ବ୍ରହ୍ମପୁର : ଗାଁ ଛାଡ଼ି ରୋଜଗାର ଅନ୍ବେଷଣରେ ମୁମ୍ବାଇ ଚାଲିଯାଇଥିବା ୨୦ ବର୍ଷର ଯୁବକ କରୋନା ମହାମାରୀର ପ୍ରଥମ ଲହର୍ ବେଳେ (୨୦୨୦, ଅକ୍ଟୋବର) ଗାଁ’କୁ ଫେରିଥିଲେ। ବାହାର ରାଜ୍ୟରେ ଦାଦନଙ୍କ ଦୁଃଖକୁ ଅଙ୍ଗେ ନିଭାଇଥିବା ବେଳେ, ସେମାନଙ୍କ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ମନରେ ଜାଗ୍ରତ ହେଲା। ମୁମ୍ବାଇରେ ନିଜର ୩୦ବର୍ଷର ଅଭିଜ୍ଞତା ଓ ସଞ୍ଚିତ ପୁଞ୍ଜିକୁ ପାଥେୟ କରି ନିଜ ଗାଁରେ ସ୍ଥାପନ କଲେ କପଡ଼ା କାରଖାନା। ଏଥିପାଇଁ ଅବଶ୍ୟ ୟୁନିଅନ୍ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା।
ଏବେ ପ୍ରାୟ ୬ ମାସ ହେବ କାରଖାନାଟି କାର୍ଯ୍ୟକ୍ଷମ ହୋଇଥିବା ସହ କପଡ଼ା ଉତ୍ପାଦନ ହେଉଛି। ସେଗୁଡ଼ିକୁ ବାହାର ରାଜ୍ୟକୁ ସେ ରପ୍ତାନି କରୁଛନ୍ତି। ଏଥିସହ ୧୬ଜଣ ଦାଦନଙ୍କୁ ଫେରାଇ ଆଣି ଏହି କାରଖାନାରେ କର୍ମ ସଂସ୍ଥାନ ଯୋଗାଇ ପାରିଛନ୍ତି। ଆଗକୁ କାରଖାନାର ଆକାର ବୃଦ୍ଧି ସହ ଅଧିକରୁ ଅଧିକ ଦାଦନଙ୍କୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଭଳି ଜଣେ ସଫଳ ଉଦ୍ୟୋଗୀ ହେଲେ ଶିଶିର ପାଢ଼ୀ। ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଠାରୁ ଦିଗପହଣ୍ଡି ରାସ୍ତାରେ ପ୍ରାୟ ୧୦କିମି ଦୂରରେ ଥିବା ବାଳକୃଷ୍ଣପୁର ଗ୍ରାମରେ। ସେହିଠାରେ ହିଁ ତଥା ନିଜ ପୈତୃକ ଗ୍ରାମରେ ଏହି କାରଖାନା ସ୍ଥାପନ କରି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି।
କୋଭିଡ୍ରେ ମୁମ୍ବାଇରୁ ଗାଁ’କୁ ଫେରିଥିଲେ ଶିଶିର
୧୬ଜଣ ଦାଦନଙ୍କୁ ଫେରାଇ ଆଣି ଯୋଗାଇଛନ୍ତି କର୍ମସଂସ୍ଥାନ
ଶିଶିରଙ୍କ କହିବା ମୁତାବକ, ପିଲାବେଳେ ତାଙ୍କର ଭଲ ପାଠ ହେଉ ନଥିଲା। ଏପରିକି ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇ ପାରି ନଥିଲେ। ୧୯୮୯ ମସିହାରେ ୨୦ ବର୍ଷ ବୟସରେ ସେ କାମ ଅନ୍ବେଷଣରେ ବମ୍ବେ (ଏବେର ମୁମ୍ବାଇ) ଚାଲିଯାଇଥିଲେ। ପ୍ରଥମେ ସେଠାରେ ୧୫୦ଟଙ୍କାରେ ମୂଲିଆ ଭାବେ କାମ ଆରମ୍ଭ କରିଥିଲେ। ସେଠାରେ ଟେକ୍ସଟାଇଲ୍ ସେକ୍ଟର୍ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ଗୋଟିଏ ପରେ ଗୋଟିଏ ବିଭିନ୍ନ ଟେକ୍ସଟାଇଲ୍ କମ୍ପାନିରେ କାମ କରି ପାରଙ୍ଗମ ହୋଇପାରିଥିଲେ। ୨୦୨୦ମସିହାରେ ସେ ମୁମ୍ବାଇ ଛାଡ଼ିବା ବେଳେ ଯେଉଁ କମ୍ପାନିରେ ମ୍ୟାନେଜର୍ କମ୍ ଡିଜାଇନର୍ ଭାବେ କାମ କରୁଥିଲେ, ତାଙ୍କର ଦରମା ୭୦ହଜାର ଟଙ୍କା ଥିଲା।
କିନ୍ତୁ ସେଠାରେ ଓଡ଼ିଶାରୁ ଯାଇ ଦାଦନ ଖଟୁଥିବା ଯୁବକଙ୍କ ଦୁଃଖ ତାଙ୍କୁ ସବର୍ଦା ମ୍ରିୟମାଣ କରୁଥିଲା। କୋଭିଡ୍ରେ ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା। ତେଣୁ ସେ ଗାଁ’କୁ ଫେରି ଦାଦନଙ୍କୁ ଫେରାଇ ଆଣିବା ପାଇଁ ଯଥାଯୋଗ୍ୟ ଚେଷ୍ଟା କରିବେ ବୋଲି ମନସ୍ଥ କଲେ। ଏଥିପାଇଁ ଆଉ ମୁମ୍ବାଇ ନଫେରି, ଟେକ୍ସଟାଇଲ୍ ସେକ୍ଟରରେ ନିଜର ଅଭିଜ୍ଞତାକୁ ପାଥେୟ କରି ଗାଁରେ ହିଁ ଏକ କାରଖାନା ସ୍ଥାପନ କରିବା ପାଇଁ ଲାଗିପଡ଼ିଲେ। ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଏଥିରେ ସଫଳ ହେବାପାଇଁ ବାଟ କଢ଼ାଇ ନେଲା।
ଏହାପରଠୁ ସେ ପଛକୁ ଫେରିନାହାନ୍ତି। ୩୦ ହଜାର ବର୍ଗଫୁଟ ବିଶିଷ୍ଟ ନିଜସ୍ବ ଜାଗାରେ କାରଖାନା ସ୍ଥାପନ କରିଛନ୍ତି। ସଂଚିତ ଧନ ସହ ୟୁନିୟନ୍ ବ୍ୟାଙ୍କର ୭୮ଲକ୍ଷ ଟଙ୍କା ଋଣ ସହାୟତାରେ ଆବଶ୍ୟକ ମେସିନ୍ ଓ କଞ୍ଚାମାଲ୍ କିଣି କାରଖାନାକୁ କାର୍ଯ୍ୟକ୍ଷମ କଲେ। ନିଜ ଲକ୍ଷ୍ୟ ମୁତାବକ ୧୬ଜଣ ଦାଦନଙ୍କୁ ଆଣି ଏଥିରେ କର୍ମସଂସ୍ଥାନ ଯୋଗାଇବା ସହ କାମ ଅନୁଯାୟୀ ଭଲ ପାରିଶ୍ରମିକ (୧୦ ହଜାରରୁ ୩୦ହଜାର ଟଙ୍କା) ମଧ୍ୟ ଦେଉଛନ୍ତି।
ଏବେ ଏହି କାରଖାନାରୁ ସୁଟିଂସାଟିଂ ଡ୍ରେସ୍ କପଡ଼ା, ଲାଇକ୍ରା, ସୋଫାରେ ବ୍ୟବହାର ହେଉଥିବା ଫର୍ନିସିଂ କପଡ଼ା ପ୍ରସ୍ତୁତ ହେଉଛି। ମାସକୁ ପ୍ରାୟ ୪୦,୦୦୦-୫୦,୦୦୦ ମିଟରର ଉପରୋକ୍ତ କପଡ଼ା ଉତ୍ପାଦନ ହେଉଛି। ସେଗୁଡ଼ିକୁ ବରାଦ ମୁତାବକ, ମହାରାଷ୍ଟ୍ର ଏବଂ ଗୁଜୁରାଟର ବିଭିନ୍ନ କମ୍ପାନିକୁ ପଠାଯାଉଛି। କପଡ଼ାର ଗୁଣବତ୍ତା ଯୋଗୁଁ ଏହାର ଚାହିଦା ବୃଦ୍ଧି ପାଉଛି। ତେଣୁ ବେଙ୍ଗାଲୁରୁରୁ ମଧ୍ୟ ଏକ ଅର୍ଡ଼ର ଆସିଥିବା ସେ ପ୍ରକାଶ କରିଛନ୍ତି। ତେବେ ଏତିକିରେ ଅଟକି ନଯାଇ, କାରଖାନାର ଆକାର ପ୍ରକାର ବୃଦ୍ଧି କରି ଅଧିକରୁ ଅଧିକ ଦାଦନଙ୍କୁ ଫେରାଇ ଆଣିବାକୁ ସେ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।