କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମରେ ଅଜଣା ରୋଗ ନେଉଛି ଜୀବନ। ଗ୍ରାମର ଜୁଆଙ୍ଗ ସାହିରେ ମାସକ ମଧ୍ୟରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହି ସାହିର ଆଦିମ ଜନଜାତି ଜୁଆଙ୍ଗ ସଂପ୍ରଦାୟର ୨୦ରୁ ଊର୍ଦ୍ଧ୍ବ ଲୋକ ରୋଗାକ୍ରାନ୍ତ ହୋଇ ବିଛଣା ଧରିଛନ୍ତି। ଗ୍ରାମର ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟ ଦିନ କେଇଟାରେ ଆରପାରିକୁ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି; ସତେ ଯେମିତି ଜୁଆଙ୍ଗ ସାହିରେ ଯମ ଜଗିଛି। ବାଂଶପାଳ ବ୍ଲକର ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗ ସାହିରେ ପ୍ରାୟ ଶହେ ପରିବାରର ୬୦୦ ଜୁଆଙ୍ଗ ରହୁଛନ୍ତି। ଆଦିମ ଜନଜାତି ଜୁଆଙ୍ଗମାନେ ସ୍ବାସ୍ଥ୍ୟ ପ୍ରତି ସଚେତନ ନ ଥିବାରୁ ରୋଗରେ ଆକ୍ରାନ୍ତ ହେଲେ ସାଧାରଣତଃ ଡାକ୍ତରଖାନା ବାରଣ୍ଡା ମାଡ଼ନ୍ତି ନାହିଁ। କିଛି ଦିନ ତଳେ ସୁନିଆ ଜୁଆଙ୍ଗ ପରିବାର ଜ୍ବରରେ ଆକ୍ରାନ୍ତ ହୋଇଥିଲା। ପ୍ରଥମେ ସୁନିଆ ଜୁଆଙ୍ଗ (୩୫) ଏବଂ ପରେ ପତ୍ନୀ ରଶ୍ମି ଜୁଆଙ୍ଗ(୩୦), ଝିଅ ନୁନି ଜୁଆଙ୍ଗ(୬ ମାସ)ଙ୍କୁ ଜ୍ବର ହୋଇଥିଲା। ଜ୍ବର ଭଲ ନହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସିତ ହୋଇ ହୋଇ ଘରକୁ ଫେରିବାର କିଛି ଦିନ ପରେ ପ୍ରଥମେ ଛଅ ମାସର ଶିଶୁ ନୁନି ଜୁଆଙ୍ଗର ମୃତ୍ୟୁ ହୋଇଥିଲା।

