‌‌‌ଘୋଷଣାରେ ଅଟକିଛି ଯୋଗ ଓ ନେଚରପ୍ୟାଥି ହସ୍ପିଟାଲ

କେନ୍ଦ୍ର, ରାଜ୍ୟ ଭିତରେ ସମନ୍ବୟର ଅଭାବ ହସ୍ପିଟାଲ ନିର୍ମାଣ ସାଜିଛି ବାଧକ
ହସ୍ପିଟାଲକୁ ଅନ୍ୟ ରାଜ୍ୟରେ ପ୍ରତିଷ୍ଠା ନେଇ ଚର୍ଚ୍ଚା

ଭୁବନେଶ୍ବର : ରାଜଧାନୀରେ ଯୋଗ ଓ ନେଚରପ୍ୟାଥି ହସ୍ପିଟାଲ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି। ୫ ବର୍ଷ ତଳେ ଏ ନେଇ ନିଷ୍ପତ୍ତି ହୋଇଥିଲେ ହେଁ ହସ୍ପିଟାଲରେ ଇଟା ଖଣ୍ଡେ ଯୋଡ଼ି ହୋଇପାରିନାହିଁ। ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ହସ୍ପିଟାଲ ନିର୍ମାଣ କରାଯିବ, ତାହା ସ୍ଥିର ହୋଇପାରୁନାହିଁ। କେତେବେଳେ ବିନ୍ଧ୍ୟଗିରି ତ ଆଉ କେତେବେଳେ ଜାମୁକୋଳି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ହସ୍ପିଟାଲ ଅନ୍ୟ ରାଜ୍ୟରେ ପ୍ରତିଷ୍ଠା ହେବା ନେଇ ଚର୍ଚ୍ଚା ହେଉଥିବା ସୂଚନା ମିଳିଛି।

ଭୁବନେଶ୍ବରରେ ୧୦୦ ଶଯ୍ୟା ବିଶିଷ୍ଟ ଯୋଗ ଓ ନେଚରପ୍ୟାଥି ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଘୋଷଣା କରିଥିଲା। ହସ୍ପିଟାଲ ସମେତ ଯୋଗ ଶିକ୍ଷା, ତାଲିମ୍ ଓ ଗବେଷଣାର ମଧ୍ୟ ସୁଯୋଗ ମିଳିଥା’ନ୍ତା। ରାଜଧାନୀ ଉପକଣ୍ଠ ବିନ୍ଧ୍ୟଗିରିଠାରେ ଏହାକୁ ନିର୍ମାଣ କରିବା ଲାଗି ଜାଗା ଚିହ୍ନଟ କରାଯାଇଥିଲା। ୨୦୧୬ ମସିହାରେ ଜଟଣୀ ତହସିଲ ଅଧୀନରେ ଜାଗା ପାଇଁ ୯୦ ଲକ୍ଷ ଓ ପାଚେରି ନିର୍ମାଣ ପାଇଁ ୪ଲକ୍ଷ ଟଙ୍କାକୁ ମିଶାଇ କେନ୍ଦ୍ର ସରକାର ସମୁଦାୟ ୯୪ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କେନ୍ଦ୍ର ପୂର୍ତ୍ତ ବିଭାଗ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ଏପରିକି ଏହାର ଏକ ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ହେଲେ ବିନ୍ଧ୍ୟଗିରିରେ ହସ୍ପିଟାଲ ନିର୍ମାଣକୁ ସ୍ଥାନୀୟ ଲୋକ ତୀବ୍ର ବିରୋଧ କରିଥିଲେ। ପାଚେରି ବୁଲାଯିବା ସମୟରେ ଗଣ୍ଡଗୋଳ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରାଯାଇଥିଲା। ହେଲେ ଏହି ଚିହ୍ନଟ ଜାଗା କୋର୍ଟ ମାମଲାରେ ଛନ୍ଦି ହୋଇଯିବା ପରେ ହସ୍ପିଟାଲ ଆଶା ମଉଳି ଯାଇଥିଲା।

ପରବର୍ତୀ ସମୟରେ ରାଜ୍ୟ ସରକାର ଜାମୁକୋଳି ନିକଟରେ ଏଥିପାଇଁ ୨୦ ଏକର ଜାଗା ଚିହ୍ନଟ ‌କରିଥିଲେ। ଜାଗା ଚିହ୍ନଟ ହେବାର ଇତି ମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ହେଁ ହସ୍ପିଟାଲର କୌଣସି ଚିହ୍ନବର୍ଣ୍ଣ ନାହିଁ। ନିର୍ଦ୍ଦିଷ୍ଟ ଭାବେ କେବେ ନିର୍ମାଣ ହେବ, କେହି କହିପାରୁ ନାହାନ୍ତି। ପୂର୍ବ ଭାରତର ଏକ ପ୍ରମୁଖ ନେଚରପ୍ୟାଥି ହସ୍ପିଟାଲ ଏବେ ଆଶଙ୍କା ଭିତରେ ରହିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସିସିଆରଏଚ୍‌ ବା ସେଣ୍ଟ୍ରାଲ କାଉନ୍‌ସିଲ ଅଫ ରିସର୍ଚ୍ଚ ଇନ ହୋମିଓପ୍ୟାଥି ଅଧୀନରେ ପୁରୀଠାରେ ଏକ ଡ୍ରଗ୍ ପ୍ରୁଭିଂ ୟୁନିଟ୍‌ ରହିଛି। ହେଲେ ଦୀର୍ଘ ଦିନ ହେବ ଏହା ଏକ ଭଡ଼ା ଘରେ ଚାଲିଛି। କିଛି ଦିନ ପୂର୍ବରୁ ଏହି ୟୁନିଟ୍‌ ପାଇଁ ଜାମୁକୋଳି ନିକଟରେ ଏକ ୫ଏକର ଜାଗା ଚିହ୍ନଟ କରାଯାଇଛି। ଏହି ଜାଗାରେ ହୋମିଓପ୍ୟାଥିକ ଗବେଷଣା କେନ୍ଦ୍ର ବା ଏଚ୍‌ଆରସି ପ୍ରତିଷ୍ଠା କରାଯିବ। ହେଲେ ଏହି ଜାଗାକୁ କିଣିବା ଲାଗି ହୋଇଥିବା ଖର୍ଚ୍ଚ ଏବଂ ଯୋଗ ଓ ନେଚରପ୍ୟାଥି ହସ୍ପିଟାଲ ପାଇଁ ଜାଗା ବାବଦ ଖର୍ଚରେ ଯଥେଷ୍ଟ ତାରତମ୍ୟ ରହିଛି। ଯାହାକୁ ନେଇ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଏକପ୍ରକାର ଅସନ୍ତୁଷ୍ଟ ରହିଛି। ଫଳରେ ଯୋଗ ଓ ନେଚରପ୍ୟାଥି ହସ୍ପିଟାଲ କାର୍ଯ୍ୟ ଆଗେଇ ପାରୁ ନଥିବା କୁହାଯାଉଛି। ଗୋଟିଏ ପଟେ ବିନ୍ଧ୍ୟଗିରିଠାରେ ୯୦ଲକ୍ଷ ଟଙ୍କା ପ୍ରିମିୟମରେ କିଣାଯାଇଥିବା ଜାଗା କୌଣସି କାମରେ ଆସୁ ନ ଥିବା ବେଳେ ଜାମୁକୋଳିରେ ନୂତନ ଜାଗା ଚିହ୍ନଟ ‌ଉପରେ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ। ରାଜ୍ୟରେ ଏକ ପ୍ରମୁଖ ଆୟୁଷ ହସ୍ପିଟାଲ କାର୍ଯ୍ୟ କିଭଳି ଆଗେଇବ, ରାଜ୍ୟ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛି। ଖୁବଶୀଘ୍ର ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରା ନଗଲେ ଏହାକୁ ଅନ୍ୟତ୍ର ପ୍ରତିଷ୍ଠା କରାଯିବା ନେଇ ଆଲୋଚନା କରାଯାଉଥିବା ଚର୍ଚ୍ଚା ହେଉଛି।

ରାଜ୍ୟ ଆୟୁଷ ନିର୍ଦ୍ଦେଶକ ତ୍ରିଲୋଚନ ମାଝୀ କହିଛନ୍ତି, ହସ୍ପିଟାଲ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଉଛି। କିଭଳି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ସେ ସଂପର୍କରେ ଆଲୋଚନା କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର