କେନ୍ଦୁଝର: ସାମୁଦ୍ରିକ ବାତ୍ୟା ‘ୟାସ୍‌’ ବିପଦରୁ ବର୍ତ୍ତି ଯାଇଛି କେନ୍ଦୁଝର। ମାତ୍ର ଏହି ବାତ୍ୟା ପ୍ରଭାବରେ ସମଗ୍ର କେନ୍ଦୁଝର ବର୍ଷାରେ ଭିଜିଛି। ଗତକାଲି ଦିନରେ କିଛି ସମୟ ଅନ୍ତରରେ ବର୍ଷା ହେଉଥିଲେ ବି ଆଜି ସକାଳୁ ଅନବରତ ବର୍ଷା ଲାଗି ରହିଛି। ତେବେ ପୂର୍ବାହ୍ନ ୯ଟା ବେଳେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ କରିବା ସମୟ ଠାରୁ ଅପରାହ୍ନ ୧ଟାପର୍ଯ୍ୟନ୍ତ ପବନର ବେଗ ସାମନ୍ୟ ବଢ଼ିଥିଲା। ତେବେ ଏହି ବାତ୍ୟା ଏବଂ ବର୍ଷା ପ୍ରଭାବରେ କେନ୍ଦୁଝର ଜିଲ୍ଲାର ବିଶେଷ କ୍ଷୟକ୍ଷତି ହୋଇ ନ ଥିଲେବି ଆନନ୍ଦପୁରରେ ଗଛ ପଡ଼ି ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।

Advertisment

ସମ୍ଭାବ୍ୟ ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ତଳି ଅଂଚଳରୁ ‌ବାସିନ୍ଦାଙ୍କୁ ଆଶ୍ରୟ ସ୍ଥଳୀ ସହିତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡରେ ୧୨ଟି ଆମ୍ବୁଲାନ୍ସ ଆଗୁଆ ପ୍ରସ୍ତୁତ କରି ରଖାଯାଇଥିଲା। ଏଥିସହିତ ସମଗ୍ର ଜିଲ୍ଲାରେ ମୋଟ ୪୫୩ଟି ଆଶ୍ରୟ ସ୍ଥଳରେ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଥିବା ବେଳେ ୧୦୭ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ବାତ୍ୟାକୁ ଆଖି ଆଗରେ ରଖି ମୋଟ ୧୮୪୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାତ୍ୟା ପାଇଁ ଏ ସବୁ ପ୍ରସ୍ତୁତି ଭିତରେ କେନ୍ଦୁଝର ଜିଲ୍ଲାରେ ବାତ୍ୟା ବିଶେଷ କ୍ଷୟକ୍ଷତି କରି ନ ଥିବା ସୂଚନା ମିଳିଛି। ତେବେ ଗତକାଲି ମଧ୍ୟରାତ୍ରିରୁ ବର୍ଷା ହୋଇ ସମଗ୍ର ଜିଲ୍ଲା ବର୍ଷା‌ରେ ଭିଜିଛି। ଗତକାଲିଠାରୁ ବର୍ଷା ହେଉଥିଲେବି ଆଜି ସକା‌ଳେ ବର୍ଷା ଧୀରେ ଧୀରେ ବଢ଼ିଥିଲା। ତେବେ ୯ଟା ବେଳକୁ ବର୍ଷାର ବେଗ ବଢ଼ିଥିଲା ଏବଂ ପବନ ମଧ୍ୟ ଟିକେ ଅଧିକ ହୋଇଥିଲା।

publive-imageକେନ୍ଦୁଝର ଜିଲ୍ଲାର ଘଷିପୁରାରେ ସର୍ବାଧିକ ୮୭.୩ ମିମି ବର୍ଷା ହୋଇଥିବା ବେଳେ ତେଲକୋଇରେ ସର୍ବନିମ୍ନ ୧୭.୨ ମିମି ବର୍ଷା ହୋଇଛି। ତେବେ ଏହି ବର୍ଷା ପବନ ପାଇଁ ଆନନ୍ଦପୁର ବ୍ଲକର ପଂଚୁପଲ୍ଲୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ(୫୫)ଙ୍କ ଉପରେ ଗଛ ଭାଙ୍ଗି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ହାଟଡିହିର ବିଭିନ୍ନ ଅଂଚଳରେ ଗଛ ଭାଙ୍ଗି ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ କେନ୍ଦୁଝର ସଦର ବ୍ଲକର ନେଲୁଙ୍ଗ ଗ୍ରାମରେ ଏକ ବିଶାଳ ଗଛ ଭାଙ୍ଗି ପଡ଼ି ଗୋରୁ ଗୁହାଳ ଉପରେ ପଡ଼ିଥିବା ସୂଚନା ମିଳିଛି। ତେବେ ମୋଟାମୋଟି ଭାବେ ବାତ୍ୟା ବିପଦରୁ କେନ୍ଦୁଝର ବର୍ତ୍ତି ଯାଇଥିଲେ ବି ବର୍ଷାରେ ଭିଜିଛି ସମଗ୍ର କେନ୍ଦୁଝର ଜିଲ୍ଲା।