ନିଷ୍ପତ୍ତିରେ ଲଟକିଛି ପାର୍କରେ ଯୋଗ ଶିକ୍ଷା

ଯୋଗ ଇନଷ୍ଟ୍ରକ୍ଟର ଓ ଡେମୋନଷ୍ଟ୍ରେଟର ନିଯୁକ୍ତି କେବେ ?, ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଯୋଗ ସାଟେଲାଇଟ୍ ସେଣ୍ଟର ଚିହ୍ନବର୍ଣ୍ଣ ନାହିଁ

ଭୁବନେଶ୍ବର : ରାଜଧାନୀ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ପାର୍କରେ ଯୋଗ ଶିକ୍ଷା ପାଇଁ ନିଷ୍ପତ୍ତି ନେଇଥିଲା ରାଜ୍ୟ ଆୟୁଷ ନିର୍ଦେଶାଳୟ। ୩ବର୍ଷରୁ ଅଧିକ ସମୟ ହେବ ଏହି ନିଷ୍ପତ୍ତି ହୋଇଥିଲେ ହେଁ, ସେମିତି ଲଟକି ରହିଛି। ଯୋଗ ଶିକ୍ଷା ଦେବା ପାଇଁ ଆବଶ୍ୟକ ହେଉଥିବା ଯୋଗ ଶିକ୍ଷକଙ୍କ ଅଭାବ ଦର୍ଶାଇ ନିର୍ଦେଶାଳୟ ଏହାକୁ ଗଡ଼ାଇ ଚାଲିଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କହି ଫାଙ୍କି ଚାଲିଛି। ଯୋଗକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବେଳେ ରାଜ୍ୟ ଆୟୁଷ ନିର୍ଦେଶାଳୟ ଏହାକୁ ଅଣଦେଖା କରି ଚାଲିଛନ୍ତି।

ସୂଚନା ଅନୁସାରେ, ରାଜଧାନୀର ୬ଟି ପାର୍କକୁ ମିଶାଇ ରାଜ୍ୟର ୧୫ଟି ସ୍ଥାନରେ ଯୋଗ ଓ ୱେଲନେସ କେନ୍ଦ୍ର ଖୋଲିବା ପାଇଁ ଆୟୁଷ ନିର୍ଦେଶାଳୟ ନିଷ୍ପତ୍ତି ନେଇଥିଲା। ପାର୍କରେ ଯୋଗ ଶିକ୍ଷା ପାଇଁ ସେ ସମୟରେ ୫ଲକ୍ଷ ୪୦ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଆଉଟସୋର୍ସିଂ ଜରିଆରେ ଯୋଗ ଇନଷ୍ଟ୍ରକ୍ଟର ଓ ଡେମୋନଷ୍ଟ୍ରେଟର ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଯୋଗ ଇନଷ୍ଟ୍ରକ୍ଟର ଓ ଡେମୋନଷ୍ଟ୍ରେଟରଙ୍କ ପାଇଁ ଥିବା ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଆବେଦନ କରିଥିବା ସଂସ୍ଥାର ଟେଣ୍ଡର କାଟ୍ ଖାଇଥିଲା। ଏହି ସମୟରେ କେନ୍ଦ୍ରର ଏକ ପ୍ରତିନିଧି ଦଳ ଓଡ଼ିଶା ପରିଦର୍ଶନ ଆସିବା ଓ ଇନଷ୍ଟ୍ରକ୍ଟର ନିଯୁକ୍ତି ପାଇଁ ପ୍ରକ୍ରିୟାର ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲା। ହେଲେ ରାଜ୍ୟର ଏକ ଯୋଗ ଅନୁଷ୍ଠାନ ନିଜ ଅନୁଷ୍ଠାନରୁ ଯୋଗ ଶିକ୍ଷା ଗ୍ରହଣ କରିଥିବା ଇନଷ୍ଟ୍ରକ୍ଟରଙ୍କୁ ନିଯୁକ୍ତି ଦେବାକୁ ଜିଦ୍ ଧରିଥିଲା। ନିର୍ଦେଶାଳୟ ଏହି ବିବାଦ ସମାଧାନ କରିବାରେ ବିଫଳ ହେବା ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ଆହୁରି ବିଳମ୍ବିତ ହୋଇଥିଲା। ପରବର୍ତୀ ସମୟରେ ନିର୍ଦେଶାଳୟ ପକ୍ଷରୁ ଯୋଗ ଓ ୱେଲନେସ ସେଣ୍ଟର ପାଇଁ ଇନଷ୍ଟ୍ରକ୍ଟର ଓ ଡେମୋନଷ୍ଟ୍ରେଟରଙ୍କୁ ଚୟନ କରାଯାଇଥିଲା। ମାତ୍ର ଏଥିପାଇଁ ଦିଆଯାଉଥିବା ଅର୍ଥକୁ ନେଇ ସେମାନେ କାର୍ଯ୍ୟରେ ଯୋଗ ଦେଇ ନ ଥଲେ। ଯାହାକୁ ନେଇ ସମସ୍ୟା ଉପୁଜିଥିଲା।

କେବଳ ପାର୍କରେ ଯୋଗ ଶିକ୍ଷା ନୁହେଁ, ରାଜଧାନୀରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ପରିସରରେ ଏକ ଯୋଗ ସାଟେଲାଇଟ ସେଣ୍ଟର ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ସେଠାରେ ଯୋଗ ଶିକ୍ଷା ଦିଆଯିବା ସହିତ ଯୋଗ ଓପିଡି ବା ବର୍ହିବିଭାଗ କାର୍ଯ୍ୟ କରିବ। ଯାହାଫଳରେ ଲୋକମାନେ ଏହାର ସୁଫଳ ପାଇପାରିବେ। ଏଥିପାଇଁ କିଛି ଯନ୍ତ୍ରପାତି ମଧ୍ୟ କିଣାଯାଇଥିଲା। ହେଲେ ଏହି ଯନ୍ତ୍ରପାତି ଏବେ କେଉଁଠି ଅଛି ଓ ଏହାର ଅବସ୍ଥା କ’ଣ ତାହା କାହାକୁ ଜଣାନାହିଁ। ଏହି ସାଟେଲାଇଟ୍ ସେଣ୍ଟର ପାଇଁ ମଧ୍ୟ କର୍ମଚାରୀ ନିଯୁକ୍ତି ନ ହେବା ଯୋଗୁଁ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯାହାକି ଆୟୁଷ ନିର୍ଦେଶାଳୟର ପାରିବା ପଣିଆକୁ ପଦାରେ ପକାଇ ଦେଇଛି।

ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ପାର୍କରେ ଯୋଗ ଶିକ୍ଷା ପାଇଁ ପ୍ରଥମେ ଟେଣ୍ଡର କରାଯିବା ସମୟରେ ମାତ୍ରା ୭/୮ଜଣ ‌ବ୍ୟକ୍ତି ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲେ। ‌ମାତ୍ର ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ସମସ୍ୟା ଦେଖା ଦେଇଥିଲା। ଯାହାଫଳରେ ସେମାନଙ୍କୁ ନିଯୁକ୍ତି ନ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ପରବର୍ତୀ ସମୟରେ ଯୋଗ ଇନଷ୍ଟ୍ରକ୍ଟର ଓ ଡେମୋନଷ୍ଟ୍ରେଟର ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଶିକ୍ଷାଗତ ଯୋଗ୍ୟତା ରଖାଯାଇଛି ତାକୁ କୋହଳ କରିବା ସହିତ କେବଳ ଅଭିଜ୍ଞତାକୁ ବିଚାରକୁ ନେଇ ନିଯୁକ୍ତି ଦେବାକୁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯିବ। ସରକାରଙ୍କଠାରୁ ଅନୁମତି ମିଳିଲେ ଆ‌ଉଟସୋର୍ସିଂ ଜରିଆରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟରେ ଏକ ଯୋଗ ଆସୋସିଏସନ ରହିଥିବା ବେଳେ ତହିଁରେ ପଞ୍ଜୀକୃତ ହୋଇଥିବା ଯୋଗ ଶିକ୍ଷକଙ୍କ ତାଲିକା ମଗାଯାଇଛି। ଆସନ୍ତା ୧ମାସ ଭିତରେ ଏହି କାର୍ଯ୍ୟ ସମାପ୍ତ ହେବ। ଏହାସହ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଯେଉଁ ସାଟେଲାଇଟ୍ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ସେଠାରେ କର୍ମଚାରୀ ନିଯୁକ୍ତି ଦିଆଯିବ ପରେ ଓପିଡି କାର୍ଯ୍ୟ କରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର