ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ଖଣ୍ଡାହତା ଗ୍ରାମରେ ଗୁରୁବାର ଦିନ ଏକ ପାଇଖାନା ଟାଙ୍କିରେ ପଡ଼ି ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁପୁତ୍ର ଜଣକ କୋରେଇ ଥାନା ଅନ୍ତର୍ଗତ ବଛିପୁର ଗ୍ରାମର କାଳନ୍ଦି ବାରିକଙ୍କ ପୁଅ ସାଇପ୍ରସାଦ।
ପ୍ରକାଶ ଯେ, ସାଇପ୍ରସାଦକୁ ନେଇ ତା’ର ମାଆ ଖଣ୍ଡାହତାସ୍ଥିତ ବାପଘରକୁ ଆସିଥିଲେ। ଗୁରୁବାର ସକାଳେ ଶିଶୁଟି ଘର ନିକଟରେ ଖେଳୁଥିବା ସମୟରେ ପାଖରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଟାଙ୍କିରେ ଖସି ପଡ଼ିଥିଲା। ଏହା କେହି ଜାଣିପାରିନଥିଲେ। ପରେ ଘରଲୋକେ ତାକୁ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ସାଇପ୍ରସାଦ ପାଇଖାନା ଟାଙ୍କିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଶିଶୁଟିକୁ ଉଦ୍ଧାର କରି ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଯାଜପୁରରୋଡ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/dead-new-indian-express.jpg)