ଶ୍ରୀକ୍ଷେତ୍ରରୁ ଆରମ୍ଭ କଲେ ଯାତ୍ରା: ସାଷ୍ଟାଙ୍ଗ ପ୍ରଣାମରେ ବାବାଙ୍କ କେଦାରନାଥ, ବଦ୍ରିନାଥ ଯାତ୍ରା

୩ ବର୍ଷରେ ପୂରା କରିବେ, ଦୈନିକ ୫ କିମି ସାଷ୍ଟାଙ୍ଗ ପ୍ରଣାମ

ପୁରୀ: ସାଷ୍ଟାଙ୍ଗ ପ୍ରଣାମ କରି ଶ୍ରୀକ୍ଷେତ୍ରରୁ କେଦାରନାଥ, ବଦ୍ରିନାଥ ଯାତ୍ରା ପୂରଣ କରିବେ ଝାଡ଼ଖଣ୍ଡରୁ ଆସିଥିବା ଦୁଇ ବାବା। ନିଜକୁ ବଡ଼ ଝାଡଖଣ୍ଡୀ ବାବା ଓ ଛୋଟ ଝାଡଖଣ୍ଡୀ ବାବା ବୋଲି ପରିଚୟ ଦେଉଥିବା ଦୁଇ ବାବା ଆଜି ଶ୍ରୀକ୍ଷେତ୍ରର ପବିତ୍ର ମାଟିରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ବାରରୁ ସାଷ୍ଟାଙ୍ଗ ପ୍ରଣାମ କରି ବଡ଼ଦାଣ୍ଡ ଦେଇ ସେ ୩୧୬ ନମ୍ବର ଜାତୀୟ ରାଜପଥରେ ଏହି ଯାତ୍ରା କରିବେ। ଦୈନିକ ୫ କିମି ହିସାବରେ ୩ ବର୍ଷରେ ଏହି ଲକ୍ଷ୍ୟ ପୂରଣ କରିବାକୁ ଦୁଇ ବାବା ଲକ୍ଷ୍ୟ ରଖିଛନ୍ତି।

ଆଜି ସକାଳୁ ବଡ଼ଦାଣ୍ଡ ଦେଇ ଏହି ଦୁଇ ବାବା ଏଭଳି ଯାତ୍ରାର ଦୃଶ୍ୟ ଅନେକଙ୍କୁ ଅଟକାଇ ଦେଇଥିଲା। ଦୁଇ ବାବାଙ୍କ ଭିତରୁ ଜଣେ ସାଷ୍ଟାଙ୍ଗ ପ୍ରଣାମ କରି ଯାଉଥିଲେ ଓ ଅନ୍ୟଜଣେ ସାଙ୍ଗରେ ଥିଲେ। ସାଷ୍ଟାଙ୍ଗ ପ୍ରଣାମ କରି ଯାଉଥିବା ବାବା ଜଣକ ହାତରେ ଏକ ଘଣ୍ଟି ଧରିଥିଲେ। ଯେଉଁଥିରେ ସେ ସାଷ୍ଟାଙ୍ଗ ପ୍ରଣାମର ମାପ ରଖୁଥିଲେ ଓ ପୁନର୍ବାର ସେହିଠାରୁ ଆଉ ଥରେ ସାଷ୍ଟାଙ୍ଗ ପ୍ରଣାମ ଆରମ୍ଭ କରୁଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସାଙ୍ଗରେ ଚାଲି ଚାଲି ଯାଉଥିବା ବାବା ଜଣକ କହିଛନ୍ତି, ସେମାନେ ଝାଡ଼ଖଣ୍ଡର ରାମଘାଟ ରାମଦାସ ଭବନ ଶ୍ୟାମସଦନରୁ ଆସିଛନ୍ତି। ସାଷ୍ଟାଙ୍ଗ ପ୍ରଣାମ କରି ଯାଉଥିବା ବାବା ଜଣକ ଝାଡଖଣ୍ଡରେ ବଡ଼ ଝାଡ଼ଖଣ୍ଡୀ ବାବା ଓ ସେ ଛୋଟ ଝାଡଖଣ୍ଡୀ ବାବା ଭାବେ ପରିଚିତ। ଏହି ଯାତ୍ରା ସଂପର୍କରେ ବାବା ଜଣକ କହିଛନ୍ତି, କିଛିଦିନ ତଳେ ତାଙ୍କୁ ସ୍ବପ୍ନା‌‌ଦେଶ ହୋଇଥିଲା। ନିଜେ ବଦ୍ରିନାଥ ତାଙ୍କୁ ସ୍ବପ୍ନ କରିଥିଲେ। ଏହି ସ୍ବପ୍ନାଦେଶ ପରେ ଦୁଇବାବା ଶ୍ରୀକ୍ଷେତ୍ରର ପବିତ୍ର ମାଟିରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ସାଷ୍ଟାଙ୍ଗ ପ୍ରଣାମ ସହ ଶ୍ରୀମନ୍ଦିରକୁ ୫ ଥର ପରିକ୍ରମା କରିବା ପରେ ବଡ଼ଦାଣ୍ଡ ଦେଇ କେଦାରନାଥ, ବଦ୍ରିନାଥ ଯାତ୍ରା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର