ସୁସ୍ଥ ରହିବାକୁ ହେଲେ ଯୋଗ ଆବଶ୍ୟକ, ୨ରୁ ୩% ଲୋକଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା

ଭୁବନେଶ୍ବର: ଫାଭିପିରାଭିର ବଟିକା ଖାଉଥିବା ମାତ୍ର ୨ରୁ ୩ ପ୍ରତିଶତ ରୋଗୀଙ୍କ ଶରୀରରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଉଛି। ପତଳା ଝାଡ଼ା, ମୁଣ୍ଡ ବିନ୍ଧା ଭଳି ଲକ୍ଷଣ ଦେଖା ଯାଇଥାଏ। ମାତ୍ର ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉ ନାହିଁ। ଗୃହ ପୃଥକବାସରେ ରହିଥିବା ରୋଗୀଙ୍କର ପରବର୍ତୀ ସମୟରେ ଯଦି ଶରୀରରେ କୋଭିଡ୍‌ ଲକ୍ଷଣ ଦେଖାଦିଏ ତା’ହେଲେ ମଧ୍ୟ ସଂପୃକ୍ତ ରୋଗୀ ଫାଭିପିରାଭିର ବଟିକା ଖାଇପାରିବେ। ଗୃହ ପୃଥକବାସ ପାଇଁ ଦିଆଯାଉଥିବା କିଟ୍‌ରେ ଏହି ବଟିକା ଉପଲବ୍ଧ ହେବ ନାହିଁ ବୋଲି କହିଛନ୍ତି ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଡା.ଜୟନ୍ତ ପଣ୍ଡା। କୋଭିଡ୍‌ ସଂକ୍ରମିତ ହୋଇ ‌ଗୃହ ପୃଥକବାସରେ ରହୁଥିବା ଲକ୍ଷଣଯୁକ୍ତ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଭୂତାଣୁନାଶକ ଫାଭିପିରାଭିର ବଟିକା ଖାଇବା ପାଇଁ ଅନୁମତି ଦେଇଛନ୍ତି। ତେବେ ଏହି ବଟିକାକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାରର ପ୍ରଶ୍ନ ଉଙ୍କି ମାରୁଛି।

ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡା.ପଣ୍ଡା କହିଲେ, ‌ଏହି ବଟିକା ଖାଉଥିବା ରୋଗୀ ଅତିକମ୍‌ରେ ୫ଦିନର କୋର୍ସ ପୂରଣ କରିବାକୁ ହେବ। ନଚେତ୍ ପରବର୍ତୀ ସମୟରେ ପୁଣି ଲକ୍ଷଣ ଦେଖାଯିବାର ଆଶଙ୍କା ରହିଛି। ପୂର୍ବରୁ ନିଜର ରୋଗ ଥିଲେ ରାପିଡ୍‌ ରେସପନ୍ସ ଟିମ୍‌ (ଆରଆରଟି)କୁ ଏ ସଂପର୍କରେ ସୂଚନା ଦେବା ଦରକାର। ଆରଆରଟି ପରୀକ୍ଷା ପରେ ହିଁ ଏହି ଔଷଧ ବ୍ୟବହାର କରାଯିବା ଉଚିତ୍। ଏହି ବଟିକା ଖାଇବା ସମୟରେ ଯଥେଷ୍ଟ ପାଣି ପିଇବା ଦରକାର। ମନଇଚ୍ଛା ଏହି ଔଷଧ କିଣି ଖାଇବା ଉଚିତ୍ ନୁହେଁ। କିଛି ଲୋକ ଭୟଭୀତ ହୋଇ ଏଭଳି ଔଷଧ କିଣି ଖାଇବା ଲାଗି ଚେଷ୍ଟା କରୁଥିବା ନଜରକୁ ଆସିଛି। ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଔଷଧର ମାତ୍ରା ଓ ସମୟକୁ ବ୍ୟତିକ୍ରମ କରିବା ଉଚିତ୍ ନୁହେଁ।

ଯେଉଁ ପରିମାଣ ଓ ସମୟରେ କୁହାଯାଇଛି ସେହି ଅନୁଯାୟୀ ସେବନ କରିବା ଦରକାର। କ‌ରୋନା ସଂକଟ ସମୟରେ ଯୋଗ ଚିକିତ୍ସା ଭଲ କାମ କରୁଛି। କୋଭିଡ୍‌ରୁ ମୁକ୍ତ ହେବା ପରେ କପାଳଭାତି ଓ ଅନୁଲୋମ ବିଲୋମ୍ ଯୋଗ କରିବା ଦ୍ବାରା ଲୋକମାନଙ୍କୁ ସୁଫଳ ମିଳିପାରିବ। ଯୋଗ ଜରିଆରେ ଆଭ୍ୟନ୍ତରୀଣ ଅଙ୍ଗର ବ୍ୟାୟାମ ହୋଇପାରୁଛି। ତେଣୁ ସୁସ୍ଥ ରହିବାକୁ ହେଲେ ଯୋଗର ଆବଶ୍ୟକତା ରହିଛି। କୋଭିଡ୍‌ କଟକଣା ସମୟରେ ହେଉ କି ପରେ ହେଉ ଧୂମପାନ ସବୁବେଳେ ବର୍ଜନୀୟ। କରୋନା ଭୂତାଣୁ ମହାମାରୀରୁ ମୁକ୍ତ ହେବା ପରେ ବି ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ଭୂତାଣୁ ନାକ, ଗଳା ଓ ଶ୍ବାସକ୍ରିୟାକୁ ପ୍ରଭାବିତ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ ନେଇ ଛାତିର ଏକ୍ସ-ରେ କରାଇ ନେବା ଆବଶ୍ୟକ। ସନ୍ତରଣ ସ୍ୱାସ୍ଥ୍ୟ ପାଇଁ ଭଲ। କୋଭିଡ୍‌ ସମୟରେ ସଂକ୍ରମଣ ଆଶଙ୍କାରେ ସୁଇମିଂପୁଲ୍‌କୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ତାଲିମ ପାଇଁ ଏବେ ସରକାର ସୁଇମିଂପୁଲ୍‌କୁ ଅନୁମତି ଦେଇଛନ୍ତି। ପାଣି ଉଷୁମ ଥିବା ସମୟରେ ସନ୍ତରଣ କରାଯିବା ଦରକାର। କିନ୍ତୁ ସ୍ୱାସ୍ଥ୍ୟ ଠିକ୍‌ ନ ଥିଲେ ଏଥିରୁ ନିର୍ବୃତ୍ତ ରୁହନ୍ତୁ ବୋଲି ଡା.ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର