ରାୟଗଡ଼ା: ଗୋଲାପ ଚାଷ ମାଧ୍ୟମରେ ରାମନାଗୁଡ଼ା ବ୍ଲକ୍‌ର ଗ୍ରାମୀଣ ମହିଳାଙ୍କୁ ରୋଜଗାରକ୍ଷମ କରିଛନ୍ତି ଯମୁନା ମାଣ୍ଡାଙ୍ଗି। ପ୍ରଥମେ ନିଜେ ଚାଷ କରି ସଫଳ ହେବା ପରେ ଅନ୍ୟଙ୍କୁ ଉତ୍ସାହିତ କରିଛନ୍ତି। ପ୍ରଥମ ବର୍ଷରେ ୩ ଲକ୍ଷର ବ୍ୟବସାୟ କରିବା ସହିତ ରାଜଧାନୀ ଭୁବନେଶ୍ବର ବଜାରରେ ପହଞ୍ଚି ପାରିଛି ରାମନାଗୁଡ଼ା ଅଞ୍ଚଳର ଗୋଲାପ। ବଜାରରେ ଗୋଲାପର ଚାହିଦା ଥିବାରୁ ଅନେକ ମହିଳା ଏବେ ଅନ୍ୟ କାର୍ଯ୍ୟ ଓ ବୃତ୍ତି ଛାଡ଼ି ଗୋଲାପ ଚାଷ ମୁହାଁ ହୋଇଛନ୍ତି। ଯାହାର ମଙ୍ଗ ଧରିଛନ୍ତି ଯମୁନା।

Advertisment

ରୋଜଗାରକ୍ଷମ କରିଛି ଗୋଲାପ ଚାଷ
ବର୍ଷକରେ ୩ ଲକ୍ଷର ବେପାର

ରାମନାଗୁଡ଼ା ବ୍ଲକ୍‌ର ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ଖାମ୍ବାଗୁଡ଼ା ଗ୍ରାମ। ପୂର୍ବରୁ ଏହି ଗ୍ରାମର ମହିଳା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ସହ ମୂଲ ଲାଗି ଜୀବିକା ନିର୍ବାହ କରୁଥିଲେ। ଯମୁନାଙ୍କ ଉଦ୍ୟମରେ ଏବେ ଗୋଲାପ ଚାଷ କରି ଜୀବନ ଜୀବିକାରେ ପରିବର୍ତ୍ତନ ଆଣିଛନ୍ତି। ଗ୍ରାମୀଣ ମହିଳାଙ୍କୁ ରୋଜଗାରକ୍ଷମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯମୁନାଙ୍କୁ ସହଯୋଗ କରି ଆସୁଛନ୍ତି ରଜନୀ କାଡ୍ରାକା। ଯମୁନା ଓ ରଜନୀଙ୍କ ଉଦ୍ୟମରେ ବ୍ଲକ୍‌ ଅଞ୍ଚଳରେ ମା’ ଘଟଗାଁ ତାରିଣୀ ସ୍ବୟଂସହାୟକ ଗୋଷ୍ଠୀ ଗତବର୍ଷ ପ୍ରଥମ ଥର ପାଇଁ ଗୋଲାପ ଫୁଲ ଚାଷ ଆରମ୍ଭ କରିଥିଲା। ଏହି ଗୋଷ୍ଠୀର ଆଗ୍ରହକୁ ଦେଖି ବ୍ଲକ୍‌ ପ୍ରଶାସନ ଓ ଜୀବିକା ମିସନ୍‌ ସହଯୋଗର ହାତ ବଢ଼ାଇଥିଲା। ଗୋଷ୍ଠୀ ସଦସ୍ୟାଙ୍କୁ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରରେ ଉନ୍ନତ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବୁନ୍ଦା ଜଳସେଚନ ମାଧ୍ୟମରେ ଗୋଲାପ ଚାଷ ତାଲିମ ପାଇବା ପରେ ପୁଣେରୁ ଉନ୍ନତମାନର ୧୩ ହଜାର ଚାରା ଆଣି ବ୍ଲକ୍‌ ପ୍ରଶାସନ ଯୋଗାଇଥିଲା।

ଗୋଷ୍ଠୀ ସଦସ୍ୟା ଗ୍ରାମର ଜଣେ ବ୍ୟକ୍ତିଙ୍କ ୧ ଏକର ଜମିକୁ ଲିଜ୍‌ରେ ନେଇ ଚାଷ ଆରମ୍ଭ କରିଥିଲେ। ଉତ୍ପାଦିତ ଫୁଲକୁ ପ୍ରଥମେ ନିକଟସ୍ଥ ବଜାରରେ ୫ରୁ ୧୦ ଟଙ୍କାରେ ବିକ୍ରି କରିଥିଲେ। ଉତ୍ପାଦନ ବୃଦ୍ଧି ପରେ ପଦ୍ମପୁର, ଗୁଣପୁର, ରାୟଗଡ଼ା, ବ୍ରହ୍ମପୁର ଓ ଭୁବ‌ନେଶ୍ବର ବଜାରକୁ ପଠାଇଥିଲେ। ଚାଷରେ ପାରଙ୍ଗମ ହେବା ପରେ ଗୋଷ୍ଠୀ ସଦସ୍ୟା ଗୋଲାପ ଫୁଲରୁ ଗୋଲାପ ଜଳ ପ୍ରସ୍ତୁତ କରି ବିକ୍ରି ଆରମ୍ଭ କରିଛନ୍ତି। ଯମୁନା ଓ ରଜନୀଙ୍କ ତତ୍ତ୍ବାବଧାନରେ ଗୋଗୁରପାଙ୍ଗ ଗ୍ରାମର ମହିଳା ଅଧା ଏକର ଜମିରେ ଗୋଲାପ ଚାଷ ଆରମ୍ଭ କରିଛନ୍ତି। ଉପାନ୍ତ ଅଞ୍ଚଳର ମହିଳା ଗୋଲାପ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖି ରାମନାଗୁଡ଼ା ବିଡିଓ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ସହଯୋଗର ହାତ ବଢ଼ାଇଛନ୍ତି। ଗୋଲାପ ଫୁଲ ସହିତ ପ୍ରସ୍ତୁତ ଗୋଲାପ ଜଳର ବ୍ରାଣ୍ଡିଂ କରି ବଜାରରେ ବିକ୍ରି ପାଇଁ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ପରାମର୍ଶରେ ଶୁଣ୍ଢିଢ଼ାମୁଣୀ, କମୁପଦର, ନୀଳକଣ୍ଠପୁର ଓ ଗୋଗୁରପାଙ୍ଗ ଅଞ୍ଚଳର ୪ଟି ଗୋଷ୍ଠୀ ଖୁବ୍‌ଶୀଘ୍ର ଗୋଲାପ ଚାଷ ଆରମ୍ଭ କରିବାକୁ ଯାଉଛନ୍ତି।