କୋଣାର୍କ : ପର୍ଯ୍ୟଟନ ଶିଳ୍ପ ଉପରେ ‘କରୋନା’ ପ୍ରଭାବ ପଡ଼ିଛି। କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଛି। ଫଳରେ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। କୋଣାର୍କ ଯାତ୍ରୀନିବାସକୁ ହଠାତ୍ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିବା ଦେଖାଯାଇଛି। ସର୍ବଦା ପର୍ଯ୍ୟଟକଙ୍କ ଗହଳିଚହଳିରେ ଚଳଚଞ୍ଚଳ ରହୁଥିବା କୋଣାର୍କ ଯାତ୍ରୀ ନିବାସ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ଯୋଗୁଁ ଖାଁ ଖାଁ ହୋଇପଡ଼ିଛି।
କୋଣାର୍କ ଯାତ୍ରୀନିବାସରେ ମୋଟ ୪୨ଟି ରୁମ୍ ରହିଛି। ସେଥିରୁ ଗତ ୧୧ ତାରିଖରେ ୮ଟି ରୁମ୍ ଭଡ଼ାରେ ଲାଗିଥିଲା। ସେହିପରି ୧୨ ତାରିଖରେ ଭଡ଼ାରେ ଲାଗିଥିବା ୫ଟି ରୁମ୍ ସହିତ ନୂଆକରି ୬ଟି ରୁମ୍କୁ ମିଶାଇ ମୋଟ ୧୧ଟି ରୁମ୍ ଭଡ଼ାରେ ଲାଗିଥିଲା। ସେହିଭଳି ଭାବେ ୧୩ ତାରିଖରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୧୨ ତାରିଖର ୩ଟି ରୁମ୍ ଓ ୧୩ ତାରିଖର ଗୋଟିଏ ରୁମ୍କୁ ମିଶାଇ ମୋଟ ୪ଟି ରୁମ୍ ଭଡ଼ାରେ ଲାଗିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖରାଦିନ ପାଇଁ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ୍ରେ ଭୋଜନ କରିବା ପାଇଁ ସର୍ବଦା ଯାତ୍ରୀ ନିବାସରେ ଗହଳି ଲାଗି ରହୁଥିବା ସମୟରେ ଏବେ ପର୍ଯ୍ୟଟକ ଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି।