୁପତିକୁ ଦାଦନ ଖଟିବାକୁ ଯାଇଥିଲେ। ସ୍ଥାନୀୟ ଦାଦନ ସର୍ଦ୍ଦାରମାନେ ତାଙ୍କୁ ସେଠାକୁ ପଠାଇଥିଲେ। ତିରୁପତିରେ କିଛିମାସ କାମ କରିବା ପରେ ବର୍ଷା ଦିନ ଆସିଥିଲା। ଏଣୁ ସେମାନେ ବଇନା ବାବଦକୁ ଯାହା ଟଙ୍କା ନେଇଥିଲେ ତାହା ଫେରାଇବାକୁ ସେଠିକାର ଇଟାଭାଟି ମାଲିକ ଦାବି କରିଥିଲା। ବନ୍ଧକ ରଖି ନିର୍ଯାତନା ଦେଉଥିଲା। ୨୦୨୧ ନଭେମ୍ବର ମାସ ୨୧ ତାରିଖରେ ରାଜୁ ସହ ଇଟାଭାଟି ମାଲିକର ବଚସା ହୋଇଥିଲା। ସେଠି ରାଜୁଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା ବୋଲି ତାଙ୍କ ସ୍ତ୍ରୀ ଯାଜ୍ଞସେନୀ କହିଛନ୍ତି।

ପରେ ତାଙ୍କୁ ଇଟାଭାଟି ମାଲିକ ସାଧା କାଗଜରେ ଦସ୍ତଖତ ନେଇ ଗାଁକୁ ଯିବାକୁ ଟ୍ରେନ୍‌ରେ ବସାଇ ଦେଇଥିଲା। ଯାଜ୍ଞସେନୀ ଗାଁକୁ ଫେରିବା ପରେ ଶାଶୂଘର ଲୋକ ପର କରି ଦେଇଥିଲେ। ଯାଜ୍ଞସେନୀଙ୍କ ପାଇଁ ପୁଅର ଜୀବନ ଯାଇଛି କହି ଘରୁ ବାହାର କରି ଦେଇଥିଲେ। ସେ ତାଙ୍କ ମା’ଙ୍କ ଘରେ ଗାଁରେ ରହି ଲୁହୁରା କାମ କରି ଚଳୁଥିଲେ। କିନ୍ତୁ ଗର୍ଭବତୀ ଥିବାରୁ ପରେ କାମ କରିପାରିନଥିଲେ।

ଏବେ ସେ ଦଶମାସର ଗର୍ଭବତୀ। ତଥାପି ସହାୟତା ଓ ନ୍ୟାୟ ପାଇଁ ସାମାଜିକ କର୍ମୀଙ୍କ ସହ ଉପଜିଲ୍ଲାପାଳଙ୍କ ନିକଟକୁ ଯାଇ ଅଭିଯୋଗପତ୍ର ଦାଖଲ କରିଥିଲେ। ସେ ସମୟରେ ଏଠିକାର ପୁଲିସକୁ କହିଥିଲେ ବି କେହି କିଛି ଶୁଣିନଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଉପଜିଲ୍ଲାପାଳ ତାଙ୍କର ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ଏ ନେଇ ପାଟଣାଗଡ଼ ଉପଜିଲ୍ଲାପାଳ ବି. ସେଠୀଙ୍କୁ ପଚରାଯିବାରୁ ଶ୍ରମ ଅଧିକାରୀ ଘଟଣାର ତଦନ୍ତ କରିବେ; ଆମେ ଯାଜ୍ଞସେନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇ ପ୍ରସବ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର