ଭୁବନେଶ୍ବର : ପ୍ରଚଣ୍ଡ ଖରା ଯୋଗୁଁ ତତଲା ତାୱା ପାଲଟିଛି ସାରା ଓଡ଼ିଶା। ପାରଦ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି। ଗୁରୁବାର ଦିନ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ ହୋଇଥିବା ବେଳେ ୮ ସହରର ପାରଦ ୪୨ ଡିଗ୍ରି ପାର୍ କରିଛି। ୪୩.୫ ଡିଗ୍ରି ତାପମାତ୍ରା ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର ତାଲିକାର ସର୍ବାଗ୍ରେ ରହିଛି। ଆଜି(ଶୁକ୍ରବାର) ବି ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ନାହିଁ। ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତିରେ ରାଜ୍ୟର ତାପମାତ୍ରା ଆହୁରି ୧ ଡିଗ୍ରି ବୃଦ୍ଧିପାଇବ। ଫଳରେ ପ୍ରଚଣ୍ଡ ଖରା ଓ ଗରମରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ। ଏଣୁ ଆସନ୍ତା ୨ ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି। ଆଜି ଅନୁଗୁଳ, ବୌଦ୍ଧ ଓ ସୋନପୁରରେ ୪୨.୫, ଟିଟିଲାଗଡ଼ରେ ୪୨.୨, ତାଳଚେର, ଭବାନୀପାଟଣା ଓ ବଲାଙ୍ଗୀରରେ ୪୨ ଡିଗ୍ରି ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ବାଲେଶ୍ବରରେ ୪୦, ଚାନ୍ଦବାଲିରେ ୪୧.୩, କଟକରେ ୪୧.୪, ଭୁବନେଶ୍ବରରେ ୪୦.୮, ଝାରସୁଗୁଡ଼ାରେ ୪୧.୮, ନୟାଗଡ଼ରେ ୪୦, ପାରଳାଖେମୁଣ୍ଡିରେ ୪୦.୬, ଭଦ୍ରକରେ ୪୧, ଯାଜପୁରରେ ୪୦.୨, ଢେଙ୍କାନାଳରେ ୪୦.୫, ନୂଆପଡ଼ାରେ ୪୦, ଜଗତସିଂହପୁରରେ ୪୦.୫, ରାଉରକେଲାରେ ୪୧, ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ଫୁଲବାଣୀରେ ୪୦.୩, ହୀରାକୁଦରେ ୪୦.୬ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଏପ୍ରିଲ ତୃତୀୟ ସପ୍ତାହରେ ରାଜ୍ୟରେ ଗରମ ଜାରି ରହିବ। କାଳବୈଶାଖୀ ବର୍ଷା ରାଜ୍ୟର କିଛି ସ୍ଥାନରେ ହେବାର ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଶେଷ ସପ୍ତାହରେ ରାଜ୍ୟର ତାପମାତ୍ରା କମିବ। ଆଜି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ପ୍ରାୟ ୧ ଡିଗ୍ରି ବଢ଼ିବ। ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ .୫ ଡିଗ୍ରି ତାପମାତ୍ରା ବଢ଼ିପାରେ। ତୃତୀୟ ସପ୍ତାହରେ ଆଭ୍ୟନ୍ତର ଓଡ଼ିଶାରେ ଗରମରୁ ନିସ୍ତାର ନାହିଁ। ଭୁବନେଶ୍ବର ସମେତ ଉପକୂଳରେ ବଙ୍ଗୋପସାଗରୀୟ ପବନ ୧୫ ତାରିଖରୁ ବହିବା ଆରମ୍ଭ କରିବ। ୧୯ ତାରିଖ ବେଳକୁ ଉପକୂଳ ସଂଲଗ୍ନ ଅଞ୍ଚଳରେ ସାମୁଦ୍ରିକ ପବନ ବହିବ। ଫଳରେ ୧୫ ତାରିଖରୁ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୯ରୁ ୪୦ ଡିଗ୍ରି, ୧୬ରୁ ୧୯ ତାରିଖ ମଧ୍ୟରେ ପ୍ରାୟତଃ ୩୮ ଡିଗ୍ରି ରହିପାରେ। ୧୯ରୁ ୨୧ ତାରିଖ ମଧ୍ୟରେ ଆଭ୍ୟନ୍ତରରେ ପ୍ରାୟତଃ ତାପମାତ୍ରା ୧ ଡିଗ୍ରି କମିବ। କିନ୍ତୁ ଉପକୂଳରେ ୨୦ ତାରିଖରୁ ପୁଣି ତାପମାତ୍ରା ବଢ଼ିବ। ୧୮ରୁ ୧୯ ତାରିଖରେ ଉପକୂଳ ଓ ୧୯ରୁ ୨୦ ତାରିଖରେ ଆଭ୍ୟନ୍ତରର ଗୋଟିଏ, ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଅଧିକ। ଚତୁର୍ଥ ସପ୍ତାହରେ ବର୍ଷାର ସମ୍ଭାବନା ସହିତ ସାରା ରାଜ୍ୟରେ ତାପମାତ୍ରା କମିପାରେ।
ଡ. ପଶୁପାଳକ କହିଛନ୍ତି, ପ୍ରଚଣ୍ଡ ଖରା ଯୋଗୁଁ ଖରାଦିନିଆ ଫସଲକୁ ପର୍ଯ୍ୟାପ୍ତ ଜଳସେଚନ କରନ୍ତୁ। ଗୋରୁଗାଈଙ୍କୁ ପରିସ୍କାର ପିଇବା ପାଣି ଦିଅନ୍ତୁ। ଗୋଖାଦ୍ୟରେ ପ୍ରୋଟିନ କମ୍ କରିବା ସହ କୁକୁଡ଼ା ରହୁଥିବା ଘରକୁ ଓଦା ଅଖା ଓ ବାୟୁ ପ୍ରବାହକୁ ଧ୍ୟାନ ଦେଇ ତାପମାତ୍ରା କମ୍ କରିବାକୁ ପରାମର୍ଶ ଦେଇଛନ୍ତି।