ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ଜଣାଶୁଣା କଥାଶିଳ୍ପୀ ଯଶୋଧାରା ମିଶ୍ରଙ୍କୁ ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଦିଆଯିବ | ଆଜି ସାହିତ୍ୟ ଏକାଡେମି ପକ୍ଷରୁ ଏହି ଘୋଷଣା କରାଯାଇଛି। ଗତବର୍ଷ ତିନିଟି ଭାଷାରେ ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା ହୋଇ ନ ଥିଲା। ତା’ମଧ୍ୟରେ ଓଡ଼ିଆ ଥିଲା। ଏକାଡେମିର ସଭାପତି ଡ. ଚନ୍ଦ୍ରଶେଖର କମ୍ବର ଏକ ପ୍ରେସବାର୍ତ୍ତା ଜାରି କରି ଓଡ଼ିଆ ଭାଷା ଲାଗି ଏକାଡେମି ପୁରସ୍କାର ଡ.ମିଶ୍ରଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି।
ଡ.ଯଶୋଧାରା ମିଶ୍ରଙ୍କ ଲିଖିତ ପୁସ୍ତକ 'ସମୁଦ୍ରକୂଳ ଘର' ପାଇଁ ତାଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଛି | ରାଜ୍ୟର ତିନିଜଣ ବିଶିଷ୍ଟ ସାହିତ୍ୟିକ ଡ.ବୀଣାପାଣି ମହାନ୍ତି, ଡ.ପ୍ରତିଭା ରାୟ ଓ ରମାକାନ୍ତ ରଥଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଦ୍ବାରା ବହୁମତରେ 'ସମୁଦ୍ରକୂଳ ଘର'ର ଲେଖିକାଙ୍କୁ ପୁରସ୍କାର ଲାଗି ଚୟନ କରାଯାଇଛି। ଯଶୋଧାରାଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ |