ସାଇକ୍ଲୋନମ୍ୟାନ୍‌ଙ୍କ ଗାଁରେ ମାଡ଼ହେବ ‘ୟାସ୍’

ଭଦ୍ରକ: ଯିଏ ସାରାଦେଶରେ ‘ସାଇ‌େକ୍ଲୋନ୍ ମ୍ୟାନ୍‌’ ଭାବେ ପରିଚିତ, ତାଙ୍କରି ଗାଁରେ ମାଡ଼ ହେବ ବାତ୍ୟା ‘ୟାସ୍’। ବାତ୍ୟାକୁ ନେଇ ସାରା ରାଜ୍ୟ ଆତଙ୍କିତ ହୋଇ ପଡ଼ିଥିବାବେଳେ ଏହା କେଉଁଆଡ଼କୁ ଗତି କରୁଛି ଏବଂ କେଉଁଠି ମାଡ଼ ହେବ, ତାକୁ ନେଇ ଭ‌ାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗତ ଏକ ସପ୍ତାହ ଧରି ସୂଚନା ଦେଇ ଆସୁଛନ୍ତି। ଏବେ ଶ୍ରୀ ମହାପାତ୍ରଙ୍କର ସୂଚନା ହେଉଛି ବାତ୍ୟା ‘ୟାସ୍’ ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ମଧ୍ୟ ଭାଗରେ ହିଁ ସ୍ଥଳଭାଗ ଛୁଇଁବ। ଆଉ ସେହି ସମ୍ଭାବ୍ୟ ସ୍ଥାନଟି ଶ୍ରୀ ମହାପାତ୍ରଙ୍କ ଜନ୍ମମାଟି।

ଶ୍ରୀ ମହାପାତ୍ର ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଘଣ୍ଟେଶ୍ବର ନିକଟବର୍ତ୍ତୀ ରାଜଗୁରୁପୁର ଗ୍ରାମରେ ଜନ୍ମ ହୋଇଥିଲେ । ଏହି ଅଖ୍ୟାତ ପଲ୍ଲୀରେ ଜନ୍ମିତ ଶ୍ରୀ ମହାପାତ୍ର ନିଜର ନିଷ୍ଠା, ସାଧନା ଓ ଅଧ୍ୟବସାୟ ବଳରେ ସେ ଆଜି ସମଗ୍ର ଦେଶରେ ‘ସାଇକ୍ଲୋନ୍ ମ୍ୟାନ୍‌’ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ଶ୍ରୀ ମହାପାତ୍ରଙ୍କ ପୈତୃକ ଗ୍ରାମରେ ବାତ୍ୟା ‘ୟାସ୍’କୁ ନେଇ ଲୋକେ ଆତଙ୍କିତ। ଗାଁରେ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଅଳ୍ପ କିଛି ପରିବାରକୁ ଛାଡ଼ିଦେଲେ ଅଧିକାଂଶ ଲୋକଙ୍କ ଚାଳଛପର ଘର। ବାତ୍ୟା ‘ୟାସ୍’ ଧାମରା ଅଞ୍ଚଳ ଦେଇ ଗତି କରିବ। ଏହି ସ୍ଥାନଟି ଶ୍ରୀ ମହାପାତ୍ରଙ୍କ ଗାଁ ରାଜଗୁରୁପୁର ଧାମରାଠାରୁ ମାତ୍ର ୭ କିମି ଦୂରରେ ଅବସ୍ଥିତ। ଆସନ୍ତାକାଲି ସକାଳେ ବାତ୍ୟା ‘ୟାସ୍’ର ପ୍ରଭାବ ଶ୍ରୀମହାପାତ୍ରଙ୍କ ଗାଁରେ ବିଶେଷ ପ୍ରଭାବ ପକାଇବ। ଯଦି ଆକଳନ ସତ ହୁଏ, ତେବେ ସାଇକ୍ଲୋନ୍ ‘ୟାସ୍’ ସେଇଠି ତାଣ୍ଡବ ରଚିବ। ଶ୍ରୀ ମହାପାତ୍ରଙ୍କ ପିଲାଦିନର ସ୍ମୃତି ମ‌ନେ ପକାଇ ଗାଁରେ ରହୁଥିବା ତାଙ୍କ ସଂପର୍କୀୟ ବଡ଼ଭାଇ ଡା. ରବି ମହାପାତ୍ର କୁହନ୍ତି, ‘ମୃତ୍ୟୁଞ୍ଜୟ ପିଲାଦିନେ ମେଧାବୀ ଥିଲା। ଆମ ପାଣିକାଦୁଅର ଗାଁରେ ସେ ପାଠ ପଢ଼ିଛି। ପରେ ଉଚ୍ଚଶିକ୍ଷା ଲାଭକରି ଆଜି ଭାରତବର୍ଷରେ ନିଜର ପରିଚୟ ସୃଷ୍ଟି କରିପାରିଛି। ତାର ପ୍ରସିଦ୍ଧି ପାଇଁ ଆମେ ଗର୍ବିତ।’

ସମ୍ବନ୍ଧିତ ଖବର