କଲବଲ କରିବ କୁହୁଡ଼ି, ଅଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେ‌ତେକ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। ସ୍ଥାନେ ସ୍ଥାନେ ୨୦ ମିଟର ପରେ ରାସ୍ତା ‌ଦୃଶ୍ୟମାନ ହେବନି। ଗୁରୁବାର ଭଳି ଭଳି ସ୍ଥିତି ଆସନ୍ତା ଦୁଇ ଦିନ ସୃଷ୍ଟି ହେବ। ଜନଜୀବନ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

କୁହାଯାଇଛି ଯେ ୧୭ ତାରିଖ ସକାଳୁ ଉପକୁଳ ଓଡ଼ିଶା ଯଥା କଟକ, ପୁରୀ, ଖୋର୍ଧା, ଗଞ୍ଜାମ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂପୁର ଜିଲ୍ଲା ସମେତ ସୁନ୍ଦରଗଡ଼, ମୟୂରଭଞ୍ଜ, କଳାହାଣ୍ତି, କୋରାପୁଟ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳରେ ଘନ କୁହୁଡ଼ି ସୃଷ୍ଟି ହେବ। ମଧ୍ୟ ରାତିଠାରୁ କୁହୁଡ଼ିର ମାତ୍ରା ବଢ଼ିବ। ଯାହାକି ସକାଳ ୧୦ଟା ପର୍ଯ୍ୟନ୍ତ ଲାଗିରହିବାର ସମ୍ଭାବନା ରହିଛି। ୧୮ ତାରିଖରେ ବି ଉପରୋକ୍ତ ଜିଲ୍ଲାରେ ‌ଅନୁରୂପ ପରିସ୍ଥିତି ସୃଷ୍ଟି ହେବ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ହେବନି। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ୧୯ ଯାଏ ଏଭଳି ପାଗ ରହିବ। ପଶ୍ଚିମ ଓଡ଼ିଶାରେ ୨୦ ତାରିଖ ପର୍ଯ୍ୟନ୍ତ ଓ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ତାପମାତ୍ରା ବେଶି ବଢ଼ିବନି କି କମିବନି। ୧୯ ପରେ ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ବଢ଼ିବ ଏବଂ ଥଣ୍ଡା କମିବ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା କମଶଃ ବଢ଼ିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କୁହୁଡ଼ି ଜାରି ରହିବ। ପଶ୍ଚିମ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ଯାଏ ଅଧିକ କୁହୁଡ଼ି ରହିବ। ତା’ପରେ କମିଯିବ। ୨୨ ପର୍ଯ୍ୟନ୍ତ କ୍ରମଶଃ ବଢ଼ିବ। ୨୩ ତାରିଖ ପରଠାରୁ ପାଗରେ ସାମାନ୍ୟ ପରିବର୍ତନ ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ରାତିର ତାପମାତ୍ରା ହଠାତ୍‌ ୩ରୁ ୪ ଡିଗ୍ରି କମିବ। ସୋନପୁରରେ ବି ପାଗ ଅପରିବର୍ତ୍ତିତ ରହିବ। ଫୁଲବାଣୀ, କୋରାପୁଟ ଓ ଦାରିଙ୍ଗବାଡ଼ିରେ ୨୦ ତାରିଖ ପରେ ତାପମାତ୍ରା ଧୀରେ ଧୀରେ ବଢ଼ିବ।

ସମ୍ବନ୍ଧିତ ଖବର