କୋଭିଡ୍‌ରୁ ମୁକ୍ତ ଲୋକଙ୍କ ପାଇଁ ଅନ୍‌ଲାଇନ୍‌ରେ ଯୋଗଶିକ୍ଷା

ଭୁବନେଶ୍ବର : କୋଭିଡ୍‌ରୁ ମୁକ୍ତ ହୋଇଥିବା ଲୋକମାନଙ୍କ ଯୋଗ ଓ ପ୍ରାଣାୟମ ଶିକ୍ଷାର ସୁବିଧା ଦେବାକୁ ଯାଉଛି ରାଜ୍ୟ ଆୟୁଷ ନିର୍ଦେଶାଳୟ। ଅନ୍‌ଲାଇନ୍‌ ଜରିଆରେ ଲୋକମାନେ କୋଭିଡ୍‌ରୁ ମୁକ୍ତ ହେବା ପରେ କିଭଳି ନିଜର ଶରୀରକୁ ସୁସ୍ଥ ରଖିପାରିବେ, ତାହାର କୌଶଳ ପାଇ ପାରିବେ। ଆସନ୍ତା ୨୭/୨୮ ତାରିଖ ଆଡ଼କୁ ଏହା ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି। କ‌ରୋନାର ଦ୍ବିତୀୟ ଲହର ବେଶ୍‌ ସାଂଘାତିକ ହୋଇଛି। କରୋନାର ଭୂତାଣୁର ପରିବର୍ତ୍ତିତ ରୂପ ବା ମ୍ୟୁଟେସନ୍‌ ଯୋଗୁଁ ବହୁ ସଂଖ୍ୟାରେ ଲୋକମାନେ ସଂକ୍ରମିତ ହୋଇଛନ୍ତି। କରୋନାରେ ସଂକ୍ରମିତ ହେବା ସମୟରେ କିମ୍ବା ମୁକ୍ତ ହେବା ପରେ ମଧ୍ୟ ଅନେକଙ୍କ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହେଉଛି। ତେବେ ଯୋଗ ଓ ପ୍ରାଣାୟମ ସହାୟତାରେ ଲୋକମାନେ କିଭଳି ନିଜର ଶରୀରକୁ ସୁସ୍ଥ ରଖିପାରିବେ, ସେଥିପାଇଁ ଅନଲାଇନ୍‌ ଜରିଆରେ ଏହି ଶିକ୍ଷା ଦେବା ଲାଗି ଆୟୁଷ ନିର୍ଦେଶାଳୟ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ରାଜ୍ୟରେ ଥିବା ହୋମିଓପ୍ୟାଥିକ/ଆୟୁର୍ବେଦିକ କଲେଜ ଜରିଆରେ ସଂପୃକ୍ତ ଜିଲ୍ଲା କିମ୍ବା ଏକାଧିକ ଜିଲ୍ଲାକୁ ଏକାଠି ଅନଲାଇନ୍‌ରେ ଏହି ଯୋଗ ଶିକ୍ଷା ଦିଆଯିବ। ଲୋକମାନେ ଏକ ନିର୍ଦ୍ଦିଷ୍ଟ ଲିଙ୍କ୍ ଜରିଆରେ ଏହାର ଲାଇଭ୍ ସୁବିଧା ପାଇ ପାରିବେ। କଲେଜମାନଙ୍କ ପକ୍ଷରୁ ଏଥିପାଇଁ ଯୋଗ ଇନ୍‌‌ଷ୍ଟ୍ରକ୍ଟରଙ୍କୁ ଚିହ୍ନଟ କରିବା ଲାଗି କୁହାଯିବ। ସପ୍ତାହ ପର୍ଯ୍ୟନ୍ତ ଏହି ଯୋଗା ଶିକ୍ଷା ଦିଆଯିବ। ଜିଲ୍ଲାସ୍ତରରେ ସିଡିଏମ୍‌ଓଙ୍କ ନିକଟରେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ମଧ୍ୟ ତାଲିକା ରହିଛି। ତେଣୁ ଇଚ୍ଛୁକ ବ୍ୟକ୍ତିମାନେ ଯୋଗଶିକ୍ଷାରେ ଅଂଶଗ୍ରହଣ କରିପାରିବେ ବୋଲି ଆଶା କରାଯାଉଛି। ତେବେ ଲୋକମାନେ କିଭଳି ଏହି ଯୋଗ ଶିକ୍ଷାର ଲିଙ୍କ୍ ପାଇବେ, ସେ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।

ରାଜ୍ୟ ଆୟୁଷ ନିର୍ଦ୍ଦେଶକ କହିଛନ୍ତି, ଯୋଗ ଶିକ୍ଷାର ଭିଡିଓ କ୍ଲିପ୍‌ ସଂଗ୍ରହ କରାଯାଉଛି। ଏହାସହ ଯୋଗଶିକ୍ଷା ଦିଆଯିବା ସମୟରେ ମଧ୍ୟ ଓଡ଼ିଆରେ ସଂପୃକ୍ତ ଭଙ୍ଗୀର ଫାଇଦା କ’ଣ ଓ ଏହାକୁ କିଭଳି କରିବେ, ସେ ସଂପର୍କରେ ମଧ୍ୟ ସୂଚନା ଦେବାକୁ ନିଷ୍ପତ୍ତି ହୋଇଛି। ଅତି କମ୍‌ରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଲାଇଭ୍ କରାଯିବ। କୋଭିଡ୍‌ ସମୟରେ ଯୋଗ ଓ ପ୍ରାଣାୟମ ଦ୍ବାରା ଶରୀର ସୁସ୍ଥ ରଖିବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ଢଙ୍ଗରେ ‌ଅନଲାଇନ୍‌ରେ ଯୋଗ ଶିକ୍ଷା ପାଇଁ ଆଲୋଚନା ହୋଇଛି। ଚଳିତ ମାସ ଶେଷ ସପ୍ତାହ ଆଡ଼କୁ ଏହାକୁ ଆରମ୍ଭ କରାଯାଇପାରେ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର