ବାରଙ୍ଗ: ଓଡ଼ିଶା ଜଙ୍ଗଲ ଜଗିବେ ‘ଯୋଦ୍ଧା’ ଓ ‘ଥାର’। ବନ୍ୟଜନ୍ତୁ ଶିକାର ହେଉ ଅଥବା ବନାଗ୍ନି ସମୟରେ ନିଆଁଲିଭା କାର୍ଯ୍ୟରେ ବ୍ୟବହୃତ ହେବ ଏହି ଦୁଇ ଗାଡ଼ି। ଟାଟା କମ୍ପାନି ଦ୍ବାରା ପ୍ରସ୍ତୁତ ‘ଯୋଦ୍ଧା’ ଓ ମହିନ୍ଦ୍ରା କମ୍ପାନିର ‘ଥାର୍’ର ମୋଟ ୧୩୯ଟି ଗାଡ଼ିକୁ ଓଡ଼ିଶା ଜଙ୍ଗଲରେ ନିୟୋଜିତ କରାଯାଇଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ତଥା ବନ ବିଭାଗ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ, ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ କୁମାର ନନ୍ଦ ଯୋଗଦେଇ ଗାଡ଼ିଗୁଡିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ଉଦେଶ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ୩ଟି ଭିନ୍ନ ଭିନ୍ନ ପ୍ରକାରର ଗାଡ଼ି ସାମିଲ ହୋଇଛି। ୫୧ଟି ଅଲ-ଟେରେନ୍ ଗାଡ଼ି(ଏଟିଭି), ୪୧ଟି ଅଗ୍ନି ନିର୍ବାପକ ଗାଡ଼ି ଓ ୪୭ଟି ଅଗ୍ନି ନିରାକରଣ ସହାୟତା ଗାଡ଼ିକୁ ସାମିଲ କରାଯାଇଛି।
ଏଟିଭିଗୁଡ଼ିକ ଦୁର୍ଗମ ପାହାଡ଼ର ଖାଲଢିପ, କାଦୁଅ, ପାଣି ଅଞ୍ଚଳକୁ ଅତିକ୍ରମ କରିପାରିବାର କ୍ଷମତା ରହିବ। ପାଟ୍ରୋଲିଂ, ମନିଟରିଂ ଓ ସର୍ଭେଲାନ୍ସ ପରି କ୍ଷେତ୍ରରେ ଏହି ଗାଡ଼ି ବେଶ୍ ସହାୟକ ହେବ। ବନାଗ୍ନି ସମୟରେ ଏହାକୁ ମଧ୍ୟ ବ୍ୟବହାର କରାଯାଇପାରିବ। ସେହିପରି ୪୧ଟି ଅଗ୍ନି ନିର୍ବାପକ ଗାଡ଼ି ନିଆଁ ଲାଗିଥିବା ଜାଗାରେ ପହଞ୍ଚି ପାରିବ। ଏଥିରେ ସଂଯୋଗ ହୋଇଥିବା ଜଳ ସିଞ୍ଚନ ଯନ୍ତ୍ର ସାହାଯ୍ୟରେ ପାଣି ପକାଇ ନିଆଁକୁ ଆୟତ୍ତ କରାଯାଇପାରିବ। ଗାଡ଼ିରେ ଏକ ହଜାର ଲିଟର ପର୍ଯ୍ୟନ୍ତ ପାଣି ବହନ କରିବାର କ୍ଷମତା ରହିଛି। ରାସ୍ତାପାର୍ଶ୍ବ ବନାଗ୍ନି ସମେତ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଯେପରି କମ୍ କ୍ଷୟକ୍ଷତି ହେବ ତାହା ଉପରେ ଗୁରୁତ୍ବ ଦିଆଯିବ। ୪୭ଟି ଅଗ୍ନି ନିରାକରଣ ସହାୟତା ଗାଡ଼ି ନିଆଁ ଲିଭାଇବା ସମୟରେ ପଛରେ ସହାୟକ ଗାଡ଼ି ଭାବେ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯିବ। କର୍ମଚାରୀମାନେ ଗାଡ଼ି ସାହାଯ୍ୟରେ ଦୁର୍ଗମ ଅଞ୍ଚଳରେ ତତ୍କ୍ଷଣାତ ପହଞ୍ଚିପାରିବେ। ଗାଡ଼ିରେ ଉଦ୍ଧାର କାର୍ଯ୍ୟ ଲାଗି ଜନ୍ତା, ଉଦ୍ଧାର ସରଞ୍ଜାମ, ଆବଶ୍ୟକ କର୍ମଚାରୀ, ଖାଦ୍ୟ, ପାନୀୟ, ଚିକିତ୍ସା ଉପକରଣ, ଚିକିତ୍ସକ ପଠାଇବା ଭଳି ଆବଶ୍ୟକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ରହିବ।
ରାଜ୍ୟର ବିଭିନ୍ନ ଜଙ୍ଗଲକୁ ପଠାଗଲା ୧୩୯ ଗାଡ଼ି
ବନାଗ୍ନି ରୋକିବାକୁ ଗାଡ଼ିରେ ପାହାଡ଼କୁ ଯିବ ପାଣି
ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ କୁମାର ନନ୍ଦ କହିଛନ୍ତି ଯେ ଓଡ଼ିଶାରେ ୮,୮୬୯ ବର୍ଗ କିଲୋମିଟର ସଂରକ୍ଷିତ ଜଙ୍ଗଲ ରହିଛି, ଯାହାକି ମୋଟ ଭୌଗୋଳିକ ଅଞ୍ଚଳର ୫.୬୯%। ୧୯ଟି ଅଭୟାରଣ୍ୟ, ଗୋଟିଏ ଜତୀୟ ଉଦ୍ୟାନ, ଦୁଇଟି ବ୍ୟାଘ୍ର ଉଦ୍ୟାନ, ଦୁଇଟି ସଂରକ୍ଷିତ ରିଜର୍ଭ ମଧ୍ୟ ରହିଛି। ଏହାବ୍ୟତୀତ ଦୁଇଟି ବ୍ୟାଘ୍ର ଉଦ୍ୟାନ, ଗୋଟିଏ ଜାତୀୟ ଉଦ୍ୟାନ ଓ ୩ଟି ହାତୀ ରିଜର୍ଭ ପ୍ରସ୍ତାବରେ ରହିଛି। ଏହାବ୍ୟତୀତ ସଂରକ୍ଷିତ ଜଙ୍ଗଲ ବାହାରେ ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ବିରଳ ବନ୍ୟପ୍ରାଣୀ ରହିଛନ୍ତି। ଜଙ୍ଗଲରେ ଶିକାର, ବନାଗ୍ନି ରୋକିବା ଏବେ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ତାହାର ମୁକାବିଲା ଦିଗରେ ଏହି ଗାଡ଼ିଗୁଡ଼ିକ ବେଶ ସହାୟକ ହେବ। ଗାଡ଼ିଗୁଡ଼ିକ ଜଙ୍ଗଲ ନିଆଁ ଆୟତ୍ତ କରିବାରେ ବିଶେଷ ଉପଯୋଗୀ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉତ୍ସବରେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ, ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଟାଟା, ମହିନ୍ଦ୍ରା କମ୍ପାନିର ଆଞ୍ଚଳିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଦ୍ଘାଟନ ପରେ ଗାଡ଼ିଗୁଡିକୁ ନିର୍ଦ୍ଧାରିତ ବନଖଣ୍ଡରେ ନିୟୋଜନ ପାଇଁ ପଠାଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ଲଗାଯାଇଥିବା ଏଭଳି ୧୦ଟି ଗାଡ଼ି ସଫଳତାର ସହିତ କାର୍ଯ୍ୟ କରୁଛି। ସେଥିରୁ ଯେଉଁ ପ୍ରେରଣା ମିଳିଛି ତାହାରି ଆଧାରରେ ଆମେ ଆଗକୁ ବଢ଼ୁଛୁ। ରାଜ୍ୟରେ ଏଭଳି ଯୋଜନା ପ୍ରଥମ ଥର କରାଯାଇଥିବା ଓଡ଼ିଶା ସହକାରୀ ବନ ସଂରକ୍ଷକ(ପ୍ରଶାସନିକ) ସମ୍ୟକ୍ ସାମନ୍ତରାୟ ସୂଚନା ଦେଇଛନ୍ତି।