ଦୁର୍ଘଟଣାରୁ ବର୍ତ୍ତିଲା ଯଶୋବନ୍ତପୁର ଏକ୍ସପ୍ରେସ୍

ଯଖପୁରା : ଆଜି ଅପରାହ୍ଣରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଯଖପୁରା ରେଳ ଷ୍ଟେସନ ନିକଟରେ ହାଓଡା-ଯଶୋବନ୍ତପୁର ସାପ୍ତାହିକ ଏକ୍ସପ୍ରେସ୍ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଟ୍ରେନ୍‌ ଚାଳକଙ୍କ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ଶତାଧିକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇପାରିଛି। ଯଶୋବନ୍ତପୁର-ହାଓଡା ସାପ୍ତାହିକ ଏକ୍ସପ୍ରେସ୍ ଯଖପୁରା ରେଳ ଷ୍ଟେସନ ନିକଟସ୍ଥ କେନ୍ଦୁଢ଼ିପ ରେଳ ଫାଟକ ଅତିକ୍ରମ କଲାପରେ ଷ୍ଟେସନ ପୂର୍ବରୁ ଟ୍ରାକ୍ ବଦଳାଇଥିଲା। ଟ୍ରାକ୍‌ ବଦଳାଇବା ସମୟରେ ୨୬ (ଖ) ନମ୍ବର ପଏଣ୍ଟ୍‌ଟି ଠିକ୍‌ରେ କାମ କରି ନଥିଲା। ଫଳରେ ଟ୍ରେନ୍‌ର ଡବା ଗୁଡ଼ିକ ଲାଇନ୍‌ଚ୍ୟୁତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହି ସ୍ଥାନରେ ଇଞ୍ଜିନ ଅତିକ୍ରମ କଲାବେଳେ ଟ୍ରେନ୍‌ ଚାଳକଙ୍କ ନଜର ପଡ଼ିଥିଲା। ଚାଳକ ତତ୍‌କ୍ଷଣାତ୍‌ ଟ୍ରେନ୍‌କୁ ଅଟକାଇଥିଲେ। ଯଖପୁରା ରେଳ ଷ୍ଟେସନରୁ ଷ୍ଟେସନ୍ ମାଷ୍ଟର, କର୍ମଚାରୀ, ଟ୍ରେନ୍‌ର ଚାଳକ ଓ ଗାର୍ଡ ଆସି ପଏଣ୍ଟକୁ ଅନୁଧ୍ୟାନ କରିଥିଲେ। ପଏଣ୍ଟ୍‌କୁ ଖୋଲିବା ପରେ ସେଥିରେ ତ୍ରୁଟି ରହିଥିବା ଜଣାପଡ଼ିଥିଲା। ପରେ ଟ୍ରାକ୍‌ର ମରାମତି କରି ଟ୍ରେନ୍‌କୁ ଅତିକ୍ରମ କରାଯାଇଥିଲା। ଏଥିପାଇଁ ଏହି ରୁଟ୍‌ରେ ଅଧଘଣ୍ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର