ଭୁବନେଶ୍ବର : ଘରୋଇ କ୍ଷେତ୍ରର ବ୍ୟାଙ୍କ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ରାଜ୍ୟର ୟେସ୍ ବ୍ୟାଙ୍କ ଗ୍ରାହକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଇବା ଏବଂ ଖାତାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଆଜି ଶାଖାଗୁଡ଼ିକ ସାମ୍ନାରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଆଜି ସକାଳୁ ଗ୍ରାହକମାନେ ବ୍ୟାଙ୍କ୍ ଏଟିଏମ୍ ସାମ୍ନାରେ ଲମ୍ବା ଲାଇନ୍ ଲଗାଇଥିଲେ। କିନ୍ତୁ ଏଟିଏମ୍ରେ ଟଙ୍କା ନ ଥିବାରୁ ଅନେକ ଗ୍ରାହକ ନିରାଶ ହୋଇ ଫେରିଥିଲେ। ଏଟିଏମ୍ରୁ ଟଙ୍କା ବାହାରୁଥିଲା ନା ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। ଅପରାହ୍ଣ ପରଠାରୁ ଏଟିଏମ୍ ସମ୍ପର୍ଣ୍ଣ ଫାଙ୍କା ରହିଥିଲା। ସେଥିରେ ଟଙ୍କା ରିଫିଲ୍ କରାଯାଇନଥିଲା। ଆସନ୍ତାକାଲିଠାରୁ ଗ୍ରାହକମାନେ ଟଙ୍କା ଉଠାଇପାରିବେ ଓ ଚେକ୍ କ୍ଲିୟରାନ୍ସ ସୁବିଧା ପାଇପାରିବେ ବୋଲି ବ୍ୟାଙ୍କର ଜଣେ କର୍ମଚାରୀ କହିଛନ୍ତି।
ଆଜି ବାପୁଜୀ ନଗର ଠାରେ ଥିବା ୟେସ୍ ବ୍ୟାଙ୍କ ଶାଖାର ସାମ୍ନାରେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିର ତିନି ପୃଷ୍ଠାର ନକଲ ମରାଯାଇଥିଲା। ଶାଖାର କର୍ମଚାରୀମାନେ ମଧ୍ୟ ଗ୍ରାହକମାନଙ୍କୁ ସ୍ଥିତି ବିଷୟରେ ବୁଝାଇବାକୁ ଉଦ୍ୟମ କରୁଥିଲେ। ଜଣେ କର୍ମଚାରୀଙ୍କୁ ସ୍ଥିତି ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ, ଆସନ୍ତାକାଲି ଠାରୁ ଗ୍ରାହକମାନେ ଟଙ୍କା ଉଠାଇପାରିବେ। ସବୁ ପ୍ରକାର କାର୍ଯ୍ୟ ସ୍ବାଭାବିକ ହୋଇଯିବ। ମାତ୍ର ୩୦ ଲାଗି କଟକଣା ଲାଗିଛି।
ତିନି ଦିନ ତଳେ ଏକ ଚେକ୍ ଜମା କରିଥିବା ଜଣେ ଗ୍ରାହକ ଆଜି ଶାଖାକୁ ଆସିଥିଲେ। କାହିଁକି ଚେକ୍ କ୍ଲିୟର ହୋଇନାହିଁ ବୋଲି କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ତାଙ୍କୁ ବ୍ୟାଙ୍କ ତରଫରୁ ତାଙ୍କ ଖାତାର ଷ୍ଟେଟ୍ମେଣ୍ଟ୍ ପ୍ରଦାନ କରାଯାଇଛି। ଆସନ୍ତାକାଲି ଠାରୁ ଚେକ୍ କ୍ଲିୟର ହେବ ବୋଲି କର୍ମଚାରୀ ଜଣକ ଗ୍ରାହକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଅନ୍ୟ ଏକ ସଂସ୍ଥାର ତିନି ଜଣ ପ୍ରତିନିଧି ମଧ୍ୟ ୟେସ୍ ବ୍ୟାଙ୍କର ବାପୁଜୀ ନଗର ଶାଖାକୁ ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ।
ଇତିମଧ୍ୟରେ ବିଶୃଙ୍ଖଳା ଆଶଙ୍କାରେ ୟେସ୍ ବ୍ୟାଙ୍କ ଶାଖା ବାହାରେ ପୁଲିସ ମୁତୟନ କରାଯାଇଥିଲା। ଶାଖା ସମ୍ମୁଖରେ ଘରୋଇ ନିରାପତ୍ତାରକ୍ଷୀ ମଧ୍ୟ ରହିଥିଲେ। ବିଶେଷ କରି ଭିଡ଼କୁ ସମ୍ଭାଳିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି।