ବୌଦ୍ଧରେ ବନ୍ୟା ପରିସ୍ଥିତି: ଲଘୁଚାପ ବର୍ଷାରେ ବୌଦ୍ଧ ବେହାଲ, ବିପଦ ସଂକେତ ଛୁଇଁବ ମହାନଦୀ

ବୌଦ୍ଧ: ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଗତ ତିନି ଦିନର ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ଅପରପକ୍ଷେ ବୌଦ୍ଧ ଠାରେ ମହାନଦୀ ବିପଦ ସଂକେତ ଛୁଇଁବା ଦିଗରେ ପ୍ରବାହିତ ହେଉଥିବା ବେଳେ, କିଛି ତଳିଆ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇଛନ୍ତି। ବୌଦ୍ଧ ଜଳସେଚନ ବିଭାଗ ବଙ୍ଗଳା ନିକଟରେ ମହାନଦୀର ବିପଦ ସଂକେତ ୮୭.୭୦ ମିଟର ଥିବା ବେଳେ ଏବେ ଜଳସ୍ତର ୮୬.୫ ମିଟର ଉପରେ ପ୍ରବାହିତ ହେଉଛି। ସେହିପରି ଜିଲ୍ଲାର କଣ୍ଟାମାଲ ବ୍ଲକ୍ ଅଂଚଳ ଦେଇ ପ୍ରବାହିତ ତେଲନଦୀ ସମେତ ବାଘନଦୀ ଓ ସାଲୁଙ୍କି ନଦୀରେ  ମଧ୍ୟ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।

ଜିଲ୍ଲାରେ ବୁଧବାର ସକାଳ ୮ସୁଦ୍ଧା ମୋଟ ୪୦୦ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲ୍ଲାବ୍ୟାପି ହାରାହାରି ୧୩୩.୩୩ ମିଲିମିଟର ରେକର୍ଡ କରାଯାଇଛି। ବୌଦ୍ଧ ବ୍ଲକରେ ସର୍ବାଧିକ ୨୦୮. ୨ ମିଲିମିଟର୍‌ ବର୍ଷା ରେକର୍ଡ କରାଯାଇଥିବା ବେଳେ କଣ୍ଟାମାଳ ବ୍ଲକ୍‌ରେ ୧୧୪. ୮ ମିଲିମିଟର ଓ ହରଭଙ୍ଗା ବ୍ଲକ୍‌ ଅଂଚଳରେ ୭୭ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେହିପରି ଅପରାହ୍ନ ୫ଟା ସୁଦ୍ଧା ଜିଲ୍ଲାର ହରଭଙ୍ଗା ବ୍ଲକରେ ସର୍ବାଧିକ ୧୧୦ମିଲିମିଟର ବର୍ଷ ହୋଇଥିବା ବେଳେ ବୌଦ୍ଧରେ ୪୪ମିଲିମିଟର ଓ କଣ୍ଟାମାଲ ବ୍ଲକ୍ ଅଂଚଳରେ ୪୪.୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାବ୍ୟାପି ୧୯୮.୪ ମିଲିମିଟର ଓ ହାରାହାରି ୬୬.୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଲଗାଣ ଲଘୁଚାପ ବର୍ଷାରେ ଜିଲ୍ଲାର ହରଭଙ୍ଗା ଓ ବୌଦ୍ଧ ବ୍ଲକର କିଛି ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିବାରୁ ଖରିଫ ଧାନ ବ୍ୟାପକ ଭାବେ ନଷ୍ଟ ହେବ ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରୁ ବୌଦ୍ଧ ଜଗନ୍ନାଥ ସଡକର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଖାସକରି ଜିଲ୍ଲାର ହରଭଙ୍ଗା ବ୍ଲକର ହରଭଙ୍ଗା, କୁଶଙ୍ଗ, ଧଳପୁର, ସଙ୍କୁଲେଇ, ମଥୁରା, ସାଂପୋଚ ଆଦି ପଞ୍ଚାୟତର ୩୦ରୁ ଅଧିକ ରାଜସ୍ୱ ଗାଁର ନଦୀକୂଳିଆ ଲୋକଙ୍କ ଏକରଏକର ଚାଷଜମି ଜଳମଗ୍ନ ହୋଇଥିବା ଜଣାଯାଇଛି। ଲଗାଣ ବର୍ଷାରେ କ୍ଷୁଦ୍ର ଜଳସେଚନ ବିଭାଗର ଶଗଡିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଗୁଡିକରେ ଘାଇ ହେବାସହ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ଦୁଇ ଦିନର ବନ୍ୟା ପରିସ୍ଥିତିରେ ବିଭିନ୍ନ ଅଂଚଳରେ ଲୋକେ ଜଳବନ୍ଦୀ ହୋଇ ରହିଥିବା ଜଣାପଡିଛି। ବାମଣ୍ଡା ପଂଚାୟତର  ମେଣ୍ଡାଗାଁର ଭୁକ୍ତା ସାହିରେ ବର୍ଷାପାଣି ପଶି ଯିବାରୁ ପ୍ରାୟ ୧୦ରୁ ଅଧିକ ପରିବାର ଲୋକେ ଦୁଇଦିନ ହେଲା ଜଳବନ୍ଦୀରେ ରହିଥିବା ବେଳେ ଭୁଜ ଅମାତଙ୍କ ଘର ଭାଙ୍ଗି ଯାଇଛି। ବନ୍ଧାପଥର ପଂଚାୟତ ଗୁଡପଡା ଗାଁର ନାରାୟଣ ବେହେରାଙ୍କ ଘର ଭାଙ୍ଗିଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର