୫ ଦିନ ଭୀଷଣ ବର୍ଷା: ଜାରି ହେଲା ୟେଲୋୱାର୍ଣ୍ଣିଂ

ଭୁବନେଶ୍ବର : ଗୁରୁବାର ଦିନ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନତମାମ୍‌ ବର୍ଷା ଜାରି ରହିଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ କନ୍ଧମ‌ାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିଭଳି ବଲାଙ୍ଗୀର, ରାୟଗଡ଼ା, ନୟାଗଡ଼, ସୋନପୁର ଓ ବୌଦ୍ଧରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ‌ୟେଲୋୱାର୍ଣ୍ଣିଂ ଜାରି କରିଛି। ସେହିଭଳି ୯ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗୀର ଓ ରାୟଗଡ଼ା ଆଦି ଜିଲ୍ଲା ଏବଂ ୧୦ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୧୧ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ଅନୁଗୁଳ, ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, କଟକ, ସୋନପୁର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ମଧ୍ୟ ଭୁବନେଶ୍ବରର ପାଗ ମେଘୁଆ ରହିବା ସହ ବର୍ଷା ଲାଗି ରହିବ। ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ୨୫ ଡିଗ୍ରି ମଧ୍ୟ‌ରେ ରହିବ।

ସମ୍ବନ୍ଧିତ ଖବର