ଭୁବନେଶ୍ବର : ଉତ୍କଳ ଦିବସ ଉପଲକ୍ଷେ କନଫେଡେରେସନ୍ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ)ର ଏକ ଅନୁଷ୍ଠାନ ‘ୟଙ୍ଗ୍ ଇଣ୍ଡିଆନ୍ସ(ୱାଇଆଇ) ଭୁବନେଶ୍ବର ଚାପ୍ଟର’ ପକ୍ଷରୁ ଆସନ୍ତା ଏପ୍ରିଲ୍ ୨ ତାରିଖ ଦିନ ‘ମୋ ଉତ୍କଳ ଦିବସ’ ପାଳନ କରାଯିବ। ଅପରାହ୍ନ ୪ଟାରେ ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ୍ ଠାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଯୋଗଦେବେ।
ବୁଧବାର ଦିନ ଭୁବନେଶ୍ବରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ୱାଇଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ବିଶାଲ ଡାଲମିଆ କହିଛନ୍ତି ଭାରତ ସରକାରଙ୍କ ଦ୍ୱାରା ଜି-୨୦ ଏବଂ ୱାଇ-୨୦ ପକ୍ଷରୁ ଯୁବ ଉଦ୍ୟୋଗୀଙ୍କୁ ମିଳିତ ମଞ୍ଚର ଆନୁଷ୍ଠାନିକ ଆୟୋଜକ ହେଉଛନ୍ତି ‘ୟଙ୍ଗ ଇଣ୍ଡିଆନ୍ସ’। ଏଥିରେ ୧୦୦ରୁ ଅଧିକ ସଦସ୍ୟ ଅଛନ୍ତି। ୱାଇଆଇ ଭୁବନେଶ୍ୱର ୨୦୨୩ ଏପ୍ରିଲ ୨ ତାରିଖକୁ ‘ମୋ ଉତ୍କଳ ଦିବସ’ ଭାବରେ ପାଳନ କରୁଛି। ଭାରତ କ୍ରୀଡ଼ା ଓ ଯୁବ ବ୍ୟାପାର ସହଯୋଗରେ ୱାଇଆଇ ଭୁବନେଶ୍ୱର ପକ୍ଷରୁ ସେହିଦିନ ଏକ ଯୁବ ସମ୍ମିଳନୀ ଆୟୋଜନ କରାଯିବା ସହ ପ୍ରଗତିଶୀଳ ଓଡ଼ିଶା ଦିଗରେ ଅକ୍ଳାନ୍ତ ପରିଶ୍ରମ କରୁଥିବା ପ୍ରମୁଖ ବ୍ୟକ୍ତି ଓ ସଂଗଠନଙ୍କୁ ସମ୍ବର୍ଦ୍ଧିତ କରାଯିବ।
କାର୍ଯ୍ୟସୂଚୀ ଉପରେ ଅଧିକ ବିସ୍ତୃତ ଭାବରେ ୱାଇଆଇ ଭୁବନେଶ୍ୱର ଚାପ୍ଟର ସହ ଅଧ୍ୟକ୍ଷ ସୋନାଲ ମୋର କହିଛନ୍ତି, ୟୁଥ୍ କନକ୍ଲେଭରେ କଲେଜ ଓ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ, ବିଶିଷ୍ଟ ଅତିଥି ବକ୍ତାମାନଙ୍କ ଦ୍ୱାରା ଓଡ଼ିଶାର ଇତିହାସ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଶିଳ୍ପ ଲିଡରଙ୍କ ଦ୍ୱାରା ଓଡ଼ିଆ ୨୦୪୭ ଉପରେ ଚିନ୍ତାଧାରା ଲିଡରସିପ୍ ଆଲୋଚନା ଓ ଓଡ଼ିଆ ଖାଦ୍ୟ ମହୋତ୍ସବ ‘ଉତ୍କଳ ରୋଷେଇ’, ଗର୍ବର ଓଡ଼ିଶା ‘ଉତ୍କଳ ସମ୍ମାନ’, ଇଣ୍ଟରକଲେଜ ଆଇଡିଆଥନ-ଆଇଡିଆଜ୍ ଆଣ୍ଡ ଜଷ୍ଟ ପିଚ୍ ଭଳି ବିଭିନ୍ନ ପ୍ରତିଯୋଗିତା ହେବ। ଯେଉଁଥିରେ ଛାତ୍ରଛାତ୍ରୀମାନେ ନୂତନ ଉଦ୍ଭାବନ ଏବଂ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍ଡିଜି) କ୍ଷେତ୍ରରେ ବିଜ୍ନେସ ଆଇଡିଆ ମେଡଲ ଉପସ୍ଥାପନା କରିବେ। ବକୁଲ ଫାଉଣ୍ଡେସନ ସମ୍ପାଦକ ସୁଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଇଜିଂ ଓଡ଼ିଶାର ଇତିହାସ ଶୀର୍ଷକ ଆଲୋଚନାଚକ୍ରରେ ଓଡ଼ିଶା ନୃତ୍ୟ ଏକାଡେମିର ସଚିବ ପ୍ରଫେସର ସସ୍ମିତା ସାମନ୍ତ, କିଟ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଯତୀନ ଦାସ ପ୍ରମୁଖ ଯୋଗଦେବେ।
‘ଓଡ଼ିଶା ୨୦୪୭ ପୁନଃକଳ୍ପନା’ ଶୀର୍ଷକ ଆଲୋଚନାଚକ୍ରକୁ ୱାଇଆଇ ଭୁବନେଶ୍ୱର ପାଷ୍ଟ ଚେୟାର ପରିଚାଳନା କରିବେ ଏବଂ ବକ୍ତା ଭାବେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ପ୍ରସାରଣ ବିଭାଗର କ୍ରୀଡ଼ା ସାମ୍ବାଦିକ ସାଇ ପ୍ରସାଦ ମହାପାତ୍ର, ସିଏସଏମ ଟେକ୍ନୋଲୋଜି ପ୍ରତିଷ୍ଠାତା ନାନୁ ପ୍ରିୟଦର୍ଶୀ ପାଣି ଉପସ୍ଥିତ ରହିବେ।