ଅଡ଼ୁଆ ବଢ଼ାଇଲା ୟେସ୍‌ ବ୍ୟାଙ୍କ, ବ୍ୟାଙ୍କ ଜମା ତାଲିକା ମାଗିଲେ ସରକାର

କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ଅର୍ଥ ବିଭାଗ
ମନଇଚ୍ଛା ଆକାଉଣ୍ଟ ଖୋଲିଛନ୍ତି ଅଫିସର
ଆରବିଆଇ ସହ କଥା ହେଲେ ମୁଖ୍ୟ ସଚିବ
ଟଙ୍କା ଫେରସ୍ତ ପାଇଁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ଭୁବନେଶ୍ବର : ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ସୁରକ୍ଷିତ ତ? ଏହାକୁନେଇ ସମଗ୍ର ରାଜ୍ୟରେ କମ୍ପନ ସୃଷ୍ଟି ହେଲାଣି। ରାଜ୍ୟ ସରକାର ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣରଙ୍କ ସହିତ କଥା ହୋଇଛନ୍ତି। ଏ ସଂକ୍ରାନ୍ତରେ ଆରବିଆଇରୁ ଆଶ୍ବାସନା ମିଳିଥିବା କୁହାଯାଉଛି।

ସେପଟେ କିଭଳି ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଭାବେ ଫେରିଆସିବ, ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ମହାପ୍ରଭୁଙ୍କ ଜମା ଅର୍ଥ ଫେରାଇ ଦେବାକୁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଛନ୍ତି।

ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାରଙ୍କ ନିର୍ଦେଶକୁ ଅମାନ୍ୟ କରି ବିଭିନ୍ନ ସଂସ୍ଥା ଓ ଅଫିସର ସରକାରୀ ଅର୍ଥ ଜମା କରୁଥିବା ଘଟଣାକୁ ଗମ୍ଭୀରତାର ସହିତ ଗ୍ରହଣ କରାଯାଇଛି। କେଉଁ ବିଭାଗ କେଉଁ କେଉଁ ବ୍ୟାଙ୍କରେ ଟଙ୍କା ଜମା ରଖିଛନ୍ତି, ସେ ସଂକ୍ରାନ୍ତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଆଜି ଦିନରେ ନାହିଁ। ଏପରିକି ଶ୍ରୀମନ୍ଦିର ପ୍ରଶାସନ ବ୍ୟତୀତ ଅନ୍ୟ କେଉଁ ବିଭାଗ ନିଜ ଟଙ୍କା ଏହି ବ୍ୟାଙ୍କରେ ରଖିଛନ୍ତି, ତାହା ସରକାର ଜାଣନ୍ତି ନାହିଁ। କେତେ ଟଙ୍କା ରହିଛି, ସେ ତଥ୍ୟ ବି କାହାକୁ ମାଲୁମ୍ ନାହିଁ।

ଏଭଳି ଏକ ଅପ୍ରୀତିକର ପରିସ୍ଥିତିକୁ ଧରି ଅର୍ଥ ବିଭାଗ କଠୋର ପଦକ୍ଷେପ ନେଇଛନ୍ତି। ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି, ସେମାନେ କେତେ ଟଙ୍କା କେଉଁ ବ୍ୟାଙ୍କରେ ଜମା ଦେଇଛନ୍ତି, ସେ ତଥ୍ୟ ଅର୍ଥ ବିଭାଗକୁ ଜଣାନ୍ତୁ। ବିଭିନ୍ନ ସରକାରୀ ଉଦ୍ୟୋଗ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ତଥ୍ୟ ଦେବାକୁ କୁହାଯାଇଛି।

ହେଲେ ବାବୁମାନେ ଏଯାଏ ଏହା ଉପରେ ପଦକ୍ଷେପ ନେଇନାହାନ୍ତି କି ଅର୍ଥ ବିଭାଗକୁ ତଥ୍ୟ ଦେଇନାହାନ୍ତି। ଏହାକୁ ନେଇ ସରକାରୀସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।

ପୂର୍ବରୁ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ମାମଲାରେ ୟେସ୍ ବ୍ୟାଙ୍କ ବିବାଦକୁ ଆସିଥିଲା। ଏହି ବ୍ୟାଙ୍କରେ ଜମା ଥିବା କିଛି ଅର୍ଥ ଇତିମଧ୍ୟରେ ମୂଳ ବ୍ୟାଙ୍କ ଅର୍ଥାତ୍ କାନାଡା ବ୍ୟାଙ୍କକୁ ଫେରିଯାଇଛି। କିନ୍ତୁ ଏବେ ବି ଉଦ୍ୟାନ ବିଭାଗର ଅନ୍ୟ କିଛି କାର୍ଯ୍ୟକ୍ରମ ବାବଦ ଟଙ୍କା ୟେସ୍ ବ୍ୟାଙ୍କରେ ରହିଥିବା ସୂଚନା ମିଳୁଛି। ଅର୍ଥ ବିଭାଗ ଏ ସଂକ୍ରାନ୍ତରେ ତନାଘନା ଆରମ୍ଭ କରିଛନ୍ତି।

ଉଲ୍ଲେଖଥାଉକି, ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ନିଜ ନିଜର ଅର୍ଥ ବିଭିନ୍ନ ବ୍ୟାଙ୍କରେ ଜମା କରୁଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। କେଉଁ ବ୍ୟାଙ୍କରେ ଜମା ହେବା ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା, ଅର୍ଥ ଖର୍ଚ୍ଚ ନ କରି ଅନ୍ୟ ବ୍ୟାଙ୍କରେ ରଖି ସରକାରଙ୍କୁ ବିନିଯୋଗ ପ୍ରମାଣ ପତ୍ର ଧରାଉଥିବା ଘଟଣା ସାମ୍ନାକୁ ଆସିବା ପରେ ସରକାରୀ ଦପ୍ତରରେ ଚାଲିଥିବା ସାଂଘାତିକ କେଳେଙ୍କାରୀ ସଂପର୍କରେ ଆଭାସ ମିଳିଥିଲା। ମହାଲେଖାକାର ତଥା ମହାଲେଖା ନିୟନ୍ତ୍ରକ, ୨୦୧୬ ମସିହାରୁ ଏ ସଂକ୍ରାନ୍ତରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ଉଦ୍ୟମ କରି ବାବୁମାନେ ସରକାରଙ୍କ ବଜେଟ୍‌ ବରାଦ ଅର୍ଥକୁ ଦିଗହରା କରିଦେଉଥିବା ସିଏଜି ଦର୍ଶାଇଥିଲା। ଏପରିକି ବିଭିନ୍ନ ବ୍ୟାଙ୍କରେ ଏଭଳି ଭାବେ ରହିଥିବା ଜମା ଅର୍ଥ ଠାରୁ ଅତିରିକ୍ତ ବଜେଟ୍ ପରିମାଣ କମ୍ ହୋଇଥିଲା ଏଜି ଦର୍ଶାଇଥିଲେ ଓ ସରକାର କିଭଳି ଋଣ କରି ସମାନ ସମୟରେ କୋଟି କୋଟି ଟଙ୍କା ତହବିଲରୁ ନେଇଛନ୍ତି, ସେ ନେଇ ବି ଅସନ୍ତୋଷ ଝାଡିଥିଲେ।

ସମ୍ବନ୍ଧିତ ଖବର