ମଶା କରୁଛି କଲବଲ, ବର୍ଷକରେ ୩୬ ହଜାରରୁ ଅଧିକ ଆକ୍ରାନ୍ତ

ମ୍ୟାଲେରିଆରେ ୫ ମୃତ, ଅବିଭକ୍ତ କୋରାପୁଟ ଏବେ ବି ସର୍ବାଧିକ ମ୍ୟାଲେରିଆପ୍ରବଣ

ଭୁବନେଶ୍ବର: ‌ରାଜ୍ୟବାସୀଙ୍କୁ କଲବଲ କରୁଛି ମଶା । ମଶା କାମୁଡ଼ା ଯୋଗୁଁ ଉଭୟ ମ୍ୟାଲେରିଆ ଓ ଡେଙ୍ଗୁରେ ଚଳିତବର୍ଷ ୩୬ହଜାରରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ଚଳିତବର୍ଷ ମ୍ୟାଲେରିଆ ୫ଜଣଙ୍କ ଜୀବନ ନେଇଥିବା ବେଳେ ଡେଙ୍ଗୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଏ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିନାହିଁ। ଡେଙ୍ଗୁରେ ପ୍ରାଣ ହରାଇଥିବା ବ୍ୟକ୍ତି ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ଦର୍ଶାଇ ବିଭାଗ ଏହାକୁ ଅଣଦେଖା କରିଚାଲିଛି। ଏହାସହ ଭୂତାଣୁଜନିତ ସ୍ବାଇନ୍ ଫ୍ଲୁ ମଧ୍ୟ ରାଜ୍ୟରେ ଥମୁନାହିଁ।

ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଭିବିଡିସିପି) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୩୩ହଜାର ୨୦୪ଜଣ ମ୍ୟାଲେରିଆ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ୫୪ଲକ୍ଷ ୫୩ହଜାର ୯୦୩ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ମାଲକାନାଗିରିରେ ସର୍ବାଧିକ ୭୫୦୭ଜଣ ଆକ୍ରାନ୍ତ ରହିଥିବା ବେଳେ ଏହାର ପଛକୁ ରହିଛି ରାୟଗଡ଼ା ଜିଲ୍ଲା। ଏଠାରେ ୪୭୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରେ ୪୬୩୦, କୋରାପୁଟରେ ୪୧୩୫, ଗଞ୍ଜାମରେ ୨୮୮୮, କନ୍ଧମାଳରେ ୨୩୧୮, ନବରଙ୍ଗପୁରରେ ୧୪୨୩, ସୁନ୍ଦରଗଡ଼ରେ ୧୨୯୭ ଓ ଗଜପତି ଜିଲ୍ଲାରେ ୧୧୦୮ଜଣ ଆକ୍ରାନ୍ତ ଚଳିତବର୍ଷ ନଜରକୁ ଆସିଛନ୍ତି। ଉପକୂଳବର୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବରରେ ଯଥେଷ୍ଟ କମ୍ ସଂଖ୍ୟକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ଏହି ସମୟରେ ୫୯ହଜାର ୪୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରେ ମଧ୍ୟ ମାଲକାନାଗିରି ଜିଲ୍ଲାରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଡେଙ୍ଗୁ ମୃତ୍ୟୁକୁ ନେଇ ଦ୍ବନ୍ଦ୍ବରେ ସ୍ବାସ୍ଥ୍ୟ ବିଭାଗ
ସ୍ବାଇନ୍‌ ଫ୍ଲୁରେ ପ୍ରାଣ ହରାଇଛନ୍ତି ୫

ସେହିପରି ଚଳିତବର୍ଷ ଡେଙ୍ଗୁରେ ରାଜ୍ୟରେ ୩୬୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଜିଲ୍ଲାରେ ୬୮୫ଜଣ, କଟକରେ ୩୬୯, ଭଦ୍ରକରେ ୩୧୪, ଯାଜପୁର ୩୫୨, ଖୋର୍ଧାରେ ୨୯୯, ଜଗତସିଂହପୁରରେ ୨୮୧, ଗଞ୍ଜାମରେ ୨୭୯, ପୁରୀରେ ୧୪୭, ସୁନ୍ଦରଗଡ଼ରେ ୧୦୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ନୂଆପଡ଼ାରେ ୧, ସମ୍ବଲପୁରରେ ୩ଜଣ, ବୌଦ୍ଧରେ ୪, ସୋନପୁରରେ ୬, ଢେଙ୍କାନାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ୭ଜଣ ଲେଖାଏ ଡେଙ୍ଗୁ ଆକ୍ରାନ୍ତ ରହିଛନ୍ତି। ଗତବର୍ଷ ଏହି ସମୟରେ ୫୧୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତହିଁରେ ୫ଜଣ ପ୍ରାଣ ହରାଇଥିଲେ। ମାତ୍ର ଚଳିତବର୍ଷ ଏସ୍‌ସିବି ମେଡିକାଲ କଲେଜ ଓ ରାଜ୍ୟର ଅନ୍ୟ ଡାକ୍ତରଖାନା‌ରେ ଡେଙ୍ଗୁଜନିତ ମୃତ୍ୟୁ ନଜରକୁ ଆସିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ କିନ୍ତୁ ଏହାକୁ ଡେଙ୍ଗୁଜନିତ ରିପୋର୍ଟ ମାନିବାକୁ ନାରାଜ। ସଂପୃକ୍ତ ରୋଗୀମାନେ ଅନ୍ୟ ରୋଗରେ ପୀଡ଼ିତ ଥିବା ବେଳେ ଡେଙ୍ଗୁରେ ଆକ୍ରାନ୍ତ ଯୋଗୁଁ ତାଙ୍କର ପ୍ରାଣହାନି ଘଟିଛି। ତେଣୁ ଏହାକୁ କେବଳ ଡେଙ୍ଗୁଜନିତ ମୃତ୍ୟୁ ବୋଲି କୁହାଯାଇ ପାରିବ ନାହିଁ। ତେବେ ଏହା ସଂପର୍କରେ ତର୍ଜମା ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସ୍ବାଇନ୍ ଫ୍ଲୁରେ ମଧ୍ୟ ଲୋକେ ଆକ୍ରାନ୍ତ ହେଉଛନ୍ତି। ଚଳିତବର୍ଷ ରାଜ୍ୟରେ ୨୦୬ଜଣ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ତହିଁରେ ୫ଜଣ ପ୍ରାଣ ହରାଇଛନ୍ତି। ଗତବର୍ଷ ଏହି ସମୟରେ ମାତ୍ର ୩୩ଜଣ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ୭ଜଣ ପ୍ରାଣ ହରାଇଥିଲେ। ୨୦୧୭ ମସିହା ପରେ ରାଜ୍ୟରେ ଚଳିତବର୍ଷ ଦ୍ବିତୀୟ ସର୍ବାଧିକ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର