୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ, ଦୁଇ ଦିନ ଘନକୁହୁଡ଼ି

୨୦ ତାରିଖ ପରେ ଫେରିପାରେ ଥଣ୍ଡା

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ଅର୍ଧାଧିକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ। ଉତ୍ତରରୁ ଉପକୂଳ ହେଉ କି ଦକ୍ଷିଣ ଓଡ଼ିଶା, ସବୁଠି ପ୍ରବଳ କୁହୁଡ଼ି ପଡ଼ିବ। ଭୋର ସମୟରେ ସ୍ଥାନେ ସ୍ଥାନେ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ବି ଠିକ୍‌ ଭାବେ ଦୃଶ୍ୟମାନ ହେବନି। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୮ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଗଜପତି, କନ୍ଧମାଳ ଓ କୋରାପୁଟ ଜିଲ୍ଲା ଲାଗି ୟେ‌ଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ୧୯ ତାରିଖ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକ ବ୍ୟତୀତ କଟକ, କଳାହାଣ୍ଡି, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ହେବ। ତେଣୁ ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଏବେ ପବନର ଗତି ପରିବର୍ତନ ହୋଇଛି। ଓଡ଼ିଶାକୁ ଉତ୍ତରା ପବନ ‌ବହୁଥିବାରୁ ଆସନ୍ତା ୨୦ ତାରିଖରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଥଣ୍ଡା ଅନୁଭୂତ ହେବା ସହ ସାରା ରାଜ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ। ଅଧିକାଂଶ ସହରରେ ପାରଦ ୧୦ ଡିଗ୍ରି ତଳକୁ ଖସି ଆସିବାର ସମ୍ଭାବନା ରହିଛି। ଏବେ ରାତି ଓ ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଅଧିକ ରହିଛି। ଏହି ସମୟରେ ଦାରିଙ୍ଗବାଡ଼ିର ତାପମାତ୍ରା ୫ରୁ ୬ ଡିଗ୍ରି ରହିବା କଥା। ତେବେ ଗତକାଲି ଏଠାରେ ରାତିର ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେଉ ନାହିଁ। ରାତିରେ ପାରଦ ୧୫ ଡିଗ୍ରି ଉପରେ ରହୁଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସୁନ୍ଦରଗଡ଼ରେ ୧୨, କୋରାପୁଟରେ ୧୨.୬, ଅନୁଗୁଳରେ ୧୪, ସୋନପୁରରେ ୧୪.୪, ଟିଟିଲାଗଡ଼ରେ ୧୪.୬ ଡିଗ୍ରି ରହିଥିଲା। ଅନ୍ୟ ସବୁଠି ପାରଦ ୧୫ ଡିଗ୍ରି ଉପରେ ଥିଲା। ଇତିମଧ୍ୟରେ ଗୋପାଳପୁର, ବାରିପଦା, ଝାରସୁଗୁଡ଼ା, ମାଲକାନଗିରି, ହୀରାକୁଦ, ପାରାଦୀପର ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ଉପରକୁ ଚାଲିଯାଇଛି। ପୁରୀ, ଭୁବନେଶ୍ବର, ବଲାଙ୍ଗୀରର ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ଉପରେ ରହିଥିଲା। ଉତ୍ତର ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର