ଭୁବନେଶ୍ବର: ୨୦୧୮। ଓଡ଼ିଶାରେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ। ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ବାଘୁଣୀ ଓ କାହ୍ନା ଜାତୀୟ ଉଦ୍ୟାନରୁ ମହାବଳକୁ ସାତକୋଶିଆ ସ୍ଥାନାନ୍ତର କରାଯାଇଥିଲା। ଲକ୍ଷ୍ୟ ଥିଲା ମହାବଳଶୂନ୍ୟ ସାତକୋଶିଆ ଅଭୟାରଣ୍ୟରେ ବାଘବଂଶ ପୁନରୁଦ୍ଧାର କରିବା। ମାତ୍ର ତାହା ଫଳପ୍ରଦ ହେଲା ନାହିଁ। ବାଘଙ୍କ ସଂଖ୍ୟା ଦୁଇରୁ ତିନି ହେବା ପୂର୍ବରୁ ଶିକାରୀଙ୍କ ପଞ୍ଝାରେ ମହାବଳର ଜୀବନ ଗଲା ଏବଂ ପରିଚାଳନାଗତ ତ୍ରୁଟି ଯୋଗୁଁ ବନ୍ଦୀ ଜୀବନ ବିତାଇବା ପରେ ବାଘୁଣୀ ପୁଣିଥରେ ମଧ୍ୟପ୍ରଦେଶ ଫେରିଲା। ଇତିମଧ୍ୟରେ ୬ ବର୍ଷ ବିତିଗଲାଣି। ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଘଟିଥିଲେ ମଧ୍ୟ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସବୁ କିଛି ସୀମିତ। ଶିମିଳିପାଳରେ କେବଳ ୯୦% ବାଘ ରହିଛନ୍ତି। ସେଥିରୁ ଅଧା କଳାବାଘ(ମେଲାନିଷ୍ଟିକ୍ ଟାଇଗର)। କଳାବାଘ ବଂଶ ବୃଦ୍ଧି ପାଇଥିବାରୁ ତାହା ଉପରେ ରୋକ ଲଗାଇବାକୁ ବନ ବିଭାଗ ପକ୍ଷରୁ ପୁଣିଥରେ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ବାଘ ବଂଶର ଆନୁବଂଶୀୟ ବିବିଧତା, ଗୁଣବତ୍ତାରେ ଉନ୍ନତି ଏବଂ ଲିଙ୍ଗଗତ ଅସଙ୍ଗତି ଦୂର କରିବାକୁ ମହାରାଷ୍ଟ୍ରର ତଡୋବା ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପରୁ ଗୋଟିଏ ବାଘୁଣୀ ସ୍ଥାନାନ୍ତର କରାଯାଇଛି। ଆଜି ଶିମିଳିପାଳ କୋର ଅଞ୍ଚଳରେ ପ୍ରସ୍ତୁତ ଏକ ଏନ୍କ୍ଲୋଜର ଭିତରେ ନିରୀକ୍ଷଣ ପାଇଁ ରଖାଯାଇଛି। ସେଠାରେ କିଛିଦିନ ନିରୀକ୍ଷଣ ପରେ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି।
ଶ୍ରୀ ନନ୍ଦ ଆହୁରି କହିଛନ୍ତି ଯେ ବାଘୁଣୀକୁ ଛଡ଼ାଯିବା ପରେ ମହାରାଷ୍ଟ୍ରରୁ ଆସିଥିବା ସ୍ବତନ୍ତ୍ର ତାଲିମପ୍ରାପ୍ତ ଦଳ ତାହାର ଗତିବିଧି ନିରୀକ୍ଷଣ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଗୋଟିଏ ବାଘୁଣୀ ଶିମିଳିପାଳକୁ ଆଣିବାକୁ ପ୍ରକ୍ରିୟା ଚାଲିଛି। ଦୁଇଟି ବାଘୁଣୀ ଆଣିବା ପୂର୍ବରୁ ଆମକୁ ୭ଟିକୁ ଚିହ୍ନଟ କରିବାକୁ ପଡ଼ିଥିଲା। ସେଥିରୁ ଗୋଟିଏ ଅଣାଯାଇଛି। ବାକି ଥିବା ୬ଟି ମଧ୍ୟରୁ ଆଉ ଗୋଟିଏ ଆଣିବାକୁ ଓଡ଼ିଶାରୁ ଏକ ସ୍ବତନ୍ତ୍ର ଟିମ୍ ଓ ଗାଡ଼ି ଏବେ ତଡୋବା ଜଙ୍ଗଲ ନିକଟରେ ରହିଛି। ଯେକୌଣସି ମୁହୂର୍ତ୍ତରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ସ୍ଥାନାନ୍ତର କରାଯାଇପାରେ। ସକାଳଠାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ହିଁ ଟ୍ରାଙ୍କୁଲାଇଜ୍ କରିବାକୁ ଉପଯୁକ୍ତ ସମୟ ଏବଂ ଦୁଇ ଘଣ୍ଟା ମଧ୍ୟରେ ତାହାକୁ ସ୍ଥାନାନ୍ତର ଦିଗରେ ପଦକ୍ଷେପ ନିଆଯିବ। ଯେଉଁ ବାଘୁଣୀମାନଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ବୟସ ଦୁଇରୁ ତିନି ବର୍ଷ ମଧ୍ୟରେ। ଏହି ବୟସରେ ସେମାନେ ନୂଆ ଅଞ୍ଚଳ ଚିହ୍ନଟ କରିଥାନ୍ତି। ତେଣୁ ଶିମିଳିପାଳ ଅଭୟାରଣ୍ୟକୁ ସେମାନେ ନିଜର ବାସସ୍ଥଳୀ କରିପାରିବେ। ସେପଟେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣିଥରେ ମହାବଳ ଫେରାଇ ଆଣିବାକୁ ପ୍ରକ୍ରିୟା ଚାଲିଛି। ୧୫ଟି ସର୍ତ୍ତ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ)ଙ୍କ ଅନୁମତି ମିଳିବା ପରେ ଅଭୟାରଣ୍ୟର କୋର୍ ଏରିଆକୁ ଗାଁ ଶୂନ୍ୟ କରାଯାଇଛି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାୟ ୨୦୦ ହରିଣ/କୁଟୁରା/ସମ୍ବରଙ୍କୁ ସାତକୋଶିଆର କୋର୍ ଏରିଆକୁ ସ୍ଥାନାନ୍ତର କରାଯିବ। ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ(ଏସ୍ଟିପିଏଫ୍)ଙ୍କୁ ନିୟୋଜିତ ହୋଇଛନ୍ତି। ବନ୍ୟଜନ୍ତୁ ଶିକାରୀଙ୍କ ଉପରେ ନଜର ରଖିବାକୁ ଜଙ୍ଗଲରେ ୧୨ଟି ସ୍ବତନ୍ତ୍ର ଗାଡ଼ି ନିୟୋଜିତ ହୋଇଛି। ଯେଉଁଥିରେ ଜିପିଏସ୍, ନାଭିଗେସନ୍ ସମେତ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ବିଭିନ୍ନ ସରଞ୍ଜାମ ଲାଗିଛି। ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୧୬ଟି ବାଘ ଓ ବାଘୁଣୀଙ୍କୁ ଅଭୟାରଣ୍ୟରେ ଛଡ଼ାଯିବ। ଅନୁରୂପ ଭାବେ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି କରାଯିବ। କିଛି ମାସ ପୂର୍ବରୁ ଗୋଟିଏ ମହାବଳ ଏଠାରେ କିଛି ଦିନ ଧରି ରହିଥିଲା। ପରବର୍ତ୍ତୀ ସମୟରେ ଜଙ୍ଗଲ ପରିବର୍ତ୍ତନ କରିବା ସହ ଛତିଶଗଡ଼ରେ ତାହାର ମୃତ୍ୟୁ ହୋଇଥିବା ଖବର ଆସିଥିଲା। ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ପାଲଟିଥିବା ଡେବ୍ରିଗଡ଼କୁ ଦୁଇଟି ବାଘୁଣୀ ସହ ଗୋଟିଏ ଅଣ୍ଡିରା ମହାବଳ ଆଣିବାକୁ ବନ ବିଭାଗ ରୂପରେଖ ପ୍ରସ୍ତୁତ କରିଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ବାଘ ଅଣାଯିବ।
ଆଉ ଗୋଟିଏ ଆଣିବାକୁ ଡେରା ପକାଇଛି ବନ ବିଭାଗ
ସାତକୋଶିଆକୁ ୫ ବର୍ଷରେ ଆସିବେ ୧୬, ଡେବ୍ରିଗଡ଼କୁ ୩
ବାରିପଦା: ମହାରାଷ୍ଟ୍ରର ତଡ଼ୋବା ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପରୁ ୨ଟି ବାଘୁଣୀକୁ ଶିମିଳିପାଳ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରବିବାର ରାତିରେ ଶିମିଳିପାଳରେ ପହଞ୍ଚିଛି ଗୋଟିଏ ବାଘୁଣୀ। ବାଘୁଣୀର ନାମ ଦିଆଯାଇଛି ‘ଯମୁନା’। ପିଞ୍ଜରାରେ ଥିବା ଯମୁନାକୁ ଆଜି ପୂର୍ବାହ୍ଣ ୯ଟା ୨୬ରେ ଶିମିଳିପାଳ କୋର୍ ଏରିଆର ଏକ ଏନ୍କ୍ଲୋଜରକୁ ନିଆଯାଇଥିଲା। ପିଞ୍ଜରାର ଫାଟକ ଖୋଲିବା ମାତ୍ରେ ନିଜର ବଡ଼ ବଡ଼ ପଞ୍ଝାରେ ବେଶ୍ କିଛି ସମୟ ଏତେତେଣେ ଦୌଡ଼ିଥିଲା ଯମୁନା। ଏହାପରେ ଧଇଁସଇଁ ହୋଇ ବସି ପଡ଼ିଥିଲା। ସୂଚନାଯୋଗ୍ୟ; ମହାରାଷ୍ଟ୍ରର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଓ ତଡ଼ୋବ ଆନ୍ଧରି ବ୍ୟାଘ୍ର ପ୍ରକଳ୍ପର ଅଧିକାରୀମାନଙ୍କ ସହିତ ପରାମର୍ଶ କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରୁ ଏକ ଦଳ ଯମୁନାକୁ ଆଣିବା ପାଇଁ ସ୍ବତନ୍ତ୍ର ଗାଡ଼ି ନେଇ ତାଡ଼ୋବା ଯାଇଥିଲେ। ୨ ବର୍ଷ ୭ ମାସ ବୟସର ବାଘୁଣୀ ଯମୁନାକୁ ଦୀର୍ଘ ୯୦୦ କିଲୋମିଟର ସଡ଼କ ପଥରେ ଅଣାଯାଇଥିଲା। ଗତକାଲି ଯଶିପୁର ପଟୁ ଶିମିଳିପାଳରେ ପଶିଥିଲା ବାଘୁଣୀକୁ ଆଣିଥିବା ଗାଡ଼ି। ଆଜି ସକାଳୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିମିଳିପାଳ କୋର୍ ଅଞ୍ଚଳରେ ପ୍ରସ୍ତୁତ ଏକ ସ୍ବତନ୍ତ୍ର ଏନ୍କ୍ଲୋଜରରେ ନିରୀକ୍ଷଣ ପାଇଁ ଏହାକୁ ଛଡ଼ା ଯାଇଥିଲା।
ଏଠାରେ କିଛିଦିନ ନିରୀକ୍ଷଣ କରାଯିବ ପରେ ଶିମିଳିପାଳର ମୁକ୍ତ ଜଙ୍ଗଲରେ ଏହାକୁ ଛଡ଼ାଯିବ। ବାଘଟିକୁ ଛଡ଼ାଯିବା ପରେ ମହାରାଷ୍ଟ୍ରରୁ ସ୍ବତନ୍ତ୍ର ଭାବରେ ତାଲିମପ୍ରାପ୍ତ ଏକ ଦଳ ଏହାର ଗତିବିଧି ନିରୀକ୍ଷଣ କରିବ। ଏନ୍ଟିସିଏରୁ ଅନୁମତି ମିଳିଲାପରେ ପରବର୍ତ୍ତୀ ସମୟରେ ସେହି ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପରୁ ଆଉ ଏକ ବାଘ ଅଣାଯିବ ବୋଲି ଆର୍ସିସିଏଫ୍ ଯୋଗ ଦୟାନନ୍ଦ କହିଛନ୍ତି।