ଆଜି ତାଣ୍ଡବ ରଚାଇବ ‘ୟାସ୍’ ୪ ମିଟର ଜୁଆର ଉଠି ସ୍ଥଳଭାଗକୁ ମାଡ଼ିଆସିପାରେ ସମୁଦ୍ର

ଧାମରା ଓ ଚାନ୍ଦବାଲି ଉପରେ ଆଖି ରହିବ, ବାଲେଶ୍ବର-ଭଦ୍ରକକୁ ଅସ୍ତବ୍ୟସ୍ତ କରିବ

ଭୁବନେଶ୍ବର: ଉଛୁଳୁଛି ସମୁଦ୍ର। ଭୀଷଣ ଅଶାନ୍ତ। ପାରାଦୀପ ଠାରୁ ବାଲେଶ୍ବର ଦୀଘା ଯାଏ ଉପକୂଳ ଅଞ୍ଚଳରେ ଥିବା ଜନବସତିରେ ଧସେଇ ପଶିବାକୁ ଉଦ୍ୟମ କରୁଛି, ଯେମିତିକି ଗୋଟିଏ ପରେ ଗୋଟିଏ ଗାଁ ଗିଳିଦେବ। ଏଣେ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ସମୁଦ୍ର ଉପକୂଳ ଜିଲ୍ଲା ଅସ୍ତବ୍ୟସ୍ତ ହୋଇଗଲାଣି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍’ ଆଜି ଅତି ଭୀଷଣ ରୂପ ଧାରଣ କରି ଉପକୂଳ ଛୁଇଁବା ଆଗରୁ ଏଭଳି ପ୍ରଳୟ ରଚନା କଲାଣି। ଏହାହିଁ ସୂଚାଇ ଦେଉଛି ଯେ ଅତି ଭୀଷଣ ରୂପ ଧାରଣ କରିଥିବା ଏହି ବାତ୍ୟା କେତେ ଉଗ୍ର ଓ କେତେ ଭୟଙ୍କର ଭାବେ ଧ୍ବଂସର ତାଣ୍ଡବଲୀଳା ସୃଷ୍ଟି କରିବ। ଆଇଏମ୍‌ଡି ଆଜି ରେଡ୍ ଆଲର୍ଟ ଜାରି କରିଛି।

ରିପୋର୍ଟ ଲେଖାହେବା ବେଳକୁ ଏହା ପାରାଦୀପ ଠାରୁ ୧୨୦ କିଲୋମିଟର ଏବଂ ବାଲେଶ୍ବରଠାରୁ ୨୦୦ କିଲୋମିଟର ଦୂରରେ ରହିଛି ଏବଂ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅର୍ଥାତ୍ ଓଡ଼ିଶା ଆଡ଼କୁ ଆକ୍ରମଣାତ୍ମକ ଢଙ୍ଗରେ ମାଡ଼ି ଚାଲିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ‘ସମ୍ବାଦ’କୁ ଦେଇଥିବା ସୂଚନା ଅନୁସାରେ, ଅତି ଭୀଷଣ ରୂପରେ ଥିବା ବାତ୍ୟାଟି ୨୬ତାରିଖ ସକାଳେ ଧାମରାଠାରୁ ୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବ। ମଧ୍ୟାହ୍ନ ସୁଦ୍ଧା ଏହା ଧାମରାର ଉତ୍ତରକୁ ଏବଂ ବା‌େଲଶ୍ବର ଦକ୍ଷିଣ ପାଖରେ ସ୍ଥଳଭାଗ ଛୁଇଁବ ଏବଂ ଆଗକୁ ବଢ଼ିବ।

ଡ. ମହାପାତ୍ର କହିଛନ୍ତି ଯେ ବାତ୍ୟାର ଆଖି ରାଡାର୍‌ରେ ସ୍ପଷ୍ଟ ଭାବେ ଦେଖାଦେଲାଣି। ଏହା ଅତି ଉଗ୍ର ରୂପରେ ଆଗକୁ ବଢ଼ୁଛି। ଆଇଏମ୍‌ଡି ଯେଉଁ ସୂଚନା ଦେଇଥିଲା, ତାହା ବଳବତ୍ତର ରହିଛି। ଅର୍ଥାତ୍ ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଉପକୂଳରେ ପହଞ୍ଚିବା ପରେ ଏହା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରକୁ କ୍ଷତବିକ୍ଷତ କରିପକାଇବ। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ ରହିଥିବ ଏବଂ ବେଳେ ବେଳେ ଏହା ୧୫୫ କିଲୋମିଟର ବେଗରେ ଝଟ୍‌କା ଦେବ।

ସବୁଠାରୁ ବଡ଼ କଥା ହେଲା, ସଂଯୋଗବଶତଃ ପୂର୍ଣ୍ଣିମା କାରଣରୁ ବାତ୍ୟାର ପ୍ରକୋପ ଟିକିଏ ଅଧିକ ରହିଛି। ସାମୁଦ୍ରିକ ଜୁଆର ସ୍ଥଳଭାଗକୁ ମାଡ଼ିଆସିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଆଜିଠାରୁ ଅନେକ ଗାଁକୁ ସମୁଦ୍ର ପାଣି ମାଡ଼ି ଆସିଥିବା ଖବର ମିଳିଛି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଏ ଦୃଷ୍ଟିରୁ ବେଶି ବିପଦ ସୃଷ୍ଟି କରିପାରେ। ବାଲେଶ୍ବର ଏବଂ ଭଦ୍ରକରେ ୪ ମିଟର ଯାଏ ଏବଂ କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ ମିଟର ଉଚ୍ଚର ସାମୁଦ୍ରିକ ଜୁଆର ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାଲେଶ୍ବରର କୁମ୍ଭୀରଗଡି ଅଞ୍ଚଳରେ ୩.୮ ମିଟର ଉଚ୍ଚର ଜୁଆର ସୃଷ୍ଟି ହେବ ଏବଂ ୨ କିଲୋମିଟର ଯାଏ ଏହାର ମାଡ଼ିଆସିପାରେ। ସେହିଭଳି ଭଦ୍ରକରେ ମୋହନପୁର ନିକଟରେ ୨.୧ ମିଟର ଯାଏ ଉଠିବ ଓ ୭ କିଲୋମିଟର ଯାଏ ପ୍ରଭାବ ରଖିବ ଏବଂ କେନ୍ଦ୍ରାପଡ଼ା ଟିକାୟତ ନଗରରେ ମଧ୍ୟ ଦେଢ ଫୁଟ ଉଚ୍ଚରେ ଜୁଆର ଉଠିବ।

ଡ. ମହାପାତ୍ର ଆହୁରି ସ୍ପଷ୍ଟ କରି କହିଛନ୍ତି ଯେ ଭଦ୍ରକର ଧାମରା, ଚାନ୍ଦବାଲି ଏବଂ ବାଲେଶ୍ବର ସହରରେ ତାଣ୍ଡବ ରଚାଇବ ‘ୟାସ୍’ ଏବଂ କେନ୍ଦୁଝରର କିଛି ଅଂଶ ଏବଂ ମୟୂରଭଂଜ ଦେଇ ଆଗକୁ ବଢ଼ିବ। ପରିସ୍ଥିତିର ଗମ୍ଭୀରତା ଦେଖି ଆଜି ଧାମରା ଓ ପାରାଦୀପରେ ୧୦ ନମ୍ବର ଏବଂ ପୁରୀରେ ୮ ନମ୍ବର ଓ ଗୋପାଳପୁରରେ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟାର ପୂର୍ବ ୬ ଘଣ୍ଟା ଏବଂ ପରବର୍ତ୍ତୀ ୬ ଘଣ୍ଟା ସବୁଠାରୁ ବିପଦର ସମୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କେବଳ ସେତିକି ନୁହେଁ, ବର୍ଷା ଏତେ ପ୍ରବଳ ହେବ ଯେ ସାମ୍ନାରେ କିଛି ବି ଦୃଶ୍ୟମାନ ହୋଇନପାରେ। ଏଣୁ କେହି ନ ବାହାରିବା ପାଇଁ ଆଇଏମ୍‌ଡି ବାରଣ କରିଛି। ଆଇଏମ୍‌ଡି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମଯୂରଭଂଜ, କେନ୍ଦୁଝର, ଢେଙ୍କାନାଳରେ ରେଡ୍ ଵାର୍ଣ୍ଣିଂ ଜାରି ହୋଇଛି। ଏଠାରେ ୨୨୦ ମିମିରୁ ଅଧିକ ଅର୍ଥାତ୍ ଭୀଷଣ ବର୍ଷା ହୋଇପାରେ। ସେହି ସମୟରେ ଅନୁଗୁଳ, ଦେବଗଡ, ଖୋର୍ଧା, ପୁରୀ ଓ ସୁନ୍ଦରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବ। ୨୭ ତାରିଖରେ ସୁନ୍ଦରଗଡ଼, ଦେବଗଡ଼ ଏବଂ କେନ୍ଦୁଝର ପାଇଁ ପାଣିପାଗ ବିଭାଗ ୟେଲୋ ଵାର୍ଣ୍ଣିଂ ବା ପ୍ରବଳ ବର୍ଷା ସୂଚନା ଦେଇଛି।

ପାଣିପାଗ ବିଭାଗ କହିଛି ଯେ ଆଜି ରାତି ପରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, ବାଲେଶ୍ବରରେ ପବନର ବେଗ ୬୫ରୁ ୭୫ କିଲୋମିଟର ବେଗରେ ଆସିବ ଏବଂ ବେଳେବେଳେ ୮୫ କିଲୋମିଟର ବେଗରେ ଝଟ୍‌କା ଦେବ। ଗଞ୍ଜାମ, ଖୋର୍ଧା, କଟକ, ଯାଜପୁର, ମୟୂରଭଂଜରେ ଘଣ୍ଟାପ୍ରତି ୪୦ରୁ ୫୦ ଏବଂ ସ୍ଥଳ ବିଶେଷରେ ୬୦ କିଲୋମିଟର ବେଗରେ ହୋଇପାରେ। ୨୬ ତାରିଖ ସକାଳ ବେଳକୁ ପବନର ବେଗ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେରେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟରକୁ ବଢ଼ିବା ସହିତ ବେଳେ ବେଳେ ୧୫୫ କିଲୋମିଟର ଝଟ୍‌କା ଦେବ। ଏହି ସମୟରେ ମୟୂରଭଂଜରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦କିଲୋମିଟରକୁ ବଢ଼ିପାରେ। ୨୬ ତାରିଖରେ ପୁରୀ, କଟକ, ଖୋର୍ଧା ଏବଂ ଯାଜପୁରରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ ଏବଂ ବେଳେ ବେଳେ ୯୦ କିଲୋମିଟର ବେଗରେ ଝଟ୍‌କା ଦେବ। ଗଞ୍ଜାମ, ଢେଙ୍କାନାଳ, କେନ୍ଦୁଝରରେ ଘଣ୍ଟାପ୍ରତି ୭୦ କିଲୋମିଟର ଛୁଇଁପାରେ ପବନ। ଅନୁଗୁଳ, ଦେବଗଡ ଏବଂ ସୁନ୍ଦରଗଡରେ ପବନର ବେଗ ୬୦ କିଲୋମିଟର ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ୨୭ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ ଏବଂ ବେଳେ ବେଳେ ୬୦ କିଲୋମିଟର ବେଗରେ ଧକ୍‌କା ଦେଇପାରେ।

ସମ୍ବନ୍ଧିତ ଖବର