Advertisment

ଅଜଣା ଜ୍ବରରେ ଆଉ ୨୦ ଆକ୍ରାନ୍ତ
ଆଜି ଘଟଣାସ୍ଥଳକୁ ଯିବ ସ୍ବତନ୍ତ୍ର ଦଳ

ଏହାପରେ ସୁନିଆ ଜୁଆଙ୍ଗଙ୍କ ମୃତ୍ୟୁ ହୋଇଥିଲା। ଏହାର ଠିକ୍‌ ୧୩ ଦିନ ପରେ ପତ୍ନୀ ରଶ୍ମି ଜୁଆଙ୍ଗଙ୍କ ମୃତ୍ୟୁ ହୋଇଯାଇଥିଲା। ଏମାନଙ୍କ ମୃତ୍ୟୁ ପରେ ଅନ୍ୟ ତିନୋଟି ସନ୍ତାନ ବେସାହାରା ହୋଇପଡ଼ିଛନ୍ତି। ସେହିପରି ଏହି ମାସକ ମଧ୍ୟରେ ଜୁଆଙ୍ଗ ସାହିର ବିଜୁ ଜୁଆଙ୍ଗଙ୍କ ପତ୍ନୀ ଲକ୍ଷ୍ମୀ ଜୁଆଙ୍ଗ(୨୨), କାନ୍ଦରା ଜୁଆଙ୍ଗଙ୍କ ପତ୍ନୀ ସୁକୁମାରୀ ଜୁଆଙ୍ଗ(୫୦), ସୁନାଦି ଜୁଆଙ୍ଗ (୨୩), ଝାଡ଼ ଜୁଆଙ୍ଗ(୫୫), ଶଙ୍ଖାଳି ଜୁଆଙ୍ଗ(୫୦), ରାଉତ ଜୁଆଙ୍ଗ(୪୫), ବିମଳା ଜୁଆଙ୍ଗ(୨୫), ଦୁରୁ ଜୁଆଙ୍ଗ (୨୬)ଙ୍କ ଅଜଣା ଜ୍ବର କାରଣରୁ ମୃତ୍ୟୁ ହୋଇଛି। ବର୍ତ୍ତମାନ ଏହି ସାହିର ଜାଗଲା ଜୁଆଙ୍ଗ(୫୦), ଶରତ ଚନ୍ଦ୍ର ଜୁଆଙ୍ଗ(୩୫), ଅନୀତା ଜୁଆଙ୍ଗ(୩୦), ପରବାସିଆ ଜୁଆଙ୍ଗ(୫୫), ନିଦ୍ରାବତୀ ଜୁଆଙ୍ଗ(୪୫), କୁଚେନ୍ଦ୍ର ଜୁଆଙ୍ଗ(୬୦), ସମ୍ବାରି ଜୁଆଙ୍ଗ(୫୫), ଚଳନୀ ଜୁଆଙ୍ଗ(୪୦), ତି‌‌ଳୋତ୍ତମା ଜୁଆଙ୍ଗ(୩୦), କୁର୍ତ୍ତି ଜୁଆଙ୍ଗ(୨୫), ଶଙ୍କର ଜୁଆଙ୍ଗ(୨୨), କାଞ୍ଚଲି ଜୁଆଙ୍ଗ(୬୫), ଗୁରୁ ଜୁଆଙ୍ଗ(୩୫), ଗୁଲୁରି ଜୁଆଙ୍ଗ(୨୮), ଗୋଲାପ ଜୁଆଙ୍ଗ(୬୦), ଉଦମି ଜୁଆଙ୍ଗ(୬୨), ମିନି ଜୁଆଙ୍ଗ(୨୨) ପ୍ରମୁଖ ରୋଗାକ୍ରାନ୍ତ ଅବସ୍ଥାରେ ଅଛନ୍ତି।

ଏହ ଗାଁର କୀର୍ତ୍ତନ ଜୁଆଙ୍ଗ କହନ୍ତି, ଗତ କିଛି ଦିନ ମଧ୍ୟରେ ଗାଁ ସାରା ପ୍ରାୟ ସମସ୍ତେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁମାନେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ଚିକିତ୍ସିତ ହୋଇ ଫେରିବା ପରେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏବେ ବି ବହୁ ଲୋକେ ଜ୍ବର‌ରେ ପଡ଼ିଛନ୍ତି। ଏ ସଂପର୍କରେ ସିଡିଏମ୍‌ଓ କିଶୋର କୁମାର ପୃଷ୍ଟି କହିଛନ୍ତି, ଜନ୍ତାରୀ ଜୁଆଙ୍ଗସାହି ସଂପର୍କରେ ଖବର ପାଇଛୁ। ଆଜି ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ଆସନ୍ତାକାଲି ସକାଳେ ଏହି ଟିମ୍‌ ଗାଁକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବେ। ଏ ସଂପର୍କର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି, ଏହି ଗାଁ ସଂପର୍କରେ ଖବର ପାଇବା ପରେ ତୁରନ୍ତ ଡାକ୍ତରୀ ଦଳ ପଠାଇବା ପାଇଁ  ସିଡିଏମ୍‌ଓଙ୍କୁ କୁହାଯାଇଛି। ବାଂଶପାଳ ବିଡିଓଙ୍କୁ ମଧ୍ୟ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ ପାଇଁ କୁହାଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି।