ତାମ୍ପରା ହେଲା ଯୋଗମୟ: ଛାତ୍ରଛାତ୍ରୀ, ଯବାନଙ୍କ ସମେତ ଜିଲ୍ଲାବାସୀ ସାମିଲ

ଛତ୍ରପୁର : ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଜାରି ରହିଛି। ଏହିକ୍ରମରେ ଚଳିତବର୍ଷ ଅଷ୍ଟମ ବିଶ୍ବ ଯୋଗ ଦିବସକୁ ଦେଶର ୭୫ଟି ଐତିହ୍ୟସ୍ଥଳୀରେ ଏକକାଳୀନ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପ୍ରାୟୋଜନରେ ଓଡ଼ିଶାର ୩ଟି ସ୍ଥାନ ଯଥା ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦ ସ୍ଥାନ ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ତାମ୍ପରା ହ୍ରଦରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି।

ଜାତୀୟ ଆୟୁଷ ମିସନ, ଆୟୁଷ ନିର୍ଦ୍ଦେଶାଳୟ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓ ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବେର୍ଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସିଆରପିଏଫ୍‌ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରମାକାନ୍ତ ମଲ୍ଲିକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ବିପିନ ବିହାରୀ ଖୁ ଣ୍ଟିଆ, ଉପଅଧୀକ୍ଷକ ଡା.ସୂର୍ଯ୍ୟନାରାୟଣ ସାହୁ, ଡା.ବିମଳ ପଣ୍ତା ଓ ଡା.ଘାସିରାମ ସାହୁ ପ୍ରମୁଖ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ସାମୂହିକ ଯୋଗାଭ୍ୟାସରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସିଆରପିଏଫ୍ ଯବାନଙ୍କ ସମେତ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଡା. ଶିବପ୍ରସାଦ, ଡା.ଚିନ୍ମୟ, ଡା.ଘାସିରାମ ସାହୁ, ଡା.ପ୍ରଦୀପ୍ତ, ଡା.ରୋହିତ, ଡା.ରାଜେଶ, ଡା.ସୌଭାଗ୍ୟ, ଡା.ମୁକୁନ୍ଦ ଓ ଡା.ଅଶ୍ବିନୀ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।  ଲିପକ କୁମାର ସାହୁ ଓ ଡା.ସ୍ବପ୍ନା ସ୍ବୟଂପ୍ରଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର